ଆଇପିଏଲ୍ : କୋଲକାତାକୁ ୧୦ ରନରେ ହରାଇ ବିଜୟ ଧାରାକୁ ଫେରିଲା ମୁମ୍ବାଇ

ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୧ର ୫ମ ମ୍ୟାଚରେ  ଆଜି ମୁମ୍ବାଇ ଇଣ୍ଡିଆନ୍‌ସ କୋଲକାତା ନାଇଟ୍‌ ରାଇଡର୍ସକୁ ୧୦ ରନରେ  ହରାଇ ତାର ବିଜୟ ଯାତ୍ରା ଆରମ୍ଭ କରିଛି। ମାତ୍ର ୧୫୩ ରନର ବିଜୟ ଲକ୍ଷ୍ୟକୁ ହାସଲ କରି ନ ପାରି ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା କୋଲକାତା ଦଳ।

କୋଲକାତା ପକ୍ଷରୁ ନୀତିଶ ରାଣା ଓ ଶୁବମନ୍ ଗିଲ୍ ଇନିଂସ ଆରମ୍ଭ କରି ସାବଧାନତାର ସହ ସ୍କୋରକୁ ଆଗକୁ ବଢ଼ାଇଥିଲେ। ମାତ୍ର ଗିଲ୍ ୨୪ ବଲ ଖେଳି ୩୩ ରନ କରିଥିବା ବେଳେ ରାହୁଲ୍ ଚହରଙ୍କ ବଲରେ ପୋଲାର୍ଡଙ୍କୁ କ୍ୟାଚ ଦେଇ ଆଉଟ୍ ହୋଇଯାଇଥିଲେ। ଏହାପରେ ରାଣା ଗୋଟିଏ ପଟେ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟ ପଟେ ରାହୁଲ୍ ତ୍ରିପାଠୀ (୫), ଅଧିନାୟକ ଇଅନ୍ ମୋର୍ଗାନ (୭), ଆନ୍ଦ୍ରେ ରସେଲ୍ ( ୯) ଓ ପାଟ୍ କମିନ୍ସ (୦) ଶସ୍ତାରେ ଆଉଟ୍ ହୋଇଯାଇଥିଲେ। ମାତ୍ର ନୀତିଶ ରାଣା ୫୭ ରନ୍ କରିଥିବା ସମୟରେ ଆଉଟ୍ ହେବା ପରେ ଦଳର ବିଜୟ ଆଶା ମଉଳି ଯାଇଥିଲା। ମୁମ୍ବାଇ ପକ୍ଷରୁ ରାହୁଲ୍ ଚହର ସର୍ବାଧିକ ୪ଟି ଉଇକେଟ୍ ହାସଲ କରିଥିଲେ।

ଚେନ୍ନାଇସ୍ଥିତ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଇଅନ୍‌ ମୋର୍ଗାନଙ୍କ ନେତୃତ୍ବରେ ଖେଳୁଥିବା କୋଲକାତା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ରୋହିତ ଶର୍ମାଙ୍କ ବାହିନୀ ମୁମ୍ବାଇ ଇଣ୍ଡିଆନ୍‌ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିଥିଲା। ମୁମ୍ବାଇ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୨ ରନ୍‌ ସଂଗ୍ରହ କରିବା ପରେ କୋଲକାତାକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୫୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଏହି ମ୍ୟାଚ୍‌ରେ କୋଲକାତା ଟିମ୍‌ର ଆନ୍ଦ୍ରେ ରସେଲ୍‌ ସର୍ବାଧିକ ୫ଟି ୱିକେଟ୍‌ ନେଇଥିଲେ।

ମୁମ୍ବାଇ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଓ କ୍ବିଣ୍ଟନ୍‌ ଡି’କକ୍‌ ମୁମ୍ବାଇର ଇନିଂସ ଆରମ୍ଭ କରିଥିଲେ। ରୋହିତ ୩୨ଟି ବଲ୍‌ ଖେଳି ୪୩ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଡି’କକ୍‌ ୬ଟି ବଲ୍‌ ଖେଳି ମାତ୍ର ୨ ରନ୍‌ ଦଳ ପାଇଁ ଯୋଡ଼ିଥିଲେ। ସେ ବରୁଣ ଚକ୍ରବର୍ତ୍ତୀଙ୍କ ଶୁବମନ୍‌ ଗିଲଙ୍କୁ କ୍ୟାଚ୍‌ ଦେଇ କୋଲକାତାର ପ୍ରଥମ ଶିକାର ହୋଇଥିଲେ। ଯୁବ ବ୍ୟାଟ୍‌ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ସର୍ବାଧିକ ୫୬ ରନ୍‌ ସଂଗ୍ରହ କରିଥିଲେ। ସେ ୩୬ଟି ବଲ ଖେଳି ୭ଟି ଚୌକା ଓ ୨ଟି ଛକା ମାରିଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍‌ରୁ ୧୫ ରନ୍‌ ମିଳିଥିଲା। ପାଣ୍ଡ୍ୟା ପ୍ରସିଦ୍ଧ କୃଷ୍ଣାଙ୍କ ବଲରେ ଆଉଟ୍‌ ହେବା ପୂର୍ବରୁ ୧୭ଟି ବଲ ଖେଳି ୨ଟି ଚୌକା ମାରିଥିଲେ।

ମୁମ୍ବାଇ ଇଣ୍ଡିଆନ୍‌ସର ଅନ୍ୟ ବ୍ୟାଟ୍‌ସମ୍ୟାନଙ୍କର ପ୍ରଦର୍ଶନ ଉତ୍ସାହଜନକ ନ ଥିଲା। କୋଲକାତା ନାଇଟ୍‌ ରାଇଡର୍ସର ବୋଲରମାନେ ରଣନୀତି ମୁତାବକ ବୋଲିଂ କରିଥିଲେ। କୋଲକାତା ପାଇଁ ପ୍ୟାଟ୍‌ କମିନ୍ସ ୨ଟି ୱିକେଟ୍‌ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ସାକିବୁଲ ହାସନ୍‌ ଓ ପ୍ରସିଦ୍ଧ କୃଷ୍ଣଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର