ହାଇଦ୍ରାବାଦକୁ ପ୍ଲେ ଅଫ୍ ନେଲା ମୁମ୍ବାଇ

ମୁମ୍ବାଇ: ଆଇପିଏଲ୍-୧୨ର ଶେଷ ଲିଗ୍ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୯ ୱିକେଟ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଫଳରେ ନବମ ବିଜୟ ସହ ଚେନ୍ନାଇ ସୁପରକିଙ୍ଗ୍ସକୁ ହଟାଇ ପଏଣ୍ଟ ତାଲିକା ପ୍ରଥମ ସ୍ଥାନ ଅଧିକାର କରି ନେଇଛି। ପ୍ଲେ ଅଫ୍ ପ୍ରବେଶ ପାଇଁ ନିଶ୍ଚିତ ବିଜୟର ଆବଶ୍ୟକତା ଥିବାବେଳେ କୋଲକାତା ଉଭୟ ବ୍ୟାଟ୍ ଓ ବଲ୍‌ରେ ବିଫଳ ହୋଇ ବିଦାୟ ନେଇଛି। ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଛି। ମୁମ୍ବାଇ ବିଜୟ କିନ୍ତୁ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଫାଇଦାରେ ରଖିଛି। କୋଲକାତା ସହ ସମାନ ୧୨ ପଏଣ୍ଟ ଅର୍ଜନ କରିବା ସତ୍ତ୍ବେ ଉନ୍ନତ ଏଆରଆର୍ ଭିତ୍ତିରେ ଏହି ଦଳ ଚତୁର୍ଥ ସ୍ଥାନରେ ରହି ପ୍ଲେ ଅଫ୍‌ର ଶେଷ ଟିକେଟ ହାସଲ କରିଛି। ଆଇପିଏଲ୍ ଇତିହାସରେ ପ୍ରଥମ ଦଳ ଭାବେ ମାତ୍ର ୬ ବିଜୟ ହାସଲ କରି ପ୍ଲେ ଅଫ୍‌ ସୁଯୋଗ ପାଇଛି। ରବିବାର କୋଲକାତା ଦେଇଥିବା ୧୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୧୬.୧ ଓଭରରେ ମାତ୍ର ଗୋଟିଏ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭା‌ବେ କ୍ବିଣ୍ଟନ୍ ଡି’ କକ୍ ୩୦ ରନ୍ କରି ଆଉଟ୍ ହୋଇଥିଲେ। ଅଧିନାୟକ ରୋହିତ ଶର୍ମା (୫୫* ରନ୍, ୪୮ ବଲ୍, ୮ ଚୌକା) ଓ ସୂର୍ଯ୍ୟ କୁମାର ଯାଦବ (୪୬* ରନ୍, ୨୭ ବଲ୍, ୫ ଚୌକା, ୨ ଛକା) ଅବିଭା‌ଜିତ ଦ୍ବିତୀୟ ୱିକେଟ୍‌ରେ ୮୮ ରନ୍ ଯୋଡ଼ି ମୁମ୍ବାଇକୁ ବୃହତ୍ ବିଜୟ ଉପହାର ସହ ପଏଣ୍ଟ ତାଲିକା ଶୀର୍ଷରେ ପହଞ୍ଚାଇ ଦେଇଥିଲେ।

ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା କୋଲକାତା ପ୍ରଥମେ ହାର୍ଦିକ ପାଣ୍ଡ୍ୟା (୩-୦-୨୦-୨) ଏବଂ ପରେ ଲସିଥ ମାଲିଙ୍ଗା (୪-୦-୩୫-୩)ଙ୍କ ମାପଚୁପ ବୋଲିଂରେ ପୂରା ଘାଇଲା ହୋଇ ଯାଇଥିଲା। ଶେଷ ଆଡ଼କୁ ଯଶପ୍ରୀତ ବୁମରା (୪-୦-୩୧-୨)ଙ୍କୁ ଦୁଇଟି ୱିକେଟ୍ ଟେକି ଦେଇ ଦୀନେଶ କାର୍ତିକଙ୍କ ଦଳ ୧୩୩/୭ରେ ଅଟକି ଯାଇଥିଲା। ମାଲିଙ୍ଗା ଲଗାତାର ଦୁଇଟି ବଲ୍‌ରେ ଦୀନେଶ କାର୍ତିକ (୩) ଓ ବିସ୍ଫୋରକ ଆନ୍ଦ୍ରେ ରସେଲଙ୍କୁ ଆଉଟ୍ କରିବା କୋଲକାତା ପାଇଁ ଶକ୍ତ ଧକ୍କା ଥିଲା। କାର୍ତିକଙ୍କୁ ହାର୍ଦିକ ପାଣ୍ଡ୍ୟାଙ୍କ ହାତରେ କ୍ୟାଚ୍ କରାଇବା ପରେ ରସେଲଙ୍କୁ ୱିକେଟ୍ ରକ୍ଷକ କ୍ବିଣ୍ଟନ୍ ଡି’ କକ୍‌ଙ୍କ ଦ୍ବାରା ଆଉଟ୍ କରି କୋଲକାତା ରନ୍ ସଂଗ୍ରହ ହାରରେ ଅଙ୍କୁଶ ଲଗାଇ ଦେଇଥିଲେ। ବଡ଼ ସଟ୍ ଖେଳିବାରେ ଓସ୍ତାଦ ରସେଲଙ୍କୁ ସେ ଖାତା ଖୋଲିବାକୁ ଦେଇ ନଥିଲେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ (୪୧ ରନ୍, ୨୯ ବଲ୍, ୨ ଚୌକା, ୪ ଛକା), ରବିନ ଉଥାପ୍ପା (୪୦ ରନ୍, ୪୭ ବଲ୍, ୧ ଚୌକା, ୩ ଛକା) ଏବଂ ନୀତିଶ ରଣା (୨୬ ରନ୍, ୧୩ ବଲ୍, ୩ ଛକା)ଙ୍କ ଦାୟିତ୍ବବାନ ବ୍ୟାଟିଂ ପାଇଁ ହିଁ କୋଲକାତା ୧୦୦ ଟପି ପାରିଥିଲା। ଏହି ତିନି ତାରକା କିନ୍ତୁ ଅର୍ଧଶତକ ଛୁଇଁ ପାରି ନଥିଲେ। କର ବା ମର ମ୍ୟାଚ୍‌ରେ କୋଲକାତା ଆଶ୍ଚର୍ଯ୍ୟଜନକ ଭାବେ ୬୦ ଡଟ୍ ବଲ୍ (କୌଣସି ରନ୍ ହୋଇ ନଥିବା ବଲ୍) ଖେଳି ନିଜ ଗୋଡ଼ରେ କୁରାଢ଼ି ମାରିଥିଲା।

ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୩୩/୭ (କ୍ରିସ୍ ଲିନ୍-୪୧, ରବିନ ଉଥାପ୍ପା-୪୦, -ଲସିଥ ମାଲିଙ୍ଗା-୩/୩୫, ହାର୍ଦିକ ପାଣ୍ଡ୍ୟା-୨/୨୦, ଯଶପ୍ରୀତ ବୁମରା-୨/୩୧)। ମୁମ୍ବାଇ ଇଣ୍ଡିଆନ୍ସ ୧୬.୧ ଓଭରରେ ୧୩୪/୧ (ରୋହିତ ଶର୍ମା-୫୫*, ସୂର୍ଯ୍ୟକୁମାର ଯାଦବ-୪୬*, କ୍ବିଣ୍ଟନ୍ ଡି’ କକ୍-୩୦, ପ୍ରସିଦ୍ଧ କୃଷ୍ଣ-୧/୨୨)।

ସମ୍ବନ୍ଧିତ ଖବର