ମୁମ୍ବାଇ: ଉତ୍‌ଥାନ ପତନ ଦେଇ ଗତି କରୁ୍‌ଥିବା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଋତୁରେ ପ୍ରଥମ ଥର କ୍ରମାଗତ ବିଜୟ ପାଇଛି। ଗୁରୁବାର ଏହି ୫ ଥର ବିଜେତା ଦଳ ୪ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ବାରମ୍ବାର ବିଫଳତା ପରେ ଇଂଲିସ୍ ଅଲ୍‌ରାଉଣ୍ଡର୍‌ ୱିଲ୍ ଜ୍ୟାକ୍ସ (୨/୧୪ ଏବଂ ୨୬ ବଲ୍‌ରୁ ୩୬ ରନ୍) ହିଁ ନିର୍ଣ୍ଣାୟକ ସାଜିଛନ୍ତି। ମୁମ୍ବାଇ ସପ୍ତମରୁ ତୃତୀୟ ବିଜୟ ପାଇଥିବାବେଳେ ହାଇଦ୍ରାବାଦ ସପ୍ତମରୁ ପଞ୍ଚମ ପରାଜୟ ବରଣ କରିଛି।

Advertisment

ହାର୍ଦିକ ପାଣ୍ଡ୍ୟା ଟସ୍ ଜିତିବା ସହ ୱାଙ୍ଖ୍‌ଡେରେ ମୁମ୍ବାଇ ଇଣ୍ଡିଆନ୍ସ ‌ବୋଲିଂ ପସନ୍ଦ କରିଥିଲା। ଘରୋଇ ଦଳ ମଧ୍ୟ ଏଠାରେ କ୍ରମାଗତ ୧୩ ମ୍ୟାଚ୍‌ରେ ଟସ୍ ଭାଗ୍ୟକୁ ନିଜ ପକ୍ଷରେ ପାଇଥିଲା। ପୂର୍ବ ୧୨ ମ୍ୟାଚ୍‌ରେ କିନ୍ତୁ ପ୍ରଥମେ ବ୍ୟାଟିଂ ଦଳ ୬-୬ ସ୍ଥିତିରେ ଥିଲେ। ତଥାପି କାକର ପ୍ରଭାବରୁ ଫାଇଦା ଉଠାଇବାକୁ ହାର୍ଦିକ ବୋଲିଂ କରିଥିଲେ। ହାଇଦ୍ରାବାଦ ପ୍ରତିଟି ରନ୍‌ ପାଇଁ ସଂଘ‌ର୍ଷ କରିଥିଲା। ପ୍ରାରମ୍ଭିକ ଯୋଡ଼ି ଅଭିଷେକ ଶର୍ମା ଓ ଟ୍ରାଭିସ୍ ହେଡ୍‌ ପାୱାର ପ୍ଲେ ଭିତରେ ବିନା କ୍ଷତିରେ ୪୬ ରନ୍ ଉଠାଇଥିଲେ ମଧ୍ୟ ମିଡଲ୍‌ ଓଭରରେ ବିଶେଷ ପ୍ରଭାବ ପକାଇପାରିନଥିଲେ। ଅଭିଷେକ ୨୮ ବଲ୍‌ରୁ ୪୦, ହେଡ୍‌ ୨୯ ବଲ୍‌ରୁ ୨୮ ରନ୍‌ କରି ଯଥାକ୍ରମେ ହାର୍ଦିକ ପାଣ୍ଡ୍ୟା ଓ ୱିଲ୍ ଜ୍ୟାକ୍ସଙ୍କ ଶିକାର ହୋଇଥିଲେ। ଶତକରୁ ଚଳିତ ଋତୁ ଆରମ୍ଭ କରିବା ପରଠାରୁ ଈଶାନ କିଶନ୍ (୨)ଙ୍କ ବିଫଳତା ବି ଆହୁରି ଲମ୍ବି ଯାଇଥିଲା। ଜ୍ୟାକ୍ସଙ୍କୁ ଆଗକୁ ବଢ଼ି ଖେଳିବା ଚକ୍କରରେ ଷ୍ଟମ୍ପିଂ ହୋଇଯାଇଥିଲେ ସେ। ନୀତୀଶ ରେଡ୍ଡୀ ୨୧ ବଲ୍‌ରୁ ୧୯ ରନ୍ କରିଥିଲେ। ବୁମରାଙ୍କ ଦ୍ବାରା ବୋଲ୍ଡ ହେବା ପୂର୍ବରୁ ହେନରିକ୍ କ୍ଲାସେଁ ୨୮ ବଲ୍‌ରୁ ୩୭ ରନ୍ ସଂଗ୍ରହ କରିଥିଲେ। ‌୨୦ତମ ଓଭର ବୋଲିଂ କରିଥିବା ହାର୍ଦିକ ପାଣ୍ଡ୍ୟାଙ୍କଠାରୁ ଅନିକେତ ବର୍ମା (୮ ବଲ୍‌ରୁ ୧୮* ରନ୍) ଏବଂ ପ୍ୟାଟ୍ କମିନ୍ସ (୪ ବଲ୍‌ରୁ ୮* ରନ୍) ୨୨ ରନ୍ ଆଦାୟ କରିବାରୁ ହାଇଦ୍ରାବାଦ ୧୬୨ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିଥିଲା। ମୁମ୍ବାଇ ବ୍ୟାଟର୍‌ ଦଳଗତ ଭାବେ ଭଲ ଖେଳି ବିଜୟ ଲକ୍ଷ୍ୟକୁ ୧୧ ବଲ୍ ପୂର୍ବରୁ ହାସଲ କରି ନେଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୬୨/୫ (ଅଭିଷେକ ଶର୍ମା-୪୦, ହେନରିକ୍ କ୍ଲାସେଁ-୩୭, ଟ୍ରାଭିସ୍ ହେଡ୍‌-୨୮, ନୀତୀଶ କୁମାର ରେଡ୍ଡୀ-୨୯, ଅନିକେତ ବର୍ମା-୧୮*, ପ୍ୟାଟ୍ କମିନ୍ସ-୮*, ୱିଲ୍ ଜ୍ୟାକ୍ସ-୨/୧୪, ଯଶପ୍ରୀତ୍ ବୁମରା-୧/୨୧, ଟ୍ରେଣ୍ଟ୍ ବୋଲ୍ଟ-୧/୨୯, ହାର୍ଦିକ ପାଣ୍ଡ୍ୟା-୧/୪୨)। ମୁମ୍ବାଇ ଇଣ୍ଡିଆନ୍ସ ୧୮.୧ ଓଭରରେ ୧୬୬/୬ (ୱିଲ୍ ଜ୍ୟାକ୍ସ-୩୬, ରୢାନ୍ ରିକେଲଟନ୍‌-୩୧, ରୋହିତ ଶର୍ମା-୨୬, ସୂର୍ଯ୍ୟକୁମାର ୟାଦବ-୨୬, ହାର୍ଦିକ ପାଣ୍ଡ୍ୟା-୨୧, ତିଳକ ବର୍ମା-୨୧*, ପ୍ୟାଟ୍ କମିନ୍ସ-୩/୨୬, ଈଶାନ ମାଲିଙ୍ଗା-୨/୩୬, ହର୍ଷଲ୍ ପଟେଲ୍‌-୧/୩୧)।