ଦିଲ୍ଲୀକୁ ମାତ୍ ଦେ‌ଲା ମୁମ୍ବାଇ

ଦିଲ୍ଲୀ: ଚଳିତ ଆଇପିଏଲ୍‌ର ୩୪ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୪୦ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଗୁରୁବାର ମୁମ୍ବାଇ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ପ୍ରତିପକ୍ଷ ଦିଲ୍ଲୀ ନିମୟିତ ବ୍ୟବଧାନରେ ୱିକେଟ୍ ହରାଇ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ମାତ୍ର ୧୨୮ ରନ୍ କରି ପାରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ (୨୦) ଓ ଶିଖର ଧାୱନ (୩୫) ପ୍ରଥମ ୱିକେଟ୍‌ରେ ୪୯ ରନ୍ ଯୋଡ଼ିଥିଲେ। ମଧ୍ୟକ୍ରମ ବିପର୍ଯ୍ୟୟ କିନ୍ତୁ ଦିଲ୍ଲୀ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପାଣ୍ଡ୍ୟା ଭାଇ କ୍ରୁନାଲ ଓ ହାର୍ଦିକଙ୍କ ଧମାଲ ପରେ ବାମହାତୀ ସ୍ପିନର ରାହୁଲ ଚହର (୩/୧୯) ଓ ଦ୍ରୁତ ବୋଲର ଯଶପ୍ରୀତ ବୁମରା (୪-୦-୧୮-୨) ମୁମ୍ବାଇକୁ ସହଜ ବିଜୟ ଉପହାର ଦେଇଥିଲେ। ମୁମ୍ବାଇ ନବମ ମୁକାବିଲାରୁ ଷଷ୍ଠ ବିଜୟ ପାଇ ପଏଣ୍ଟ ତାଲିକାର ଦ୍ବିତୀୟକୁ ଉନ୍ନୀତ ହୋଇଥିଲା। ଅପରପକ୍ଷେ ଦିଲ୍ଲୀ ସମାନ ସଂଖ୍ୟକ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଥିଲା। ହାର୍ଦିକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ମୁମ୍ବାଇ ତା’ ପ୍ରଥମ ୱିକେଟ୍ ରୂପରେ ଅଧିନାୟକ ରୋହିତ ଶର୍ମା (୩୦ ରନ୍, ୨୨ ବଲ୍, ୩ ଚୌକା, ୧ ଛକା)ଙ୍କୁ ହରାଇଥିଲା। ଭଲ ବ୍ୟାଟିଂ କରୁଥିବା ରୋହିତଙ୍କୁ ଅମିତ ମିଶ୍ରା ଲେନ୍ଥବଲ୍‌ରେ ଚକ୍‌ମା ଦେଇ କ୍ଲିନ୍ ବୋଲ୍ଡ କରି ଦେଇଥିଲେ। ତଳୁଆ ରହିଥିବା ବଲ୍‌କୁ ରୋହିତ କ୍ରସ୍ ବ୍ୟାଟ୍‌ରେ ଖେଳିଲା ବେଳେ ବଲ୍ ତାଙ୍କ ବ୍ୟାଟ୍ ଓ ପ୍ୟାଡ୍ ଭିତରେ ଯାଇ ଷ୍ଟମ୍ପ ଭାଙ୍ଗି ଦେଇଥିଲା। ୫ ରନ୍ ପରେ ବେନ୍ କଟିଂ (୨)ଙ୍କୁ ସେହି ଲେନ୍ଥ ବଲ୍‌ରେ ଏଲବିଡବ୍ଲ୍ୟୁ କରି ଅକ୍ଷର ପଟେଲ ମୁମ୍ବାଇକୁ ଦ୍ବିତୀୟ ଝଟ୍‌କା ଦେଇଥିଲେ। କ୍ବିଣ୍ଟନ୍ ଡି’ କକ୍ (୩୫ ରନ୍, ୨୭ ବଲ୍, ୨ ଚୌକା, ୨ ଛକା) ଓ ସୂର୍ଯ୍ୟକୁମାର ଯାଦବ (୨୬ ରନ୍, ୨୭ ବଲ୍, ୨ ଚୌକା)ଙ୍କ ମଧ୍ୟରେ ହୋଇଥିବା ଭୁଲ ବୁଝାମଣା ପାଇଁ ଦଶମ ଓଭରରେ ଦିଲ୍ଲୀକୁ ତୃତୀୟ ସଫଳତା ମିଳିଥିଲା। ଡି’କକ୍‌ ରନ୍‌ ଆଉଟ୍‌ ହୋଇଯାଇଥିଲେ। ମୁମ୍ବାଇ ପାଳିର ମୁଖ୍ୟ ଆକର୍ଷଣ ଥିଲା ପାଣ୍ଡ୍ୟା ଭାଇ କ୍ରୁନାଲ (୩୭* ରନ୍, ୨୬ ବଲ୍, ୫ ଚୌକା) ଓ ହାର୍ଦିକ (୩୨ ରନ୍, ୧୫ ବଲ୍, ୨ ଚୌକା, ୩ ଛକା)ଙ୍କ ଧମାକାଦାର ବ୍ୟାଟିଂ। ଉଭୟ ମିଳିତ ଭାବେ ୨୬ ବଲ୍‌ରୁ ୫୪ ରନ୍ ଅମଳ କରିଥିଲେ। ସେଥିପାଇଁ ମୁମ୍ବାଇ ପାଳି ୧୬୮/୫ରେ ପହଞ୍ଚି ଯାଇଥିଲା।

ସଂକ୍ଷିପ୍ତ ସ୍କୋର: ମମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୬୮/୫ (କ୍ରୁନାଲ ପାଣ୍ଡ୍ୟା ୩୭*, କ୍ବିଣ୍ଟନ୍ ଡି’ କକ୍ ୩୫, ହାର୍ଦିକ ପାଣ୍ଡ୍ୟା ୩୨, ରୋହିତ ଶର୍ମା ୩୦, ସୂର୍ଯ୍ୟ କୁମାର ଯାଦବ ୨୬, କାଗିସୋ ୨/୩୮, ଅକ୍ଷର ପଟେଲ ୧/୧୭, ଅମିତ ମିଶ୍ରା ୧/୧୮)। ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୧୨୮/୯ (ଶିଖର ଧାୱନ ୩୫, ଅକ୍ଷର ପଟେଲ ୨୬, ପୃଥ୍ବୀ ସ’ ୨୦, ରାହୁଲ ଚହର ୩/୧୯, ଯଶପ୍ରୀତ ବୁମରା ୨/୨୦)।

ସମ୍ବନ୍ଧିତ ଖବର