ମୁମ୍ବାଇ ଓ ବେଙ୍ଗଲର ବିଶ୍ବ କୀର୍ତ୍ତିମାନ: ୭୨୫ ରନ୍‌ରେ ଉତ୍ତରାଖଣ୍ଡକୁ ପରାସ୍ତ କଲା ମୁମ୍ବାଇ

୯୨ ବର୍ଷ ତଳର ପ୍ରଥମ ଶ୍ରେଣୀ କ୍ରିକେଟ୍ କୀର୍ତ୍ତିମାନ ଭାଙ୍ଗିଲା, ରଣଜୀ ସେମିରେ ମୁମ୍ବାଇ-ଉତ୍ତରପ୍ରଦେଶ, ବେଙ୍ଗଲ-ମଧ୍ୟପ୍ରଦେଶ

ବେଙ୍ଗାଲୁରୁ: ୪୧ ଥର ରଣଜୀ ଟ୍ରଫି ବିଜେତା ମୁମ୍ବାଇ ଗୁରୁବାର ଏକ ବିଶ୍ବ କୀର୍ତ୍ତିମାନକୁ ନିଜ ନାମରେ କରିନେଇଛି। କ୍ବାର୍ଟର ଫାଇନାଲରେ ୭୨୫ ରନ୍‌ର ବଡ଼ ବ୍ୟବଧାନରେ ଉତ୍ତରାଖଣ୍ଡକୁ ପରାସ୍ତ କରି ୯୨ ବର୍ଷ ତଳର ପ୍ରଥମ ଶ୍ରେଣୀ କ୍ରିକେଟ୍ କୀର୍ତ୍ତିମାନକୁ ପଛରେ ପକାଇଦେଇଛି। ପୂର୍ବରୁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସର୍ବାଧିକ ରନ୍‌ ବ୍ୟବଧାନ ବିଜୟ ସେଫିଲ୍ଡ ସିଲଡ୍ କ୍ରିକେଟ୍‌ ଦଳ ନ୍ୟୁ ସାଉଥ୍ ୱେଲ୍ସ (୬୮୫ ରନ୍‌ରେ ବିଜୟୀ ବନାମ କୁଇନ୍ସଲାଣ୍ଡ, ୧୯୨୯-୩୦) ନାମରେ ଥିଲା। ଏହି ଅବସରରେ ମଧ୍ୟ ଓଡ଼ିଶା ନାମରେ ଥିବା ଅଲୋଡ଼ା ରଣଜୀ ଟ୍ରଫି କୀର୍ତ୍ତିମାନ କଟିଯାଇଛି। ରଣଜୀ ଟ୍ରଫିରେ ସର୍ବାଧିକ ରନ୍‌ ବ୍ୟବଧାନ ବିଜୟ ବେଙ୍ଗଲ୍ ନାମରେ ଥିଲା। ୧୯୫୩-୫୪ ଋତୁରେ ଓଡ଼ିଶାକୁ ବେଙ୍ଗଲ ସର୍ବାଧିକ ୫୪୦ ରନ୍‌ରେ ପରାସ୍ତ କରିଥିଲା। ଏବେ ରଣଜୀ ଟ୍ରଫିରେ ସର୍ବାଧିକ ରନ୍‌ ବ୍ୟବଧାନରେ ହାରିବାର କୀର୍ତ୍ତିମାନ ଓଡ଼ିଶା ବଦଳରେ ଉତ୍ତରାଖଣ୍ଡ ନାମକୁ ଯାଇଛି।

