ପନ୍ତ୍‌ଙ୍କ ପାଇଁ ଏକାଧିକ ମାଇଲଖୁଣ୍ଟ ସୁଯୋଗ

ନୂଆଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲ୍‌ସର ନୂଆ ନେତୃତ୍ବ ନେଉଥିବା ଯୁବ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ଙ୍କ ପାଇଁ ଚଳିତ ଆଇପିଏଲ୍‌ ଏକାଧିକ ମାଇଲଖୁଣ୍ଟ ସୁଯୋଗ ରଖିଛି। ଗତବର୍ଷ ଉପବିଜେତାରେ ସନ୍ତୁଷ୍ଟ ରହିଥିବା ଦିଲ୍ଲୀ ଦଳ ଏଥର କିନ୍ତୁ ଟ୍ରଫି ହାସଲର ଲକ୍ଷ୍ୟ ରଖିଛି। ନିଜର ୫ ବର୍ଷର ଆଇପିଏଲ୍‌ କ୍ୟାରିୟର ମଧ୍ୟରେ ପନ୍ତ୍‌ ଗୋଟିଏମାତ୍ର ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳିଛନ୍ତି। ସେ ଚମତ୍କାର ଫର୍ମରେ ଅଛନ୍ତି ଏବଂ ନିକଟରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ଭାରତ ବିଜୟର ପ୍ରମୁଖ କର୍ଣ୍ଣଧାର ସାଜିଥି‌ଲେ। ତେଣୁ ଗତବର୍ଷ ଆଇପିଏଲ୍‌ ଟ୍ରଫି ହାତଛଡ଼ା କରିଥିବା ଦୁଃଖକୁ ଭୂଲିବାକୁ ଚାହିଁବେ। ଏଥି ସହିତ ନିଜେ ମଧ୍ୟ ବ୍ୟକ୍ତିଗତ ଭାବେ ଏକାଧିକ ମାଇଲଖୁଣ୍ଟ ଅତିକ୍ରମ କରିବାର ସୁଯୋଗକୁ ହାତଛଡ଼ା କରିବେନି।

ସୁଯୋଗ: ଚଳିତ ଆଇପିଏଲ୍‌ରେ ଆଉ ୨୩ ଚୌକା ମାରିପାରିଲେ ପନ୍ତ ଟି-୨୦ କ୍ରିକେଟ୍‌ରେ ୩୦୦ ଚୌକା ପୂରଣ କରିବେ। ପୁଣି ୧୫ ଚୌକା ମାରିପାରିଲେ ସେ ଆଇପିଏଲ୍‌ରେ ୨୦୦ ‌ଚୌକା ପୂରଣ କରିବେ। ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ମଧ୍ୟ ବୀରେନ୍ଦ୍ର ସେହବାଗ୍‌ (୨୬୬)ଙ୍କ ପରେ ଦିଲ୍ଲୀ କ୍ୟାପିଟାଲ୍‌ସର ଦ୍ବିତୀୟ ଖେଳାଳି ହୋଇପାରିବେ।

ଆଇପିଏଲ୍‌ରେ ୫୦ କ୍ୟାଚ୍‌ ଧରିବାର ସଫଳତାଠୁ ପନ୍ତ୍‌ ୪ ଦୂରରେ ରହିଛନ୍ତି। ଅନ୍ୟପକ୍ଷରେ ଆଇପିଏଲ୍‌ରେ ଜଣେ ୱିକେଟ୍‌ରକ୍ଷକ ଭାବେ ୫୦ କ୍ୟାଚ୍‌ ପୂରଣ କରିବାରୁ ସେ ୭ ଦୂରରେ ଅଛନ୍ତି। ଏହା କରିପାରିଲେ ସେ ଆଇପିଏଲ୍‌ ଇତିହାସରେ ପ୍ରଥମ ୱିକେଟ୍‌ରକ୍ଷକ ବିବେଚିତ ହେବେ।

ସମ୍ବନ୍ଧିତ ଖବର