ସାରଜା: ଅତି ମହତ୍ବପୂର୍ଣ୍ଣ ମୁକାବିଲାରେ ମଙ୍ଗଳବାର ରାଜସ୍ଥାନ ରୟାଲ୍ସକୁ ୮ ୱିକେଟ୍ରେ ଏବଂ ୭୦ ବଲ୍ ପୂର୍ବରୁ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍ରେ ତା’ର ପ୍ଲେ ଅଫ୍ ପ୍ରବେଶ ଆଶାକୁ ଅତୁଟ ରଖିଛି। ତ୍ରୟୋଦଶ ମ୍ୟାଚ୍ରୁ ଷଷ୍ଠ ବିଜୟ ହାସଲ କରିଥିବା ମୁମ୍ବାଇ ମଧ୍ୟ ନିଜ ନେଟ୍ ରନ୍ ରେଟ୍ରେ ଯଥେଷ୍ଟ ଉନ୍ନତି ଆଣି ପାରିଛି। ୟୁଏଇ ଚରଣରେ ସେତେଟୋ ଭଲ ପ୍ରଦର୍ଶନ କରି ନଥିବା ମୁମ୍ବାଇ ପାଇଁ ଶେଷ ଦୁଇ ମ୍ୟାଚ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ରୋହିତ ଶର୍ମାଙ୍କ ଦଳ ମଧ ସମୟର ଆବଶ୍ୟକତାକୁ ବୁଝି ଆଜି ଉଭୟ ବଲ୍ ଓ ବ୍ୟାଟ୍ରେ ଚମତ୍କାର କ୍ରିକେଟ୍ ଖେଳିଥିଲା। ମୁମ୍ବାଇ ବୋଲରମାନେ ପ୍ରଥମେ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ମାତ୍ର ୯୦ ରନ୍ (୯ ୱିକେଟ୍)ରେ ଅଟକାଇ ଦେଇଥିଲେ। ଏହା ପରେ କ୍ବିଣ୍ଟନ୍ ଡି’କକ୍ଙ୍କ ବଦଳରେ ଖେଳିଥିବା ଈଶାନ୍ତ କିଶନ (୫୦* ରନ୍, ୨୫ ବଲ୍, ୫ ଚୌକା, ୩ ଛକା) ବିସ୍ଫୋରକ ଅର୍ଦ୍ଧଶତକ ଅର୍ଜନ କରି ଫର୍ମକୁ ଫେରିବା ସହ ମୁମ୍ବାଇକୁ ମାତ୍ର ୮.୨ ଓଭରରେ ବିଜୟୀ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ୨୨ ଓ ସୂର୍ଯ୍ୟକୁମାର ଯାଦବ ୧୩ ରନ୍ କରିଥିଲେ। ନବମ ଓଭରର ପ୍ରଥମ ଦୁଇ ବଲ୍ରେ ଚୌକା, ଛକା ମାରି ଈଶାନ ମୁମ୍ବାଇର ମହତ୍ବପୂର୍ଣ୍ଣ ବିଜୟରେ ମୁଣ୍ଡି ମାରିଥିଲେ। ତା ସହ ଚଳିତ ଆଇପିଏଲ୍ର ୟୁଏଇ ସଂସ୍କରଣରେ ସେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ବଲ୍ ବ୍ୟବଧାନରେ ମୁମ୍ବାଇର ଏହା ଦ୍ବିତୀୟ ସର୍ବବୃହତ୍ ବିଜୟ ଥିଲା। ଅନ୍ୟପକ୍ଷରେ ସେହି ତ୍ରୟୋଦଶ ମ୍ୟାଚ୍ରୁ ଅଷ୍ଟମ ପରାଜୟ ବରଣ କରିଥିବା ରାଜସ୍ଥାନ ଏକପ୍ରକାର ପ୍ଲେ ଅଫ୍ ଦୌଡ଼ରୁ ବାଦ ପଡ଼ିଛି।
ବୁମ୍ରା-କୁଲଟର ନାଇଲ୍-ନୀସାମଙ୍କ ଘାତକ ବୋଲିଂ