ଆଲୁରର କେଏସସିଏ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ପ୍ରଥମ ପାଳିକୁ ୬୪୭/୭ ଏବଂ ଦ୍ବିତୀୟ ପାଳିକୁ ୨୬୧/୩ରେ ଘୋଷଣା କରିଥିଲା। ଦ୍ବିତୀୟ ପାଳିରେ ଯଜଶ୍ବୀ ଜୟସ୍ବାଲ ଶତକ (୧୦୩) ହାସଲ କରିଥିଲେ। ଅନ୍ୟପକ୍ଷରେ ପ୍ରଥମ ପାଳିରେ ୧୧୪ ରନ୍ କରିଥିବା ଉତ୍ତରାଖଣ୍ଡ ଦ୍ବିତୀୟ ପାଳିରେ ମାତ୍ର ୨୭.୫ ଓଭର ଖେଳି ୬୯ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ଉଭୟ ପାଳିରେ ସାମ୍ସ ମୁଲାନି (୫/୩୯ ଏବଂ ୩/୧୫) ଚମତ୍କାର ବୋଲିଂ କରିଥିଲେ। ଦ୍ବିତୀୟ ପାଳିରେ ମୁଲାନିଙ୍କୁ ତାଳ ଦେଇ ଧବଲ କୁଲକର୍ଣ୍ଣି (୩/୧୧) ଏବଂ ତନୁଶ କୋଟିଆଁ (୩/୧୩) ମଧ୍ୟ ଅବଶିଷ୍ଟ ୱିକେଟ୍ ବାଣ୍ଟିଥିଲେ। ତେବେ ପଦାର୍ପଣରେ ଦ୍ବିଶତକ (୨୫୨) ଅର୍ଜନ କରିଥିବା ଶୁଭେଦ ପାର୍କର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ବିଜୟ ସହ ମୁମ୍ବାଇ ସେମିଫାଇନାଲ୍‌ରେ ଉତ୍ତରପ୍ରଦେଶ ସହ ‌ଖେଳିବା ନିଶ୍ଚିତ ହୋଇଛି।

୧୨୯ ବ‌ର୍ଷର କୀର୍ତ୍ତିମାନ ଭାଙ୍ଗିଲା ବେଙ୍ଗଲ
କେବଳ ମୁମ୍ବାଇ ନୁହେଁ ବେଙ୍ଗଲ ରଣଜୀ ଦଳ ମଧ୍ୟ ଏକ ନୂଆ କୀର୍ତ୍ତିମାନକୁ ନିଜ ନାମରେ କରିଛି। ବେଙ୍ଗାଲୁରୁଠାରେ ଖେଳାଯାଉଥିବା ଝାଡ଼ଖଣ୍ଡ ବିପକ୍ଷ କ୍ବାର୍ଟର ଫାଇନାଲ୍‌ରେ ବେଙ୍ଗଲ ପ୍ରଥମ ପାଳିରେ ବିଶ୍ବାଳ ସ୍କୋର୍‌ (୭୭୩/୭) କରି ଘୋଷଣା କରିଥିଲା। ଏହି ପାଳିରେ ବ୍ୟାଟିଂ କରିଥିବା ସମସ୍ତ ୯ ଜଣ ଅନ୍ୟୁନ ଅର୍ଦ୍ଧଶତକ (୫୦+) ଅର୍ଜନ କରିଥିଲେ। ଦୁଇ ଜଣ ସୁଦୀପ ଘରାମୀ (୧୮୬) ଓ ଅନୁ‌ସ୍ତୁପ ମଜୁମଦାର (୧୧୭) ଶତକ ହାସଲ କରିଥିଲେ। ଗୋଟିଏ ପାଳିରେ ୯ ଜଣ ଅର୍ଦ୍ଧଶତକ ଅତିକ୍ରମ କରିବାରେ ବେଙ୍ଗଲ ୧୨୯ ବର୍ଷ ତଳର କୀର୍ତ୍ତିମାନକୁ ପଛରେ ପକାଇ ଦେଇଥିଲା। ୧୮୯୩ରେ ଅକ୍ଟେଫୋର୍ଡ-କେମ୍ବ୍ରିଜ୍‌ ମିଳିତ ବିଶ୍ବବିଦ୍ୟାଳୟ ବିପକ୍ଷରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳର ୮ ଜଣ ଅର୍ଦ୍ଧଶତକ ହାସଲ କରିଥିଲେ। ଏବେ ବେଙ୍ଗଲ ପ୍ରଥମ ଦଳ ଭାବେ ୯ ଜଣ ଅର୍ଦ୍ଧଶତକ ହାସଲ କରିଛନ୍ତି। ୯ ନମ୍ବର ବ୍ୟାଟ୍ସମ୍ୟାନ୍‌ ଆକାଶ ଦୀପ ୮ ଛକା ସହ ୧୮ ବଲ୍‌ରୁ ଅପରାଜିତ ୫୩* ରନ୍‌ କରିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ଏହି ମ୍ୟାଚ୍‌ରୁ ଫଳାଫଳ ବାହାରିନଥିଲେ ମଧ୍ୟ ବେଙ୍ଗଲର ସେମିଫାଇନାଲ୍ ପ୍ରବେଶ ଏକ ପ୍ରକାର ନିଶ୍ଚିତ ହୋଇଛି। ଦଳର ୭୭୩/୭ ଜବାବରେ ଝାଡ଼ଖଣ୍ଡ ପ୍ରଥମ ପାଳିରେ ବିରାଟ ସିଂହଙ୍କ ଶତକ (୧୧୩*) ସତ୍ତ୍ବେ ୨୯୮ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବେଙ୍ଗଲ ଦ୍ବିତୀୟ ପାଳିରେ ୩ ୱିକେଟ୍ ହରାଇ ୭୬ ରନ୍‌ କରିଛି।

