ରଣଜୀ ଟ୍ରଫି ଫାଇନାଲ୍‌ରେ ମୁମ୍ବାଇ, ବେଙ୍ଗଲ-ମଧ୍ୟପ୍ରଦେଶ‌ ଫଏସଲା ଆଜି

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଚାଲିଥିବା ରଣଜୀ ଟ୍ରଫି ସେମିଫାଇନାଲ୍‌ରେ ୪୧ ଥର ବିଜେତା ମୁମ୍ବାଇର ଫାଇନାଲ୍ ପ୍ରବେଶ ନିଶ୍ଚିତ ହୋଇଛି। ଅନ୍ୟ ସେମିଫାଇନାଲ୍‌ରେ ବେଙ୍ଗଲ୍ ବିପକ୍ଷରେ ମଧ୍ୟପ୍ରଦେଶ ଭଲ ସ୍ଥିତିରେ ଥିଲେ ମଧ୍ୟ ରୋମାଞ୍ଚ ଜାରି ରହିଛି।

କେଏସ୍‌ସିଏ ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରଥମ ସେମିଫାଇନାଲ୍‌ରେ ପ୍ରଥମ ପାଳିରେ ପଛୁଆ ଥିବା ବେଙ୍ଗଲ୍ ସମ୍ମୁଖରେ ୩୫୦ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ମଧ୍ୟପ୍ରଦେଶ। ଚତୁର୍ଥ ଦିନ ଖେଳ ଶେଷ ବେଳକୁ କିନ୍ତୁ ଏହି ପୂର୍ବାଞ୍ଚଳ ଦଳ ୯୬ ରନ୍‌ରେ ୪ ୱିକେଟ୍ ହରାଇ ଦେଇଛି। ପ୍ରାରମ୍ଭିକ ବ୍ୟାଟର୍‌ ତଥା ଅଧିନାୟକ ଅଭିମନ୍ୟୁ ଈଶ୍ବରନ୍ (୫୨*, ୧୦୪ ବଲ୍‌) ଏକା ଲଢ଼ୁଥିବା ବେଳେ ତାଙ୍କ ସହ ଅନୁସ୍ତୂପ ମଜୁମଦାର (୮*) ଖେଳୁଛନ୍ତି। ଭଲ ଖେଳି ଆସୁଥିବା ସୁଦୀପ ଘରାମୀ (୧୯) ଏବଂ ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ମନୋଜ ତିୱାରୀ (୭) ଆଉଟ୍‌ ହୋଇଯାଇଥିବାରୁ ଏହି ଦଳ ଚାପରେ ରହିଛି। ଶନିବାର ଶେଷ ଦିନରେ ବେଙ୍ଗଲକୁ ଆଉ ୨୫୪ ରନ୍‌ ଏବଂ ମଧ୍ୟପ୍ରଦେଶକୁ ୬ ୱିକେଟ୍ ଲୋଡ଼ା ପଡୁଛି। କୁମାର କାର୍ତିକେୟ ବେଙ୍ଗଲ ଦ୍ବିତୀୟ ପାଳିରେ ମଧ୍ୟ ୩ ୱିକେଟ୍ ନେଇଛନ୍ତି।

ପୂର୍ବରୁ ମଧ୍ୟପ୍ରଦେଶର ୩୪୧ ରନ୍ ପ୍ରଥମ ପାଳି ଜବାବରେ‌ ବେଙ୍ଗଲ ମନୋଜ ତିୱାରୀ (୧୦୨) ଏବଂ ସାହବାଜ ଅହମ୍ମଦ (୧୧୮)ଙ୍କ ଶତକ ସତ୍ତ୍ବେ ୨୭୩ ରନ୍‌ କରିଥିଲା। ମଧ୍ୟପ୍ରଦେଶ ଦ୍ବିତୀୟ ପାଳିରେ ୨୮୧ ରନ୍‌ କରି ସମସ୍ତ ୱିକେଟ୍ ହରାଇଥିଲା। ଶତକ ହାସଲ କରିବା ପରେ ୫ ୱିକେଟ୍ ସଫଳତା ଅର୍ଜନ କରି ସାହାବାଜ ଅହମ୍ମଦ ୩୫ ବର୍ଷରେ ଦ୍ବିତୀୟ‌ ବେଙ୍ଗଲ କ୍ରିକେଟର୍ ଭାବେ କୃତିତ୍ବ ଅର୍ଜନ କରିଥିଲେ।

