ମୁମ୍ବାଇ: ଆଇପିଏଲ୍ର ୫୧ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ରୋମାଞ୍ଚକ ଭାବେ ଟାଇ ରହିଛି। ମୁମ୍ବାଇର ୧୬୧/୫ ଜବାବରେ ହାଇଦ୍ରାବାଦ ୧୬୨/୬ରେ କରିଥିଲା। ସୁପର ଓଭରକୁ ରୋହିତ ଶର୍ମାଙ୍କ ଦଳ ବାଜି ମାରି ନେଇଥିଲା। ଏଥି ସହିତ ଚେନ୍ନାଇ ଏବଂ ଦିଲ୍ଲୀ ପରେ ମୁମ୍ବାଇ ତୃତୀୟ ଦଳ ଭାବେ ପ୍ଲେ ଅଫ୍ ସ୍ଥାନ ପକ୍କା କରି ନେଇଛି। ବୁମରାଙ୍କ ଓଭରର ୪ ବଲ୍ ଭିତରେ ହାଇଦ୍ରାବାଦ ୮ ରନ୍ କରି ଉଭୟ ୱିକେଟ୍ ହରାଇଥିଲା। ମୁମ୍ବାଇ ୩ ବଲ୍ରୁ ଆବଶ୍ୟକ ୯ ରନ୍ (୬, ୧, ୨ ବଲ୍) ସଂଗ୍ରହ କରି ନେଇଥିଲା। ବୁମ୍ରା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ଗୁରୁବାରର ମ୍ୟାଚ୍ରେ ରୋହିତ ଶର୍ମା ଟସ୍ ଜିତିଥିଲେ ମଧ୍ୟ ଧାରା ବିରୋଧୀ ନିଷ୍ପତ୍ତି ନେଇ ପ୍ରଥମେ ବ୍ୟାଟିଂ କରିଥିଲେ। ପାୱାର ପ୍ଲେ’ ୬ ଓଭରରେ ଗୋଟିଏ ୱିକେଟ୍ ହରାଇ ଘରୋଇ ଦଳ ୪୪ ରନ୍ କରିଥିଲା। ନିଜେ ରୋହିତ ଶର୍ମା (୨୪, ୧୮ ବଲ୍, ୫ ଚୌକା) ଏବଂ ସୂର୍ଯ୍ୟ କୁମାର ଯାଦବ (୨୩, ୧୭ ବଲ୍, ୩ ଚୌକା, ୧ ଛକା) ଭଲ ଆରମ୍ଭ ପାଇଥିଲେ ମଧ୍ୟ ବଡ଼ ପାଳି ଖେଳିପାରିନଥିଲେ। ଏଭିନ୍ ଲୁଇସ୍ (୧), ହାର୍ଦିକ ପାଣ୍ଡ୍ୟା (୧୮, ୧୦ ବଲ୍, ୧ ଚୌକା, ୧ ଛକା) ଏବଂ କିରଣ ପୋଲାର୍ଡ (୧୦, ୯ ବଲ୍, ୧ ଛକା) ମଧ୍ୟ ପ୍ରଭାବୀ ପ୍ରଦର୍ଶନ ଦେଇପାରିନଥିଲେ। ଦକ୍ଷିଣ ଆଫ୍ରିକୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ କ୍ବିଣ୍ଟନ୍ ଡି’କକ୍ (୬୯*, ୫୮ ବଲ୍, ୬ ଚୌକା, ୨ ଛକା) ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ପାଳି ସାରା ଖେଳିବାରୁ ମୁମ୍ବାଇ ୧୬୨ ରନ୍ର ଲଢ଼ୁଆ ସ୍କୋର୍ କରିପାରିଥିଲା। ହାଇଦ୍ରାବାଦ ପକ୍ଷରୁ ଆଫଗାନ ସ୍ପିନର୍ ରସିଦ୍ ଖାନ୍ ପ୍ରଥମ ୩ ଓଭରରେ ୯ ରନ୍ ଦେଇ ଶେଷକୁ ୪-୦-୨୧-୧ ବୋଲିଂ ଚିତ୍ର ପାଇଥିଲେ। ବାମହାତୀ ଦ୍ରୁତ ବୋଲର ଖଲିଲ୍ ଅହମ୍ମଦ (୪-୦-୪୨-୩) ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ସଫଳତମ ବୋଲର ଥିଲେ। ଜବାବରେ ହାଇଦ୍ରାବାଦ ୪ ଓଭରରେ ୪୦ ରନ୍ ସଂଗ୍ରହ କରି ଋଦ୍ଧିମାନ ସାହା (୨୫, ୧୫ ବଲ୍, ୫ ଚୌକା)ଙ୍କୁ ହରାଇଥିଲା। ସାହାଙ୍କ ପ୍ରାରମ୍ଭିକ ସାଥୀ ମାର୍ଟିନ ଗପ୍ଟିଲ୍ (୧୫, ୧୧ ବଲ୍) ଏବଂ ଅଧିନାୟକ କେନ୍ ୱିଲିୟମ୍ସନ୍ (୩) ବିଫଳ ହେବା ହାଇଦ୍ରାବାଦ ରନ୍ ଗତି ଉପରେ ଅଙ୍କୁଶ ଲଗାଇଥିଲା। ବିଜୟ ଶଙ୍କର (୧୨, ୧୭ ବଲ୍)ଙ୍କ ବିଫଳତା କିନ୍ତୁ ହାଇଦ୍ରାବାଦକୁ ବଡ଼ ଝଟ୍କା ଦେଇଥିଲା। ସାହା ଏବଂ ଗପ୍ଟିଲଙ୍କୁ ଯଶପ୍ରୀତ୍ ବୁମରା ଏବଂ ୱିଲିୟମସନ୍ ଓ ଶଙ୍କରଙ୍କୁ କୃନାଲ ପାଣ୍ଡ୍ୟା ଆଉଟ୍ କରିଥିଲେ। ହାର୍ଦିକ ପାଣ୍ଡ୍ୟା ମଧ୍ୟ ୨ ୱିକେଟ୍ (ଅଭିଷେକ ଶର୍ମା, ମହମ୍ମନ ନବି) ଝଡ଼ାଇଥିଲେ। ମନୀଷ ପାଣ୍ଡେ ୩୭ ବଲ୍ରୁ ଅର୍ଧଶତକ ହାସଲ କରି ଆଶା ବଢ଼ାଇଥିଲେ। ମହମ୍ମଦ ନବି (୩୧, ୨୦ ବଲ୍, ୨ ଚୌକା, ୨ ଛକା) ମଧ୍ୟ ଭଲ ଅବଦାନ ଦେଇଥିଲେ। ହାର୍ଦିକ ପାଣ୍ଡ୍ୟାଙ୍କ ଶେଷ ଓଭରରୁ ୧୭ ରନ୍ ଆବଶ୍ୟକ ପଡିଥିବାବେଳେ ମନୀଷ ପାଣ୍ଡେ (୭୧*, ୪୭ ବଲ୍, ୮ ଚୌକା, ୨ ଛକା) ଶେଷ ବଲ୍କୁ ଛକା ମାରି ମ୍ୟାଚ୍ ଟାଇ କରିଥିଲେ।
ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୬୨/୫ (କ୍ବିଣ୍ଟନ୍ ଡି’କକ୍-୬୯*, ଖଲିଲ୍ ଅହମ୍ମଦ-୩/୪୨, ମହମ୍ମଦ ନବି-୧/୨୪, ଭୁବନେଶ୍ବର କୁମାର-୧/୨୯)। ସନ୍ରାଇଜର୍ସ ହଇଦ୍ରାବାଦ ୨୦ ଓଭରରେ ୧୬୨/୬ (ମନୀଷ ପାଣ୍ଡେ-୭୧*, ମହମ୍ମଦ ନବି-୩୧, ଋଦ୍ଧିମାନ ସାହା-୨୫, ହାର୍ଦିକ ପାଣ୍ଡ୍ୟା-୨/୨୦, କୃନାଲ ପାଣ୍ଡ୍ୟା-୨/୨୨, ଯଶପ୍ରୀତ ବୁମରା-୨/୩୧)।