ମୁମ୍ବାଇ ପ୍ରଥମେ ଫାଇନାଲ୍‌ରେ, କ୍ବାଲିଫାୟାର୍‌-୨ ଖେଳିବ ଦିଲ୍ଲୀ

ଆବୁଧାବି: ଦିଲ୍ଲୀ କ୍ୟାପିଟାଲ୍‌ସକୁ ୫୭ ରନ୍‌ରେ ହରାଇ ୪ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ବ୍ୟାଟିଂ ଓ ବୋଲିଂରେ ଦମଦାର ଖେଳ ଦେଖାଇ ଅଭିଜ୍ଞ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀକୁ ଉଭୟ ପାଳିର ପ୍ରଥମ ଓଭରରୁ ହିଁ ମ୍ୟାଚ୍‌ ଜିତିବାର ସଙ୍କେତ ଦେଇଥିଲା। ୨୦୦ ରନ୍‌ ଛିଡ଼ା କରିବା ପରେ ଦିଲ୍ଲୀ ଖାତା‌ ଖୋଲିବା ପୂର୍ବରୁ ୩ ୱିକେଟ୍ ହରାଇଦେବାରୁ ଆଉ ଫେରି ପାରିନଥିଲା। ୧୪୩/୮ରେ ସୀମିତ ରହି ଆତ୍ମସମର୍ପଣ କରିଥିଲା। ପରାଜୟ ସତ୍ତ୍ବେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ୍ ପହଞ୍ଚିବାର ଦ୍ବିତୀୟ ସୁଯୋଗ ପାଇବ। ରବିବାର କ୍ବାଲିଫାୟାର୍‌-୨ରେ ହାଇଦ୍ରାବାଦ କିମ୍ବା ବାଙ୍ଗାଲୋର୍‌କୁ‌ ଭେଟିବ। ମଙ୍ଗଳବାରର ଫାଇନାଲ୍ ମ୍ୟାଚ୍‌ ପାଇଁ କିନ୍ତୁ ରୋହିତ ଶର୍ମାଙ୍କ ଦଳ ୫ ଦିନ ପୂର୍ବରୁ ଦିନ ଧା‌ର୍ଯ୍ୟ କରି ନେଇଛି।

ଜବାବରେ ଦିଲ୍ଲୀର ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲେ ମୁମ୍ବାଇର ଦୁଇ ଦ୍ରୁତ ବୋଲର ‌ଟ୍ରେଣ୍ଟ୍ ବୋଲ୍ଟ ଓ ଯଶପ୍ରୀତ୍ ବୁମରା। ବୋଲ୍ଟ ପ୍ରଥମ ଓଭରରେ ବିନା ରନ୍‌ରେ ପୃଥ୍ବୀ ସ (୦) ଓ ଶିଖର ଧାୱନ (୦)ଙ୍କୁ ଶିକାର କରି ମେଡେନ୍‌ ଡବଲ୍‌ ୱିକେଟ୍‌ରୁ ଅଭିଯାନ ଆରମ୍ଭ କରିଥିଲେ। ଯଶପ୍ରୀତ ବୁମରା ବି ପଛରେ ନ ପଡ଼ି ଦିଲ୍ଲୀର ଦୁଇ ମୁମ୍ବାଇ ଖେଳାଳି ଅଜିଙ୍କ୍ୟ ରାହାଣେ (୦) ଓ ଶ୍ରେୟସ ଆୟର (୧୨)ଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ୨୦/୪ରେ ସଂଘର୍ଷ କରି ଦିଲ୍ଲୀ ଦୟନୀୟ ସ୍ଥିତିରୁ ବାହାରିବା କାଠିକର ପାଠ ହୋଇଯାଇଥିଲା। କିଛି ସମୟ ପରେ ଏହା ୪୧/୫ରେ ପହଞ୍ଚିଯାଇଥିଲା। ମାର୍କସ ଷ୍ଟୋଇନିସ ଏବଂ ଅକ୍ଷର ପଟେଲ୍‌ ୭୧ ରନ୍‌ର ଭାଗୀଦାରି କରି ଶେଷ ଆଶା ଦେଖାଇଥିଲେ। ବୁମରା କିନ୍ତୁ ନିଜ ଦ୍ବିତୀୟ ସ୍ପେଲ୍‌ର ପ୍ରଥମ ଓଭରରେ ଦୁଇ ଅଷ୍ଟ୍ରେଲୀୟ ଷ୍ଟୋଇନିସ୍ ଓ ଡାନିଏଲଙ୍କୁ ଆଉଟ୍ କରି ଦିଲ୍ଲୀର ଶେଷ ଦୀପ ଲିଭାଇ ଦେଇଥିଲେ। ଆଇପିଏଲ୍‌ ଜୀବନରେ ସପ୍ତମ ଥର ପାଇଁ ଗୋଟିଏ ଓଭରରେ ୨ ୱିକେଟ୍ ନେବା ଗୌରବ ସହିତ ପୁଣି ଥରେ ପର୍ପଲ କ୍ୟାପ୍‌ ଦୌଡ଼ରେ ଶୀର୍ଷରେ ପହଞ୍ଚିଛନ୍ତି। ଭାରତୀୟ ଭାବେ ମଧ୍ୟ ଗୋଟିଏ ଋତୁରେ ସର୍ବାଧିକ ୨୭ ୱିକେଟ୍‌ ନେଇ ଭୁବନେଶ୍ବର କୁମାର (୨୬)ଙ୍କୁ ପଛରେ ପକାଇ ଦେଇଥିଲେ। ଚମତ୍କାର ଭାବେ ମଧ୍ୟ ମିତବ୍ୟୟୀ ବୋଲିଂ ଚିତ୍ର (୪-୦-୧୪-୪) ବି ପାଇଥିଲେ।

