ଆଜି ମୁମ୍ବାଇ-ଏଟିକେ ଟ୍ରଫି ଲଢ଼େଇ

ଗୋଆ : ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ୧୧୪ ମ୍ୟାଚ୍‌, ୨୯୫ ଗୋଲ୍‌, ୮୭୮୧୧ ପାସ୍‌, ୭୩୦୭ ଟାକେଲ୍‌ ଦେଖିବାକୁ ମିଳିଛି। ରବିବାର ଏହି ପ୍ରତିଯୋଗିତାର ଶେଷ ମ୍ୟାଚ୍‌ ଖେଳାଯିବ। ଫତୋର୍ଦା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟ୍ରଫି ଲଢ଼େଇରେ ମୁମ୍ବାଇ ସିଟି ଏଫ୍‌ସି ଓ ଏଟିକେ ମୋହନବାଗାନ ଏଫ୍‌ସି ମୁହାଁମୁହିଁ ହେବେ। ଉଭୟ ଦଳ ଲିଗ୍‌ ପର୍ଯ୍ୟାୟରେ ୧୨ ଲେଖାଏଁ ବିଜୟ ପାଇ ‌ପଏଣ୍ଟ୍‌ ତାଲିକାର ଶୀର୍ଷରେ ରହି ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ସେମିଫାଇନାଲ୍‌ରେ ମୁମ୍ବାଇ ସିଟି ପେନାଲ୍‌ଟି ସୁଟ୍‌ ଆଉଟ୍‌ରେ ଗୋଆକୁ ହରାଇଥିଲା। ହେଲେ ଲିଗ୍‌ ପର୍ଯ୍ୟାୟରେ ଏହି ଦଳ ଏଟିକେକୁ ଦୁଇ ଥର ମାତ୍‌ ଦେଇଥିବାରୁ ଫାଇନାଲ୍‌ରେ ମୁମ୍ବାଇ ପୂରା ଆତ୍ମବିଶ୍ବାସ ସହ ପଡ଼ିଆକୁ ଓହ୍ଲାଇବ। ମୁମ୍ବାଇ ସିଟିର ଏହା ପ୍ରଥମ ଫାଇନାଲ୍‌ ହୋଇଥିଲା ବେଳେ ଏହାର ପ୍ରଶିକ୍ଷକ ସର୍ଜିଓ ଲୋବେରାଙ୍କ ଦ୍ବିତୀୟ। ୨୦୧୮-୧୯ରେ ଲୋବେରାଙ୍କ ପ୍ରଶିକ୍ଷଣରେ ଏଫ୍‌ସି ଗୋଆ ଫାଇନାଲ୍‌ରେ ପହଞ୍ଚିଥିଲା ଏବଂ ବେଙ୍ଗାଲୁରୁଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ‘‘ଏଟିକେ ଭଲ ଦଳ ଏବଂ ତାଙ୍କ ପାଖରେ ସଂପ୍ରତି ଉଚ୍ଚସ୍ତରୀୟ ଖେଳାଳି ରହିଛନ୍ତି। କିନ୍ତୁ ଆମେ ଆମ ଖେଳ ଉପରେ ଅଧିକ ନଜର ଦେବୁ। ବିପକ୍ଷ ଦଳ ଉପରେ କମ୍‌ ଚିନ୍ତା କରିବୁ ଏବଂ ଶତପ୍ରତିଶତ ଦେବାକୁ ଉଦ୍ୟମ କରିବୁ’’ ବୋଲି ଲୋବେରା କହିଛନ୍ତି।

ଅନ୍ୟପକ୍ଷରେ ଆଣ୍ଟୋନିଓ ହାବାସଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଏଟିକେ ସେମିଫାଇନାଲ୍‌ରେ ନର୍ଥଇଷ୍ଟ୍‌ ୟୁନାଇଟେଡ୍‌କୁ ପରାସ୍ତ କରିଥିଲା। ପୂର୍ବରୁ ଏହି ଦଳ ଦୁଇ ଥର ବିଜେତା ଟ୍ରଫି ମଧ୍ୟ କରାୟତ୍ତ କରିଛି। ଫଳରେ ଦଳ ପୁଣି ଥରେ ଟ୍ରଫି ଜିତି କୀର୍ତ୍ତିମାନ କରିବା ଲକ୍ଷ୍ୟ ରଖିଛି। ‘‘ଆମ ଦଳ ପ୍ରତିଦ୍ବନ୍ଦିତା କରିବାକୁ ପ୍ରସ୍ତୁତ ଅଛି ଏବଂ ବିପକ୍ଷ ଦଳକୁ ହରାଇବାର ଭାବନା ରଖିଛି। ମୋ ଦଳ ବିଜୟ ଲକ୍ଷ୍ୟରେ ରହିଛି। ମ୍ୟାଚ୍‌ ଉପରେ ପୂର୍ବ ଫଳାଫଳର ପ୍ରଭାବ ପଡ଼ିବନି। ଆମେ ପୂର୍ବ ମ୍ୟାଚ୍‌କୁ ବିଶ୍ଲେଷଣ କରିଛୁ ସେହି ଅନୁଯାୟୀ ଖେଳିବୁ’’ ବୋଲି କହିଛନ୍ତି ହାବାସ।

ସମ୍ବନ୍ଧିତ ଖବର