ଓଡ଼ିଶା ରଣଜୀ ଦଳର ବାମହାତୀ ସ୍ପିନର ପପୁଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର

କଟକ : ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ତିନିଜଣ ଆନ୍ତର୍ଜାତିକ କ୍ରିକେଟର୍‌ ବାହାରି ସାରିଲେଣି। ହେଲେ ୧୭ ବର୍ଷ ହେଲାଣି ଚତୁର୍ଥ ଖେଳାଳି କେବେ ବାହାରିବେ ତାହା କହିବା କଷ୍ଟକର। ତଥାପି ଯେଉଁ ତିନିଜଣ ଆଇପିଏଲ୍‌ ପର୍ଯ୍ୟନ୍ତ ଯାଇଥିଲେ, ସେଥିରୁ ଦୁଇଜଣ ଖେଳିବାକୁ ସୁଯୋଗ ପାଇଥିଲେ। କିନ୍ତୁ ୬ ବର୍ଷ ମଧ୍ୟରେ ଆଉ କେହି ଏହି ସ୍ତରରେ ପହଞ୍ଚି ପାରୁନାହାନ୍ତି। ଏଭଳି ସ୍ଥିତିରେ ଓଡ଼ିଶା ରଣଜୀ ଦଳର ଜଣେ ଉଦୀୟମାନ ଖେଳାଳିଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର ରହିଛି। ହେଲେ ସେ ମଧ୍ୟ କେବଳ ଅପେକ୍ଷାରେ ରହିଯାଇଛନ୍ତି। ସିଏ ହେଉଛନ୍ତି ଓଡ଼ିଶା ରଣଜୀ ଦଳର ବାମହାତୀ ସ୍ପିନର ପପୁ ରଏ। ସୟଦ ମୁସ୍ତାକ ଅଲ୍ଲୀ ଓ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ ପରେ ବର୍ତ୍ତମାନ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଅଣଆନ୍ତର୍ଜାତିକ ଖେଳାଳିଙ୍କ ଉପରେ ନଜର ରଖୁଛନ୍ତି। ସେଥିମଧ୍ୟରେ ମୁମ୍ବାଇ ଇଣ୍ତିଆନ୍ସ ପପୁଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିଲା ବେଳେ ତାଙ୍କ ସହ ଯୋଗାଯୋଗରେ ରହିଛି। କିନ୍ତୁ ତାଙ୍କର ବର୍ତ୍ତମାନର ପ୍ରଦର୍ଶନକୁ ସେମାନେ ତର୍ଜମା କରିବାକୁ ଚାହୁଁଛନ୍ତି। ଏଭଳି ସ୍ଥିତିରେ ଗତ ତିନିଟି ରଣଜୀ ମ୍ୟାଚ୍‌ରେ ପପୁଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରିନାହିଁ। ଯେଉଁଥିପାଇଁ ତାଙ୍କର ଆଇପିଏଲ୍‌ ଚୟନ ଉପରେ ଏବେ ବି ଅନିଶ୍ଚିତତା ଲାଗିରହିଛି। ଅନ୍ୟପକ୍ଷରେ ଖେଳାଳି ନିଲାମି ତାଲିକାରେ ଓଡ଼ିଶାରୁ କେବଳ ଶୁଭ୍ରା˚ଶୁ ସେନାପତିଙ୍କ ନାମ ରହିଥିଲେ ସୁଦ୍ଧା ତାଙ୍କୁ ନେବାକୁ କେହି ଆଗ୍ରହ ଦେଖାଇନଥିଲେ।

