ନିର୍ଣ୍ଣାୟକ ମୋଡ଼ରେ ମୁଲତାନ ଟେଷ୍ଟ୍‌: ଲକ୍ଷ୍ୟ ୩୫୫; ପାକିସ୍ତାନ ୧୯୮/୪

ମୁଲତାନ୍‌ : ‌ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍‌ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଯାଇଛି। ରବିବାର ତୃତୀୟ ଦିବସ ଶେଷ ସୁଦ୍ଧା ଉଭୟ ଦଳର ମୋଟ ୩୪ ୱିକେଟ୍‌ର ପତନ ଘଟିସାରିଛି। ଏଥିରେ ଭ୍ରମଣକା‌ରୀ ଇଂଲଣ୍ଡର ଦୁଇଟିଯାକ ପାଳି ଶେଷ ହୋଇଥିଲା ବେଳେ ଘରୋଇ ପାକିସ୍ତାନ ବିଜୟ ଲକ୍ଷ୍ୟକୁ ପିଛା କରି ଦ୍ବିତୀୟ ପାଳି ଖେଳୁଛି। ପ୍ରଥମ ପାଳିରେ ୨୮୧ ରନ୍‌ କରିଥିବା ଇଂଲଣ୍ଡ ଆଜି ଦ୍ବିତୀୟ ପାଳିରେ ୨୭୫ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ହାରି ବ୍ରୁକ୍ (୧୦୮) ମୂଲ୍ୟବାନ ଶତକ ଜମାଇଥିଲା ବେଳେ ବେନ୍‌ ଡକେଟ୍‌ (୭୯) ଅର୍ଦ୍ଧଶତକ ଏବଂ ଅଧିନାୟକ ବେନ୍‌ ଷ୍ଟୋକ୍ସ ୪୧ ରନ୍‌ର ଅବଦାନ ଛାଡ଼ିଥିଲେ। ପ୍ରଥମ ପାଳିରେ ୧୧୪ ରନ୍‌ରେ ୭ ୱିକେଟ୍‌ ଅକ୍ତିଆର କରିଥିବା ପଦାର୍ପଣକାରୀ ପାକିସ୍ତାନ ଦ୍ରୁତ ବୋଲର ଅବ୍ରାର ଅହମ୍ମଦ ଇଂଲଣ୍ଡ ଦ୍ବିତୀୟ ପାଳିର ୪ ୱିକେଟ୍‌ ଦଖଲ କରିଥିଲା ବେଳେ ଜାହିଦ ମହମ୍ମୁଦ୍‌ ମଧ୍ୟ ପ୍ରଥମ ପାଳି ଭଳି ଦ୍ବିତୀୟ ପାଳିରେ ବି ୩ ୱିକେଟ୍‌ ନେଇ ଇଂଲଣ୍ଡକୁ ବଡ଼ ସ୍କୋର୍‌ରୁ ରୋକିଥିଲେ।

