ଆଜି ମୁମ୍ବାଇ-ହାଇଦ୍ରାବାଦ: ଖେଳିପାରନ୍ତି ୱିଲିୟମ୍‌ସନ୍

ଚେନ୍ନାଇ : ଆଇପିଏଲ୍‌ରେ ଶନିବାରର ମୁକାବିଲାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେ‌ବେ। ଲଗାତାର ପରାଜୟକୁ ରୋକିବାକୁ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ନିଜ ସମନ୍ବୟକୁ ସଠିକ୍ କରିବାକୁ ହେବ। ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧୀନ ହାଇଦ୍ରାବାଦ ପାଇଁ ବଡ଼ ପ୍ରତିବଂଧକ ସାଜିଛି ଚେନ୍ନାଇ ପିଚ୍‌। ଏଠାକାର ପିଚ୍‌ ଚରିତ୍ର ହାଇଦ୍ରାବାଦ ପାଇଁ ସୁହାଉନାହିଁ। ଗତ ମ୍ୟାଚ୍‌ରେ ଦଳ ୧୫୦ ରନ୍‌କୁ ବି ପିଛା କରିପାରିନଥିଲା। ପୂର୍ବ ଦୁଇ ମ୍ୟାଚ୍‌ରେ ଦଳକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଓ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ପଶ୍ଚାତଧାବନ ସୁଯୋଗ ମିଳିଥିଲେ ମଧ୍ୟ ଦଳ ଜିତିପାରିନଥିଲା। ଏବେ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ଦଳ କିଭଳି ପ୍ରତିହତ କରିବ ଦେଖିବାର ଅଛି।

ୱାର୍ଣ୍ଣରଙ୍କ ଚୂଡାନ୍ତ ଦଳ ଚୟନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଦୁଇ ଜଣ ୱିକେଟରକ୍ଷକ ଜନି ବେୟାରଷ୍ଟୋ ଓ ଋଦ୍ଧିମାନ ସାହାଙ୍କୁ ଦଳ ଏକାଠି ଖେଳାଉଛି। ସାହା ୨୦୦୮ ଋତୁ ପ୍ରଥମ ସଂସ୍କରଣରୁ ଖେଳିଆସୁଥିଲେ ମଧ୍ୟ ସେତେଟା ସ୍ଥିର ପ୍ରଦର୍ଶନ ଦେଉନାହାନ୍ତି। ଏଭଳି ‌କ୍ଷେତ୍ରରେ ତାଙ୍କ ସ୍ଥାନରେ ଅଭିଜ୍ଞ କେଦାର ଯାଦବ କିମ୍ବା ଦୁଇ ଯୁବ ତାରକା ପ୍ରିୟମ ଗର୍ଗ, ଅଭିଷେକ ଶର୍ମାଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ଦେବା ଦଳ ଯୋଜନା କରିପାରେ। ଦଳର ବିଦେଶୀ ଖେଳାଳିଙ୍କ ମଧ୍ୟରେ ୱାର୍ଣ୍ଣର ଓ ରସିଦ୍‌ ଖାନ୍‌ ସୁରକ୍ଷିତ ଥିବାବେଳେ କେନ୍‌ ୱିଲିୟମସନ୍‌ ଚୂଡାନ୍ତ ଏକାଦଶକୁ ଶନିବାର ଆସିବା ସମ୍ଭାବନା ରହିଛି। ଫିଟନେସ୍‌ ସମସ୍ୟାରେ ଥିବାରୁ ୱିଲିୟମସନ୍‌ ପ୍ରଥମ ଦୁଇ ମ୍ୟାଚ୍‌ ଖେଳିପାରିନାହାନ୍ତି। ମନୀଷ ପାଣ୍ଡେ ଓ ଅବଦୁଲ ସାମଦ ଯେଭଳି ଭାବେ ଗତ ମ୍ୟାଚ୍‌ରେ ବାମହାତୀ ସ୍ପିନର୍‌ ସାହାବାଜ ଅହମ୍ମଦଙ୍କ ବିପକ୍ଷରେ କ୍ରସ୍ ସଟ୍‌ ଖେଳିଲେ ୱାର୍ଣ୍ଣର ଚକିତ ହୋଇଯାଇଥିଲେ। ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିନଥିଲେ କୃନାଲ ପାଣ୍ଡ୍ୟାଙ୍କୁ ଖେଳିବା ମଧ୍ୟ ଏମାନଙ୍କ ପାଇଁ ମୁସ୍କିଲ୍ ହୋଇପାରେ। ପାଣ୍ଡେ ମଧ୍ୟ ଗୁରୁବାର ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍‌ ପଡ଼ିବା ପରେ ଚାପରେ ରହିଛନ୍ତି। ମ୍ୟାଚ୍‌ ଫିନିସ୍‌ କରିବା କ୍ଷମତା ରଖିନଥିବାରୁ ପାଣ୍ଡେଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି।

ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍‌ ହାରିଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦ୍ବିତୀୟ ମ୍ୟାଚ୍‌କୁ ଜିତି ମନୋବଳ ବଢ଼ାଇଛି। ରୋହିତ ଶର୍ମା, କ୍ବିଣ୍ଟନ୍ ଡି’କକ୍‌, ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ ଶୀର୍ଷକ୍ରମ ବ୍ୟାଟିଂ ସମ୍ଭାଳୁଛନ୍ତି। କେକେଆର୍‌ ବିପକ୍ଷ ରୋମାଞ୍ଚକ ବିଜୟ ପରେ ଦଳ ଚୂଡାନ୍ତ ଏକାଦଶରେ ପରିବର୍ତନ କରିବା ସମ୍ଭାବନା କମ୍‌ ରହିଛି। କେବଳ ପିଚ୍‌ ଆଚରଣକୁ ଦେଖି ଦଳୀୟ ସମନ୍ବୟ ଆବଶ୍ୟକ କଲେ ଦଳ ପରିବର୍ତନ କରିପାରେ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, କ୍ବିଣ୍ଟନ୍ ଡି’କକ୍‌, ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ୍ ବୋଲ୍ଟ, ଆଦାମ ମିଲନେ, ନାଥନ୍ କୁଲଟର୍ ନାଇଲ, ପୀୟୂଷ ଚାୱଲା, ଜିମ୍ମି ନିସାମ, ଆଦିତ୍ୟ ତାରେ, କୃନାଲ ପାଣ୍ଡ୍ୟା, ‌ମୋହସିନ୍‌ ଖାନ୍‌, ଅନୁକୂଳ ରାୟ, ଅନମୋଲପ୍ରୀତ୍ ସିଂହ, କ୍ରିସ୍‌ ଲିନ୍, ଧବଲ କୁଲକର୍ଣ୍ଣି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ୍ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, ଯୁଦ୍ଧବୀର ଚରକ, ମାର୍କୋ ଜେନସେନ୍‌, ଅର୍ଜୁନ ତେନ୍ଦୁଲକର।

ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳ: ଡେଭିଡ୍ ୱାର୍ଣ୍ଣର (ଅଧିନାୟକ), କେନ୍ ୱିଲିୟମସନ୍, ବିରାଟ ସିଂହ, ମନୀଷ ପା‌ଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ ସ୍କିଟ୍, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସାମଦ, ଭୁବନେଶ୍ବର କୁମାର, ରସିଦ ଖାନ୍, ଟି ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ ‌‌କୌଲ, ବାସିଲ ଥମ୍ପି, ଶାହବାଜ ନଦୀମ, ମୁଜିବ ଉର ରହମାନ।

ସମ୍ବନ୍ଧିତ ଖବର