ଆଇପିଏଲ୍-୨୦୨୧ର ଏହି ୫୧ତମ ମ୍ୟାଚ୍ରେ ରୋହିତ ଶର୍ମା ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଆଉ ତାଙ୍କ ନିଷ୍ପତ୍ତିର ପୂରା ସମ୍ମାନ ରଖିଥିଲେ ଦଳର ତିନି ଦୁର୍ଦ୍ଧର୍ଷ ପେସର ଯଶପ୍ରୀତ ବୁମ୍ରା (୨/୧୪), ନାଥନ କୁଲଟର ନାଇଲ୍ (୪/୧୪) ଓ ଜିମ୍ମି ନୀସାମ (୩/୧୨)। ତିନିଜଣ ଯାକ ମିଳିତ ଭାବେ ୧୨ ଓଭର ବୋଲିଂ ୪୦ ରନ୍ରେ ରାଜସ୍ଥାନର ସମସ୍ତ ୯ ୱିକେଟ୍ ଅକ୍ତିଆର କରିଥିଲେ। ବୁଧବାରର ଏହି ଲୋ ସ୍କୋରିଂ ମୁକାବିଲାର ଚତୁର୍ଥ ଓଭରରେ ବିପଜ୍ଜନକ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲଙ୍କୁ ଆଉଟ୍ କରି ବୁମ୍ରା ହିଁ ରାଜସ୍ଥାନ ବିପର୍ଯ୍ୟୟର ଅୟମାରମ୍ଭ କରିଥିଲେ। ଏହା ପରେ କୁଲଟର ନାଇଲ୍ ଓ ନୀସାମ ରାଜସ୍ଥାନ ବ୍ୟାଟିଂକୁ ପୂରା ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲେ। ବିଶେଷ କରି କୁଲଟର ନାଇଲ୍ ନିଜ ସୁଇଂ ବୋଲିଂରେ ରାଜସ୍ଥାନକୁ ଝଟ୍କା ଉପରେ ଝଟ୍କା ଦେଇ ଚାଲିଥିଲେ।
ଅନ୍ୟପଟୁ ନୀସାମ ମଧ୍ୟ ନାହିଁ ନଥିବା ବିପର୍ଯ୍ୟୟ ଘଟାଇଥିଲେ। ସେଥିପାଇଁ ଅଧିନାୟକ ସଞ୍ଜୁ ସାମସନ (୩)ଙ୍କ ସହ ରାଜସ୍ଥାନର ୫ ଜଣ ବ୍ୟାଟର୍ ଏକଅଙ୍କରେ ସୀମିତ ରହିଯାଇଥିଲେ। ଓପନର ଏଭିନ ଲୁଇସ୍ ସର୍ବାଧିକ ୨୪ ରନ୍ କରିଥିଲେ। ଡେଭିଡ୍ ମିଲର ଦ୍ବିତୀୟ ସର୍ବାଧିକ ୧୫ ରନ୍ର ଯୋଗଦାନ ଦେଇଥିଲେ। ମୁମ୍ବାଇ ବୋଲରଙ୍କ ଘାତକ ତଥା ଅଗ୍ନିବର୍ଷୀ ବୋଲିଂ ପାଇଁ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୯୦ ରନ୍ କରିଥିଲା। ଯାହା ପୂରା ୨୦ ଓଭର ବ୍ୟାଟିଂରେ ଆଇପିଏଲ୍ର ଦ୍ବିତୀୟ ସର୍ବନିମ୍ନ ଦଳଗତ ସ୍କୋର ହୋଇଥିଲା। ପୂରା ୨୦ ଓଭର ବ୍ୟାଟିଂ କରି ଆଇପିଏଲ୍ର ଗତ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ କୋଲକାତା ନାଇଟ୍ ରାଇଡର୍ସ ସର୍ବନିମ୍ନ ୮୪/୮ କରିଥିଲା। ରାଜସ୍ଥାନର ୯୦/୯ କିନ୍ତୁ ଚଳିତ ଋତୁର ସର୍ବନିମ୍ନ ଏବଂ ଆଇପିଏଲ୍ର ୟୁଏଇ ଚରଣର ଚତୁର୍ଥ ସର୍ବନିମ୍ନ ଦଳଗତ ସ୍କୋର ଥିଲା। ୨୦୧୪ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର କରିଥିବା ୭୦ ରନ୍ ଏହିକ୍ରମରେ ସର୍ବନିମ୍ନ ଦଳଗତ ସ୍କୋର ହୋଇ ରହିଛି।