ମଧ୍ୟପ୍ରଦେଶ ୧୦ ୱିକେଟ୍‌ରେ ବିଜୟୀ
ଆଲୁରର ଅନ୍ୟ ଏକ ଗ୍ରାଉଣ୍ଡ୍‌ରେ ଖେଳାଯାଇଥିବା ଚତୁର୍ଥ କ୍ବାର୍ଟର ଫାଇନାଲ୍‌ରେ ପଞ୍ଜାବକୁ ୧୦ ୱିକେଟ୍‌ରେ ପରାସ୍ତ କରି ମଧ୍ୟପ୍ରଦେଶ ସେମିଫାଇନାଲ୍‌କୁ ଉନ୍ନୀତ ହୋଇଛି। ପ୍ରଥମ ପାଳିରେ ପଞ୍ଜାବ ୨୧୯ ରନ୍‌ କରିଥିବା ବେଳେ ଶୁଭମ ଶର୍ମାଙ୍କ ଶତକ (୧୦୨) ବଳରେ ମଧ୍ୟପ୍ରଦେଶ ୩୯୭ ରନ୍‌ କରି ବଡ଼ ଅଗ୍ରଣୀ ନେଇଥିଲା। କୁମାର କାର୍ତ୍ତିକେୟ (୬/୫୦) ଓ ସାଂରାଶ ଜୈନ (୪/୧୦୦) ପଞ୍ଜାବ ଦ୍ବିତୀୟ ପାଳିକୁ ୨୦୩ ରନ୍‌ରେ ଶେଷ କରି ଦେଇଥିଲେ। ଏହା ପରେ ମଧ୍ୟପ୍ରଦେଶ ବିନା କ୍ଷତିରେ ୨୬ ରନ୍‌ ସଂଗ୍ରହ କରି ଚତୁର୍ଥ ଦିନରେ ମ୍ୟାଚ୍‌ ଶେଷ କରିଦେଇଥିଲା। ଗୋଟିଏ ମ୍ୟାଚ୍‌ ଫଳାଫଳ ଆସିନଥିଲେ ମଧ୍ୟ ଜୁନ୍‌ ୧୪ ତାରିଖରୁ ଖେଳାଯିବାକୁ ଥିବା ସେମିଫାଇନାଲ୍ ଦ୍ବୟରେ ମୁମ୍ବାଇ-ଉତ୍ତରପ୍ରଦେଶ ଏବଂ ବେଙ୍ଗଲ-ମଧ୍ୟପ୍ରଦେଶ ମୁକାବିଲା ହେବ।

ସମ୍ବନ୍ଧିତ ଖବର