ମୁମ୍ବାଇର ହ୍ୟାଟ୍ରିକ୍‌ ବିଜୟ

୧୦୨ ରନ୍‌ରେ ହାରିଲା କୋଲ୍‌କାତା

କୋଲକାତା: ମୁମ୍ବାଇ ହ୍ୟାଟ୍ରିକ୍‌ ବିଜୟ ସହିତ କୋଲ୍‌କାତାକୁ ଚିନ୍ତାରେ ପକାଇ ଦେଲା। ଆଇପିଏଲ୍‌-୧୧ର ୪୧ତମ ମ୍ୟାଚ୍‌ରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍‌ସ ୧୦୨ ରନ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରି ପ୍ଲେ ଅଫ୍‌ ସମ୍ଭାବନାକୁ ମଧ୍ୟ ବଢ଼ାଇ ଦେଲା। ପ୍ରତିଯୋଗିତାର ପ୍ରଥମାର୍ଧରେ ଦୟନୀୟ ଖେଳିଥିବା ମୁମ୍ବାଇ ଏବେ ଶେଷ ୫ ମ୍ୟାଚ୍‌ରୁ ୪ ଜିତି ଚତୁର୍ଥ ସ୍ଥାନକୁ ଲମ୍ଫ ମାରିଛି। ରୋହିତ ଶର୍ମାଙ୍କ ଦଳ ୧୧ ମ୍ୟାଚ୍‌ରୁ ପଞ୍ଚମ ବିଜୟ ପାଇଥିବା ବେଳେ ଦୀନେଶ କାର୍ତିକଙ୍କ କେକେଆର୍‌ ସମାନ ସଂଖ୍ୟକ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ସହ ଆଶଙ୍କା ଭିତରେ ପଡ଼ିଛି। ବୁଧବାର ରାତିରେ ମୁମ୍ବାଇର ୨୧୦ ରନ୍‌ ଜବାବରେ କୋଲକାତା ମାତ୍ର ୧୦୮ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ଚଳିତ ବର୍ଷ କେକେଆର୍‌ ବିପକ୍ଷ ଉଭୟ ମ୍ୟାଚ୍‌ରେ ମଧ୍ୟ ମୁମ୍ବାଇ ବିଜୟୀ ହୋଇ ନିଜ ଭାଗ୍ୟ ସଜାଡ଼ି ନେଇଛି। ମାତ୍ର ୧୭ ବଲ୍‌ରୁ ଅର୍ଧଶତକ ହାସଲ କରିଥିବା ୧୯ ବର୍ଷୀୟ ଈଶାନ୍‌ କିଷନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ସରେ କେକେଆର୍‌ ଟସ୍‌ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ମୁମ୍ବାଇ ପାଇଁ ସୂର୍ଯ୍ୟକୁମାର ଯାଦବ (୩୬, ୩୨ ବଲ୍‌, ୫ ଚୌକା, ୧ ଛକା) ଏବଂ ଏଭିନ୍‌ ଲୁଇସ୍‌ (୧୮, ୧୩ ବଲ୍‌, ୩ ଚୌକା) ଭଲ ଆରମ୍ଭ କରିଥିଲେ। ସପ୍ତମ ଓଭରରେ ମୁମ୍ବାଇ ୫୦ ଟପିଥିଲା। ଉଭୟ ସୂର୍ଯ୍ୟକୁମାର ଓ ଲୁଇସ୍‌ଙ୍କୁ ପୀୟୂଷ ଚାଓ୍ଵଲା ଲଗାତାର ଭାବେ ଆଉଟ୍‌ କରିଥିଲେ। ୧୨ ଓଭର ପର୍ଯ୍ୟନ୍ତ ମୁମ୍ବାଇର ରନ୍‌ ହାରକୁ କୋଲ୍‌କାତା ନିୟନ୍ତ୍ରଣରେ ରଖିଥିଲା। କିନ୍ତୁ ଏହି ସମୟରେ ୧୯ ବର୍ଷୀୟ ଝାଡ଼ଖଣ୍ଡ ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଈଶାନ କିଷନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ। ଚୌକା ଓ ଛକାର ବର୍ଷା କରି ମାତ୍ର ୧୭ ବଲ୍‌ରୁ ଅର୍ଧଶତକ ପୂର୍ଣ୍ଣ କରି ନେଇଥିଲେ। ଚାଇନାମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବଙ୍କୁ ଗୋଟିଏ ଓଭରରେ ଲଗାତାର ୪ ଛକା ମାରିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ୨୧ ବଲ୍‌ରୁ ୬୨ ରନ୍‌ କରି ସେ ସୁନୀଲ ନରିନ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। କିଷନ୍‌ଙ୍କ ପାଇଁ ମୁମ୍ବାଇ ପାଳିରେ ଆସିଥିବା ତୀବ୍ରତାକୁ ଅଧିନାୟକ ରୋହିତ ଶର୍ମା (୩୬, ୩୧ ବଲ୍‌, ୨ ଚୌକା, ୧ ଛକା) ଏବଂ ହାର୍ଦିକ ପାଣ୍ଡ୍ୟା (୧୯, ୧୩ ବଲ୍‌, ୨ ଛକା) ଆଗକୁ ନେଇଥିଲେ। ଶେଷକୁ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର୍‌ ବେନ୍‌ କଟିଙ୍ଗ୍‌ ମାତ୍ର ୯ ବଲ୍‌ରୁ ୨୪ ରନ୍‌ ଆଦାୟ କରି ମୁମ୍ବାଇ ପାଳିକୁ ୨୦୦ ପାର କରି ଦେଇଥିଲେ। ପୀୟୂଷ ଚାଓ୍ଵଲା ତାଙ୍କ ଓ୍ଵିକେଟ୍‌ ଦଖଲ କରି ପ୍ରତିଶୋଧ ନେଇଥିଲେ ମଧ୍ୟ ଶେଷ ଓଭରରେ ୨୨ ରନ୍‌ ଦେବା କୋଲ୍‌କାତାର କୌଶଳକୁ ଫିକା ପକାଇ ଦେଇଥିଲା। ଶେଷ ୭ ଓଭରରେ ମୁମ୍ବାଇ ୯୮ ରନ୍‌ ଯୋଡ଼ିବାରୁ ୨୧୦/୬ରେ ପହଞ୍ଚିଯାଇଥିଲା। ଚାଓ୍ଵଲା କିନ୍ତୁ ଓ୍ଵିକେଟ୍‌ ଦଖଲରେ (୪-୦-୪୮-୩) ସଫଳତମ ଥିଲେ। ୨୧୧ ରନ୍‌ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଘରୋଇ କୋଲ୍‌କାତା ନାଇଟ୍‌ ରାଇଡର୍ସ ଆବଶ୍ୟକ ରନ୍‌ ହାର ଏବଂ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଆଗରେ ଆତ୍ମସମର୍ପଣ କରିଥିଲା। କ୍ରିସ୍‌ ଲିନ୍‌ ଏବଂ ଦୀନେଶ କାର୍ତିକ ରନ୍‌ ଆଉଟ୍‌ ହେବା ଦଳ ପାଇଁ କାଳ ହୋଇଥିଲା। ନୀତିଶ ରାଣା ଏବଂ ଆନ୍ଦ୍ରେ ରସେଲଙ୍କୁ ହାର୍ଦିକ ପାଣ୍ଡ୍ୟା ତାଙ୍କ ମଧ୍ୟମଗତି ବୋଲିଂରେ ଫସାଇଦେବାରୁ ମୁମ୍ବାଇ ବିଜୟ ନିଶ୍ଚିତ ହୋଇଯାଇଥିଲା। ୭୬ ରନ୍‌ରେ ୭ ଓ୍ଵିକେଟ୍‌ ହରାଇ କେକେଆର୍‌ ଆଉ ପ୍ରତ୍ୟାବର୍ତନ କରିବାର ବାଟ ପାଇନଥିଲା। ମ୍ୟାଚ୍‌ ଶେଷ କରିବାର କେବଳ ଔପଚାରିକତା ହୋଇଯାଇଥିଲା। ଦୁଇ ଥର ବିଜେତା ଦଳ ଘରୋଇ ପ୍ରଶଂସକଙ୍କ ସମ୍ମୁଖରେ ବଡ଼ ବ୍ୟବଧାନରେ ହାରିବା ସମସ୍ତଙ୍କୁ ସ୍ତବ୍‌ଧ କରି ଦେଇଥିଲା। ଅନ୍ୟପକ୍ଷରେ ବ୍ୟାଟିଂ ଓ ବୋଲିଂରେ ପାଣ୍ଡ୍ୟା ଭ୍ରାତାଙ୍କ ଅବଦାନ ମଧ୍ୟ ମୁମ୍ବାଇ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ମୁମ୍ବାଇ ଇଣ୍ଡିଆନ୍‌ସ: ୨୦ ଓଭରରେ ୨୧୦/୬ (ଈଶାନ କିଷନ୍‌-୬୨, ସୂର୍ଯ୍ୟକୁମାର ଯାଦବ-୩୬, ରୋହିତ ଶର୍ମା-୩୬, ବେନ୍‌ କଟିଙ୍ଗ୍‌-୨୪, ହାର୍ଦିକ ପାଣ୍ଡ୍ୟା-୧୯, ପୀୟୂଷ ଚାଓ୍ଵଲା-୩/୪୮, ସୁନିଲ ନରିନ-୧/୨୭, ଟମ୍‌ କୁରାନ୍‌-୧/୩୩, ପ୍ରସିଦ୍ଧ କ୍ରିଷ୍ଣା-୧/୪୧)। କୋଲ୍‌କାତା ନାଇଟ୍‌ ରାଇଡର୍ସ: ୧୮.୧ ଓଭରରେ ୧୦୮ (କ୍ରିସ୍‌ ଲିନ-୨୧, ନୀତିଶ ରାଣା-୨୧, ଟମ୍‌ କୁରାନ-୧୮, ରବିନ୍‌ ଉଥପ୍ପା-୧୪, କୃନାଲ ପାଣ୍ଡ୍ୟା-୨/୧୨, ହାର୍ଦିକ ପାଣ୍ଡ୍ୟା-୨/୧୬, ଯଶପ୍ରୀତ୍‌ ବୁମରା-୧/୧୭, ବେନ୍‌ କଟିଙ୍ଗ୍‌-୧/୧୨, ମିଚେଲ୍‌ ମ୍ୟାକ୍ଲିନାଘନ-୧/୨୪, ମୟଙ୍କ ମାର୍କଣ୍ଡ୍‌-୧/୨୬)।

ସମ୍ବନ୍ଧିତ ଖବର