ଏକଦା ଦ୍ବିତୀୟ ପାଳିରେ ୨୫୬ ରନ୍‌ରେ ୫ ୱିକେଟ୍‌ ହରାଇଥିବା ଇଂଲଣ୍ଡ‌ ଅବଶିଷ୍ଟ ୫ ୱିକେଟ୍‌କୁ ମାତ୍ର ୧୯ ରନ୍‌ରେ ହରାଇଥିଲା। ଏଥିସହିତ ଘରୋଇ ଦଳ ସମ୍ମୁଖରେ ୩୫୫ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା। ତେବେ ପ୍ରଥମ ପାଳିରେ ୨୦୨ ରନ୍‌ କରି ୭୯ ରନ୍‌ ପଛୁଆ ରହିଥିବା ପାକିସ୍ତାନ ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ୪ ୱିକେଟ୍‌ ବିନିମୟରେ ୧୯୮ ରନ୍‌ କରି ସଂଘର୍ଷ ଜାରି ରଖିଛି। ଆଉ ପୂରା ଦୁଇ ଦିନ ମ୍ୟାଚ୍‌ ବାକିଥିଲା ବେଳେ ହାତରେ ୬ ୱିକେଟ୍‌ ରଖିଥିବା ପାକିସ୍ତାନକୁ ବିଜୟ ହାସଲ ପାଇଁ ଆହୁରି ୧୫୭ ରନ୍‌ର ଆବଶ୍ୟକତା ରହିଛି। ଦୁଇ ଓପ୍‌ନର ଅବ୍‌ଦୁଲା ସଫିକ୍‌ (୪୫) ଓ ମହମ୍ମଦ ରିଜ୍‌ୱାନ (୩୦) ପ୍ରଥମ ୱିକେଟ୍‌ରେ ୬୬ ରନ୍ ଯୋଡ଼ି ଭଲ ଆରମ୍ଭ ଦେଇଥିଲା ବେଳେ ଅଧିନାୟକ ବାବର ଆଜମ୍‌ (୧) ନିରାଶ କରିଥିଲେ। ତେବେ ସୌଦ୍‌ ସକିଲ (୫୪*) ଏବଂ ଇମାମ୍‌ ଉଲ୍‌ ହକ୍‌ (୬୦) ଅର୍ଦ୍ଧଶତକ ଜମାଇବା ସହିତ ଚତୁର୍ଥ ୱିକେଟ୍‌ରେ ୧୦୮ ରନ୍ ଯୋଡ଼ି ପାକିସ୍ତାନକୁ ଆଶା ଦେଇଛନ୍ତି। ଇମାମ ଦିବସର ଶେଷ ୱିକେଟ୍‌ ଭାବେ ପାଭିଲିୟନ୍‌ ଫେରିଯାଇଥିଲା ବେଳେ ସୌଦ୍‌ ସକିଲଙ୍କ ସହ ଫହିମ ଅସ୍ରଫ୍‌ (୩) କ୍ରିଜ୍‌ରେ ରହିଛନ୍ତି। ପ୍ରଥମ ୱିକେଟ୍‌ ଭାଗୀଦାରିକୁ ଅଭିଜ୍ଞ ଜେମ୍‌ସ ଆଣ୍ଡରସନ୍‌ ଭାଙ୍ଗିଥିଲା ବେଳେ ଚତୁର୍ଥ ୱିକେଟ୍‌ର ଶତକୀୟ ଭାଗୀଦାରିକୁ ଜାକ୍‌ ଲିଚ୍‌ ଅଲଗା କରିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଇଂଲଣ୍ଡ ପ୍ରଥମ ପାଳି: ୫୧.୪ ଓଭରରେ ୨୮୧। ପାକିସ୍ତାନ ପ୍ରଥମ ପାଳି: ୬୨.୫ ଓଭରରେ ୨୦୨। ଇଂଲଣ୍ଡ ଦ୍ବିତୀୟ ପାଳି: ୬୪.୫ ଓଭରରେ ୨୭୫/୧୦ (ବେନ ଡକେଟ୍‌-୭୯, ହାରି ବ୍ରୁକ୍-୧୦୮, ବେନ୍‌ ଷ୍ଟୋକ୍ସ-୪୧, ଅବ୍ରାର ଅହମ୍ମଦ-୪/୧୨୦, ଜାହିଦ ମହମ୍ମୁଦ-୩/୫୨)। ପାକିସ୍ତାନ ଦ୍ବିତୀୟ ପାଳି: ୬୪ ଓଭରରେ ୧୯୮/୪ (ସୌଦ ସକିଲ୍‌-୫୪*, ଇମାମ ଉଲ୍‌ ହକ୍‌-୬୦, ଅବ୍‌ଦୁଲା ସଫିକ-୪୫, ମହମ୍ମଦ ରିଜ୍‌ୱାନ-୩୦, ଓଲି ରବିନ୍‌ସନ-୧/୧୪, ଜେମ୍ସ ଆଣ୍ଡରସନ୍‌-୧/୮, ଜ୍ୟାକ୍‌ ଲିଚ୍‌-୧/୮୮, ମାର୍କ ଉଡ୍‌-୧/୩୫)।

ସମ୍ବନ୍ଧିତ ଖବର