ଅହମଦାବାଦ : ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ନେଇ ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଅହମଦାବାଦରେ ଘରୋଇ ଦଳ ଗୁଜରାଟ ଟାଇଟନ୍ସକୁ ଭେଟିବ। ବିଜେତା ଟାଇଟନ୍ସ (୬ ମ୍ୟାଚ୍‌, ୮ ପଏଣ୍ଟ) ସଂପ୍ରତି ପଏଣ୍ଟ ଟେବୁଲର ଚତୁର୍ଥରେ ଥିଲା ବେଳେ ଆଇପିଏଲ୍‌ ଇତିହାସର ସଫଳ ଦଳ ଇଣ୍ଡିଆନ୍ସ (୬ ମ୍ୟାଚ୍‌, ୬ ପଏଣ୍ଟ) ଚତୁର୍ଥରେ ରହିଛି।

Advertisment

ଆରମ୍ଭରୁ ୨ ମ୍ୟାଚ୍‌ ହାରିଥିବା ମୁମ୍ବାଇ  ହ୍ୟାଟ୍ରିକ ବିଜୟ ସହ ଲୟକୁ ଫେରିଥିଲା। କିନ୍ତୁ ପଞ୍ଜାବ କିଙ୍ଗ୍ସ ବିପକ୍ଷ ଶନିବାର ମ୍ୟାଚ୍‌ରେ ଏହି ଦଳ ୧୪ ରନ୍‌ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ର ଶେଷ ୫ ଓଭରରେ ମୁମ୍ବାଇ ବୋଲର ୯୬ ରନ୍‌ ବ୍ୟୟ କରିବାରୁ ପଞ୍ଜାବ ବଡ଼ ସ୍କୋର (୨୧୪/୮) କରିପାରିଥିଲା। ଦ୍ରୁତ ବୋଲର ‌ଅର୍ଜୁନ ତେନ୍ଦୁଲକର, ଜାସନ ବେହରେନଡର୍ଫ, କାମେରୁନ ଗ୍ରିନ ଓ ଜୋଫ୍ରା ଅର୍ଚର ନିଜ ଓଭର କୋଟା ପୂରଣ କରି ୪୦ରୁ ଊର୍ଦ୍ଧ୍ବ ରନ୍‌ ବ୍ୟୟ କରିଥିଲେ। ଅଭିଜ୍ଞ ସ୍ପିନର ପୀୟୂଷ ଚାୱାଲା ଓ ତାଙ୍କ ସାଥୀ ହ୍ରିତିକ ସୋକିନ କିନ୍ତୁ ସୁନ୍ଦର ବୋଲିଂ କରି ରନ୍‌ ଗତି କମାଇଥିଲେ। ବ୍ୟାଟିଂରେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଗ୍ରିନ ଓ ଟିମ୍‌ ଡେଭିଡ ଭଲ ଖେଳିଥିଲେ ମଧ୍ୟ ଦଳକୁ ଜିତାଇବାରେ ସକ୍ଷମ ହୋଇନଥିଲେ। ‌ଡେଥ୍‌ ଓଭରରେ ଅର୍ଶଦୀପ ସିଂହଙ୍କ ସୁନ୍ଦର ବୋଲିଂ ଯୋଗୁଁ ମୁମ୍ବାଇ ହାରିବାକୁ ବାଧ୍ୟ ହୋଇଥିଲା। ତେଣୁ ଟାଇଟନ୍ସର ବୋଲିଂ ଲାଇନ୍‌ ଯେଭଳି ରହିଛି ମୁମ୍ବାଇ ବ୍ୟାଟର୍‌ ସଂଘର୍ଷ କରିବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ‌ହାର୍ଦିକ ପାଣ୍ଡ୍ୟ‌ାଙ୍କ ନେତୃତ୍ବାଧୀନ ଗୁଜରାଟକୁ ଡେଥ୍‌ ଓଭରରେ କିଭଳି ଖେଳିବାକୁ ହୁଏ ତାହା ଜଣା। ସେମାନେ ଗତ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷ ମ୍ୟାଚ୍‌ରେ ଏଭଳି କରି ଦେଖାଇଛନ୍ତି। ଏହି ମ୍ୟାଚ୍‌ରେ ମୋହିତ ଶର୍ମା ଶେଷ ଓଭରରେ ଚମତ୍କାର ବୋଲିଂ କରି ଲକ୍ଷ୍ନୌ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ମୋହିତଙ୍କ ସହ ଭେଟେରାନ ବୋଲର ମହମ୍ମଦ ସାମି ମଧ୍ୟ ସୁନ୍ଦର ବୋଲିଂ କରୁଥିଲା ବେଲେ ପାଣ୍ଡ୍ୟା ବଲ୍‌ରେ ସହଯୋଗ କରୁଛନ୍ତି। ରସିଦ ଖାନଙ୍କ ନେତୃତ୍ବରେ ନୁର ଅହମଦ ଓ ଜୟନ୍ତ ଠାକୁରଙ୍କୁ ସ୍ପିନ୍‌ ବିଭାଗ ଦୃଢ଼ ରହିଛି। ଗତ ମ୍ୟାଚ୍‌ରେ ଶୁବମନ ଗିଲ୍‌ ବିଫଳ ହୋଇଥିଲା ବେଳେ ରିଦ୍ଧିମାନ ସାହା ଓ ପାଣ୍ଡ୍ୟା ବଡ଼ ସ୍କୋର୍‌ କରିଥିଲେ।