ଯାଜପୁର ଜିଲ୍ଲାକୁ ପ୍ରତିନିଧିତ୍ବ କରୁଥିବା ପପୁ ଆରମ୍ଭରୁ ଓଡ଼ିଶା କନିଷ୍ଠ ଦଳରେ ଖେଳି ଆସୁଥିଲେ। ସେଠାରେ ଭଲ ପ୍ରଦର୍ଶନ ଦେବାରୁ ୨୦୧୮-୧୯ ଋତୁରେ ଓଡ଼ିଶା ବରିଷ୍ଠ ଦଳରେ ସ୍ଥାନ ମିଳିଥିଲା। ଦିଲ୍ଲୀରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ସେ ବିଜୟ ହଜାରେ ଟ୍ରଫିରୁ ରାଜ୍ୟ ବରିଷ୍ଠ ଦଳ ପାଇଁ ଖେଳିବା ଆରମ୍ଭ କରିଥିଲେ। ପଦାର୍ପଣ ମ୍ୟାଚ୍‌ରେ ସେ ୧୦ ଓଭରରେ ୧୬ ରନ୍‌ ବ୍ୟୟ କରି ୨ ଵିକେଟ ନେଇଥିଲେ। ଏଥିମଧ୍ୟରେ ୨ ଓଭର ମେଡେନ୍‌ ଥିଲା। ଏହି ପ୍ରତିଯୋଗିତାରେ ପପୁ ୮ ମ୍ୟାଚ୍‌ ଖେଳି ୧୮.୪୨ ହାରରେ ଓଡ଼ିଶା ପାଇଁ ସର୍ବାଧିକ ୧୪ ଵିକେଟ୍‌ ନେଇଥିଲେ। ଏଭଳି ପ୍ରଦର୍ଶନ ପାଇଁ ସେ ଦେଓଧର ଟ୍ରଫିରେ ଭାରତ ସି’ ଦଳରେ ସ୍ଥାନ ପାଇଥିଲେ। ଦୁଇଟି ମ୍ୟାଚ୍‌ରେ ସେ ତିନିଟି ଲେଖାଏଁ ଵିକେଟ୍‌ ନେଇଥିବା ବେଳେ ଦଳ ବିଜେତା ହେବାରେ ଅନ୍ୟତମ ଭୂମିକା ନେଇଥିଲେ। ସେହି ସମାନ ଋତୁରେ ସେ ରଣଜୀ ପଦାର୍ପଣ ମଧ୍ୟ କରିଥିଲେ। ପ୍ରଥମ ଋତୁରେ ସେ ମାତ୍ର ୨ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇଥିଲା ବେଳେ ଗୋଟିଏ ଵିକେଟ୍‌ ଅକ୍ତିଆର କରିଥିଲେ। ଏହି ବର୍ଷ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରାଏଲ୍ସ ପାଇଁ ତାଙ୍କୁ ଡକରା ଆସିଥିଲା। ଶିବିରରେ ଭଲ ପ୍ରଦର୍ଶନ କରିଥିଲେ ବି ତାହା ଯଥେଷ୍ଟ ହୋଇନଥିଲା। ଚଳିତ ବର୍ଷ ଆରମ୍ଭରୁ ତାଙ୍କୁ ତିରୁଅନନ୍ତପୁରମ୍‌ଠାରେ ସଭାପତି ଏକାଦଶ ଓ ଇ˚ଲଣ୍ଡ ଲାୟନ୍ସ ମଧ୍ୟରେ ଅନୁଷ୍ଠିତ ଅନୌପଚାରିକ ଦୁଇ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଖେଳିବାକୁ ଆଉ ଏକ ସୁଯୋଗ ମିଳିଥିଲା। ସଭାପତି ଏକାଦଶ ପକ୍ଷରୁ ସେ ଗୋଟିଏ ମ୍ୟାଚ୍‌ ଖେଳି ଗୋଟିଏ ଵିକେଟ୍‌ ନେଇଥିଲେ। ଗତ ବର୍ଷ ଫେବ୍ରୁଆରିରେ ସେ ସୟଦ ମୁସ୍ତାକ ଅଲ୍ଲୀରେ ପଦାର୍ପଣ କରି ୭ ମ୍ୟାଚ୍‌ରୁ ୧୨ ଵିକେଟ ଅକ୍ତିଆର କରିଥିଲେ। ଗତ ଋତୁରେ ସେ ବିଜୟ ହଜାରେ ଟ୍ରଫିରେ ୭ ମ୍ୟାଚ୍‌ରୁ ଦ୍ବିତୀୟ ସର୍ବାଧିକ ୭ ଵିକେଟ୍‌ ଏବ˚ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୭ ମ୍ୟାଚ୍‌ରୁ ୧୨ ଵିକେଟ ନେଇଥିଲେ।

ପପୁଙ୍କ ପ୍ରଦର୍ଶନକୁ ଦେଖି ମୁମ୍ବାଇ ଇଣ୍ତିଆନ୍ସ ଶିବିରକୁ ଦ୍ବିତୀୟ ଥର ପାଇଁ ତାଙ୍କୁ ଡକରା ଆସିଥିଲା। ସେଠାରେ ମଧ୍ୟ ଉନ୍ନତମାନର ପ୍ରଦର୍ଶନ କରିଥିବାରୁ ଦଳରେ ଯିବା ଆଶା ଉଜ୍ବଳ ରହିଛି। ରଣଜୀ ଋତୁ ଆରମ୍ଭ ହେବା ବେଳଠୁ ପପୁଙ୍କ ପ୍ରଦର୍ଶନ କେମିତି ରହୁଛି, ତାହା ଉପରେ ଏବେ ବି ମୁମ୍ବାଇ ସତର୍କ ଦୃଷ୍ଟି ରଖିଛି। କିନ୍ତୁ ପ୍ରଥମ ତିନିଟି ମ୍ୟାଚ୍‌ରେ ପପୁଙ୍କୁ ଚୂଡ଼ାନ୍ତ ଦଳରେ ସ୍ଥାନ ମିଳିନଥିବାରୁ ଆଗାମୀ ଆଇପିଏଲ୍‌ ପାଇଁ ତାଙ୍କୁ ମନୋନୀତ କରାଯିବ କି ନାହିଁ ତାହା ଆଶଙ୍କାରେ ରହିଛି। ତଥାପି ଏବେ ଓଡ଼ିଶା ଭଲ ପ୍ରଦର୍ଶନ ଜାରି ରଖିଛି। ଲଗାତାର ତିନିଟି ମ୍ୟାଚ୍‌ ଜିତିସାରିଲାଣି। ତେଣୁ ପରବର୍ତ୍ତୀ କୌଣସି ମ୍ୟାଚ୍‌ରେ ଯେବେ ବି ସୁଯୋଗ ମିଳିବ ସେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ଅଛନ୍ତି। ପ୍ରଥମେ ଆଇପିଏଲ୍‌ ଓ ସେଠାରେ ସବୁକିଛି ଠିକ୍‌ଠାକ୍‌ ରହିଲେ ଭାରତୀୟ ଦଳରେ ଖେଳିବାକୁ ତାଙ୍କର ଲକ୍ଷ୍ୟ ରଖିଥିବା ପପୁ କହିଛନ୍ତି।

ସମ୍ବନ୍ଧିତ ଖବର