ପୂର୍ବରୁ ପ୍ରତ୍ୟାବର୍ତନର ଦ୍ବିତୀୟ ପାଳିରେ ବି ଅଧିନାୟକ ରୋହିତ ଶର୍ମା ବିଫଳ ହୋଇଥିଲେ। ଉପଅଧିନାୟକ କିରଣ ପୋଲାର୍ଡ ବି ସମାନ ଦଶା ଭୋଗିଥିଲେ। ଉଭୟ ଖାତା ଖୋଲିପାରିଲେ ନାହିଁ। ତଥାପି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ କ୍ବାଲିଫାୟାରରେ ମୁମ୍ବାଇ ୨୦୦ ରନ୍‌ର ଆହ୍ବାନ ଭରା‌ ସ୍କୋର୍‌ ଛିଡ଼ା କରିନେଇଥିଲା। କ୍ବିଣ୍ଟନ୍ ଡି’କକ୍‌ ପାୱାର ପ୍ଲେ ଭିତର କଟକଣାରୁ ଫାଇଦା ଉଠାଇବା ପରେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଅର୍ଧଶତକୀୟ ପାଳି ଖେଳିଥିଲେ। ଡେଥ୍‌ ଓଭର ବେଳକୁ କିନ୍ତୁ ଈଶାନ କିଷନ ଏବଂ ହାର୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ବଡ଼ ସ୍କୋର୍‌ ଛିଡ଼ା କରିଦେଇଥିଲେ। ରୋହିତ ଶର୍ମାଙ୍କୁ ଅଶ୍ବିନ୍ ନିଜ ପ୍ରଥମ ଓଭରରେ ଲେଗ୍‌ବି‌ଫୋର ୱିକେଟ୍ କରାଇ ନେଇଥିଲେ। ଦକ୍ଷିଣ ଆଫ୍ରିକୀୟ ବାମହାତୀ ବ୍ୟାଟସମ୍ୟାନ୍‌ ଡି’କକ୍‌ ୨୫ ବଲ୍‌ରୁ ୪୦ ରନ୍ କରି ଅଶ୍ବିନଙ୍କ ଦ୍ବିତୀୟ ଶିକାର ହୋଇଥିଲେ। କିରଣ ପୋଲାର୍ଡଙ୍କୁ ତୃତୀୟ ଶିକାର କରିବା ସହ ଅଶ୍ବିନ୍‌ ୪-୦-୨୯-୩ ବୋଲିଂ ଚିତ୍ର ପାଇଥିଲେ। ସୂର୍ଯ୍ୟକୁମାର ଯାଦବ ୩୬ ବଲ୍‌ରୁ ଅର୍ଧଶତକ ପୂର୍ଣ୍ଣ କରିବା ପରେ ଅନରିକ୍ ନର୍ଖିୟାଙ୍କ ଶିକାର ହୋଇଥିଲେ। ଏହା ପରେ ଝାଡ଼ଖଣ୍ଡ ଯୁବ ତାରକା ଈଶାନ କିଷନ (୫୫*, ୩୦ ବଲ୍‌) ଏବଂ ହାର୍ଦିକ ପାଣ୍ଡ୍ୟା (୩୭*, ୧୪ ବଲ୍‌) କିନ୍ତୁ ଦିଲ୍ଲୀ ହାତରୁ ଏକପ୍ରକାର ମ୍ୟାଚ୍‌ ଛଡ଼ାଇନେବା ଭଳି ସ୍କୋର୍‌ କରିନେଇଥିଲେ। ଏମାନଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ମୁମ୍ବାଇ ଶେଷ ୩ ଓଭରରେ ୫୫ ରନ୍‌ ଯୋଡ଼ିଥିଲା। ଏମାନଙ୍କ ପ୍ରହାରର ଶିକାର ହୋଇଥିଲେ ଦୁଇ ଦକ୍ଷିଣ ଆଫ୍ରିକୀୟ ବୋଲର୍‌ ଅନରିକ୍‌ ନର୍ଖିୟା (୧/୫୦) ଏବଂ କାଗିସୋ ରବାଦା (୦/୪୨)।

ସମ୍ବନ୍ଧିତ ଖବର