ମୁମ୍ବାଇକୁ ମଧ୍ୟକ୍ରମ ନିରାଶ କରୁଛି:-ସୁନୀଲ ଗାଭାସ୍କର

ଆଇପିଏଲ୍‌ର ପ୍ରଥମ ସପ୍ତାହରେ ଦେଖିବାକୁ ମିଳିଥିବା ଧାରା କ୍ରମଶଃ ବଦଳିବାରେ ଲାଗିଛି। ଆଗରୁ ପିଛା କରୁଥିବା ଦଳ ବିଜୟୀ ହେଉଥିଲା ବେଳେ ଏବେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଜିତିବା ଆରମ୍ଭ କରିଛନ୍ତି। ଅବଶ୍ୟ ଏହା ସେମାନେ କେତେ ରନ୍‌ କରୁଛନ୍ତି ତା ଉପରେ ନିର୍ଭର କରୁଛି। ଯଦି ସେମାନେ ଦ୍ରୁତ ଆରମ୍ଭ କରୁଛନ୍ତି, ୨୦୦ ରନ୍‌ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଏଭଳି ପରିସ୍ଥିତିରେ ପିଛା କରୁଥିବା ଦଳକୁ ଓଭର ପିଛା ୧୦ରୁ ଅଧିକ ଲେଖାଏଁ ରନ୍‌ ସଂଗ୍ରହ କରିବାକୁ ପଡ଼ିଥାଏ। ଗୋଟିଏ ଦୁଇଟି ଓ୍ଵିକେଟ୍‌ ହରାଇବା ପରେ ଯାହା ୧୨ ଉପରକୁ ଚାଲି ଯାଇଥାଏ। ଫଳରେ ଚାପ ଆହୁରି ବଢ଼ି ଯାଇଥାଏ। ଏମିତି ସ୍ଥିତିରେ ଦଳକୁ ବିଜୟ ରେଖା ପାର କରିବା ଭଳି ଖେଳାଳି ଖୁବ୍‌ କମ୍‌ ଅଛନ୍ତି।
କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନି ଏହାର ଖୁବ୍‌ ନିକଟତର ହୋଇ ଯାଇଥିଲେ। ତାଙ୍କୁ ବିଶାଳ ଛକା ମାରୁଥିବାର ଦେଖିବା ବି ମନକୁ ବହୁତ ଖୁସି କରି ଦେଇଥିଲା। ତଥାପି ରବିବାର ଚେନ୍ନାଇର ବିଜୟ ରଥ ଅଟକି ଯାଇଥିଲା। ହେଲେ ସନ୍‌ରାଇଜର୍ସ ହାଇଦ୍ରାବାଦର ବିଜୟ ଧାରା ଅତୁଟ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ଅନ୍ୟପକ୍ଷରେ ଅଭ୍ୟାସଗତ ଭାବେ ମନ୍ଥର ଆରମ୍ଭ କରିଛି। ସେଥିପାଇଁ ପଏଣ୍ଟ ଖାତା ଖୋଲିବାକୁ ସେମାନେ ଏବେ ପୂରା ବ୍ୟଗ୍ର ଥିବେ। ଏଥିପାଇଁ ସେମାନଙ୍କୁ ତୁଳନାତ୍ମକ ଭାବେ ଭଲ ବ୍ୟାଟିଂ କରିବାକୁ ହେବ। ଦିଲ୍ଲୀ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କୁ ପାଳି ଆରମ୍ଭ କରିବାକୁ କହିବା ସେମାନଙ୍କ ପାଇଁ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇଥିଲା। ଏପରିକି ଏଭିନ ଲୁଇସ୍‌ ଓ ଈଶାନ କିଷନ ମଧ୍ୟ ଦ୍ରୁତ ରନ୍‌ କରିଥିଲେ। ସେମାନେ ୨୦୦ ରନ୍‌ କଲା ଭଳି ସ୍ଥିତିରେ ଥିଲେ । ମଧ୍ୟକ୍ରମ କିନ୍ତୁ ସେମାନଙ୍କୁ ପୁଣି ଥରେ ନିରାଶ କରିଥିଲା। ମୁଁ କହିବି ଖରାପ ସଟ୍‌ ଚୟନ ମୁମ୍ବାଇ ପାଇଁ କାଳ ହୋଇଥିଲା।
ସବୁ ଦଳ ଏବେ ଜାଣି ଗଲେଣି ଯେ ହାର୍ଦିକ ପାଣ୍ଡ୍ୟା ସ୍ପିନ୍‌ ବୋଲିଂକୁ ଭଲ ଖେଳନ୍ତି। ସେଥିପାଇଁ ସମସ୍ତେ ତାଙ୍କୁ ଦ୍ରୁତ ବୋଲିଂ କରି ଅଡ଼ୁଆରେ ପକାଉଛନ୍ତି। ପାଓ୍ଵାର ପ୍ଲେରେ ତାଙ୍କୁ ବୋଲିଂ ଦେବା ବି ମହଙ୍ଗା ସାବ୍ୟସ୍ତ ହୋଇପାରେ। ବଡ଼ ଭାଇ କ୍ରୁନାଲ କିନ୍ତୁ ନିଜ ବାମହାତୀ ସ୍ପିନ ବୋଲିଂରେ ପ୍ରତିପକ୍ଷକୁ ଘାଇଲା କରିବାର ଦକ୍ଷତା ରଖନ୍ତି। ବହୁତ ବଡ଼ ବଡ଼ ସଟ୍‌ ନ ଖେଳିଲେ ମଧ୍ୟ ଉପଯୋଗୀ ବ୍ୟାଟିଂ ବି କରନ୍ତି।
ରବିବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆରସିବି ଭଲ ବ୍ୟାଟିଂ କଲା। ତେବେ କୋହଲି ଏବଂ ଡିଭିଲିୟର୍ସ ବ୍ୟବଧାନରେ ପାଭିଲିୟନ ଫେରିବା ସେମାନଙ୍କୁ ଅଡ଼ୁଆରେ ପକାଇଥିଲା। ସେମାନଙ୍କ ଶ୍ରେଷ୍ଠ ୪ ବ୍ୟାଟ୍ସମ୍ୟାନ୍‌ ପ୍ରତିଯୋଗିତାର ସବୁ ଦଳଠାରୁ ଶକ୍ତିଶାଳୀ। ହେଲେ ଶୀର୍ଷକ୍ରମରୁ ଯେତିକି ରନ୍‌ ମିଳିବା କଥା ସେତିକି ବେଙ୍ଗାଲୁରୁକୁ ଏ ପର୍ଯ୍ୟନ୍ତ ମିଳି ନାହିଁ। ଓ୍ଵାଙ୍ଖଡେରେ ବ୍ୟାଟିଂ କରିବାକୁ ଉଭୟ କୋହଲି ଓ ଡିଭିଲିୟର୍ସ ଭଲ ପାଆନ୍ତି। ସେମାନେ ଯଦି ତାଳ ପାଇ ଯାଆନ୍ତି ତାହାଲେ ମଙ୍ଗଳବାର ମୁମ୍ବାଇକୁ ପଏଣ୍ଟ ଖାତା ଖୋଲିବାକୁ ଆଉ ଏକ ମ୍ୟାଚ୍‌ ପାଇଁ ଆପେକ୍ଷା କରିବାକୁ ପଡ଼ିପାରେ। (ପିଏମଜି/ଇଏସ୍‌ପି)

ସମ୍ବନ୍ଧିତ ଖବର