ବ୍ୟାଟିଂ ଛାଡ଼ୁନି ମୁମ୍ବାଇ
ବେଙ୍ଗାଲୁରୁର ଜଷ୍ଟ କ୍ରିକେଟ୍‌ ଏକାଡେମି ଗ୍ରାଉଣ୍ଡରେ ଚାଲିଥିବା ମୁମ୍ବାଇ ୬୬୨ ରନ୍‌ର ବିଶାଳ ଅଗ୍ରଣୀ ନେବା ସତ୍ତ୍ବେ ବ୍ୟାଟିଂ ଜାରି ରଖିଛି। ସମ୍ଭବତଃ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଦଳ ଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଥିବାରୁ ବୋଲରଙ୍କୁ ବିଶ୍ରାମ ଓ ବ୍ୟାଟରଙ୍କୁ ଅଭ୍ୟାସ ନୀତି ଆପଣାଇଛି। ପ୍ରଥମ ପାଳିରେ ୩୯୩ ରନ୍ କରିଥିବା ମୁମ୍ବାଇର ବୋଲରମାନେ ଉତ୍ତର ପ୍ରଦେଶ ପ୍ରଥମ ପାଳିକୁ ୧୮୦ ରନ୍‌ରେ ଶେଷ କରି ଦେଇଥିଲେ। ଚତୁର୍ଥ ଦିନ ଖେଳ ସୁଦ୍ଧା ମୁମ୍ବାଇ ଦ୍ବିତୀୟ ପାଳିରେ ୪ ୱିକେଟ୍‌ରେ ୪୪୯ ରନ୍‌ କରିଥିଲେ ମଧ୍ୟ ପାଳି ଘୋଷଣା କରିବାକୁ ପସନ୍ଦ କରିନାହିଁ। ଯଶସ୍ବୀ ଜୟସ୍ବାଲ (୧୮୧ ରନ୍‌, ୩୭୨ ବଲ୍‌) ଏବଂ ଅର୍ମନ ଜାଫର (୧୨୭ ରନ୍‌, ୨୫୯ ବଲ୍‌) ଦ୍ବିତୀୟ ୱିକେଟ୍‌ ଭାଗୀଦାରିରେ ୨୮୬ ରନ୍‌ ଯୋଡ଼ିଥିଲେ। ମୁମ୍ବାଇ ଦ୍ବିତୀୟ ପାଳିରେ ଉତ୍ତରପ୍ରଦେଶର ୯ ଜଣ ବୋଲର ବୋଲିଂ କରି ସାରିଛନ୍ତି। ପ୍ରିନ୍ସ ଯାଦବ ୨ ୱିକେଟ୍ ନେଇଥିବା ବେଳେ ଶିଭମ ମାଭି ଓ ସୌରଭ କୁମାର ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି। ଯଶସ୍ବୀ ଜୟସ୍ବାଲ୍ (୧୦୦ ଓ ୧୮୧) ଏକ ରଣଜୀ ଟ୍ରଫିର ଉଭୟ ପାଳିରେ ଶତକ ହାସଲ କରିବାରେ ନବମ ଖେଳାଳି ହୋଇଥିଲେ। ପୂର୍ବରୁ ଏସ୍ଏମ କାଦ୍ରୀ, ଉଦୟ ମର୍ଚ୍ଚାଣ୍ଟ, ଦତ୍ତୁ ଫଡକର, ବି‌ନୋଦ କାମ୍ବଲୀ, ସଚିନ ତେନ୍ଦୁଲକର, ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ, ୱାସିମ୍ ଜାଫର ଏଭଳି କରିଥିଲେ।

ସମ୍ବନ୍ଧିତ ଖବର