ନୂଆଦିଲ୍ଲୀ: ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏବେ ଜଣେ ପଞ୍ଚ ତାରକା ବୋଲରଙ୍କୁ ପାଇଛି। ଯାହାଙ୍କ ବୌଦ୍ଧିକ ଇଂଜିନିୟରିଂ କାରଣରୁ ତାଙ୍କ ଦଳ ବିଦାୟ ବେଳାରୁ ବାହାରି ଏବେ ବିଜେତା ହେବାର ସ୍ବପ୍ନ ଦେଖିଛି। ଅନେକ କିଛି ହିସାବ ନିକାସ ପରେ ଗ୍ରୁପ୍‌ ପର୍ଯ୍ୟାୟର ଚତୁର୍ଥ ଦଳ ଭାବେ ପ୍ଲେ ଅଫ୍ ଆସିଥିବା ରୋହିତ ଶର୍ମାଙ୍କ ଦଳର ଭାଗ୍ୟ ଉଦୟରେ ମୁଖ୍ୟ ସୂତ୍ରଧର ହୋଇଛନ୍ତି ଆକାଶ ମାଧୱାଲ। ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଶେଷ ଲିଗ୍‌ରେ ୪/୩୭ ଏବଂ ବୁଧବାର ରାତିରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ ବିପକ୍ଷ ଏଲିମିନେଟର୍‌ରେ ୫/୫ ବୋଲିଂ ଚିତ୍ର ସହିତ ଏହି ଉତ୍ତରାଖଣ୍ଡ‌ ବୋଲର ନିଜକୁ ଚାପ ପରିସ୍ଥିତିରେ ଭଲ କରିବାରେ ଦକ୍ଷ ବୋଲି ପ୍ରମାଣିତ କରିଛନ୍ତି। ଯଶପ୍ରୀତ ବୁମରା, ଜୋଫ୍ରା ଆର୍ଚରଙ୍କ ଅନୁପସ୍ଥିତି ପାଇଁ ସଂଘର୍ଷ କରିଥିବା ମୁମ୍ବାଇର ତ୍ରାଣକର୍ତା ସାଜିଛନ୍ତି ଏହି ୨୯ ବର୍ଷୀୟ ୟର୍କର ସ୍ପେଶାଲିଷ୍ଟ। ଆଇପିଏଲ୍‌ର ଦ୍ବିତୀୟାର୍ଦ୍ଧରେ ସୁଯୋଗ ପାଇଥିବା ମାଧୱାଲ ୭ ମ୍ୟାଚ୍‌ରୁ ୧୩ ୱିକେଟ୍ ନେଇ ରାତାରାତି ତାରକା ବୋଲର ହୋଇଯାଇଛନ୍ତି। ଆଇପିଏଲ୍‌ ଇତିହାସରେ ପ୍ରଥମ ବୋଲର ଭାବେ ପ୍ଲେଅଫ୍‌ରେ ୫ ୱିକେଟ୍ ସଫଳତା ପାଇଛନ୍ତି। ଅନିଲ କୁମ୍ବଲେଙ୍କର (୫/୫) ମଧ୍ୟ ସମକକ୍ଷ ହୋଇଛନ୍ତି। ଅଣଅନ୍ତର୍ଜାତୀୟ ବୋଲର ଭାବେ ମଧ୍ୟ ଆଇପିଏଲ୍‌‌ର ରେକର୍ଡ ବୋଲିଂ ଚିତ୍ର ପାଇଛନ୍ତି।

Advertisment

ବିଗତ ୪ ବର୍ଷରେ ମାଧୱାଲଙ୍କ ଜୀବନରେ ବଡ଼ ପରିବର୍ତନ ଘଟିଛି। ବୃତ୍ତିରେ ଇଂଜିନିୟର ହେଲେ ମଧ୍ୟ ଟେନିସ୍ ବଲ୍‌ କ୍ରିକେଟ୍ ଖେଳୁଥିଲେ। ଉତ୍ତରାଖଣ୍ଡ କ୍ରିକେଟ୍ ଆସୋସିଏସନ୍‌ର ଟ୍ରାଏଲ୍ସକୁ ଆସିଥିବା ବେଳେ ମାଧୱାଲଙ୍କ ବୟସ ଥିଲା ୨୪ ବର୍ଷ। ଏହିଠାରୁ ମାଧୱାଲଙ୍କ ଉପରେ ନଜର ପଡ଼ିଥିଲା ଏବଂ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ ଜୀବନ ଆରମ୍ଭ କରିଥିଲେ। ପୂର୍ବତନ ଭାରତୀୟ ଓପନର୍‌ ୱାସିମ୍ ଜାଫର ସେତେବେଳେ ଉତ୍ତରାଖଣ୍ଡ ଦଳର ପ୍ରଶିକ୍ଷକ ଥିଲେ। ଅବତାର ସିଂହ ଚୌଧୁରୀଙ୍କଠୁ ମଧ୍ୟ ଖେଳ ଶିଖିଥିଲେ। କିନ୍ତୁ ପୂର୍ବତନ ସର୍ଭିସେସ୍‌ ଦ୍ରୁତ ବୋଲର ମନୀଷ ଝା ଉତ୍ତରାଖଣ୍ଡ ପ୍ରଶିକ୍ଷକ ଦାୟିତ୍ବ ନେବା ପରେ ତାଙ୍କ ତତ୍ବାବଧାନରେ ହିଁ ମାଧୱାଲ ପ୍ରଷ୍ଫୁଟିତ ହୋଇଥିଲେ। ‘ସେ ଜଣେ କଚ୍ଚା ପ୍ରତିଭା ଥିଲେ ଏବଂ ଅସ୍ଥିର ମାନସିକତାର ମଧ୍ୟ। ଟିଭିରେ ଦେଖିଥିବାରୁ ସେ ଓଭରର ପ୍ରତି ବଲ୍‌କୁ ଭିନ୍ନ ଭିନ୍ନ ଭାବେ ପକାଉଥିଲେ। ତାଙ୍କୁ ଏକାଗ୍ରତାକୁ ଆଣିବା ଆମର ପ୍ରଥମ କାର୍ଯ୍ୟ ଥିଲା’ ବୋଲି ମନୀଷ ପ୍ରକାଶ କରିଥିଲେ। ମୁଁ ତାଙ୍କୁ କହିଥିଲି, ଦ୍ରୁତ ବେଗରେ ପକାଇବା ପାଇଁ ଏବଂ ରନ୍‌ ବ୍ୟୟ ହେଲେ ବି ଚିନ୍ତା ନକରିବାକୁ। ବିଜୟ ହଜାରେ ଟ୍ରଫିର ସମସ୍ତ ମ୍ୟାଚ୍‌ ଖେଳିବାକୁ ପ୍ରତିଶ୍ରୁ୍ତି ଦେଇଥିଲୁ। ଟେନିସ୍‌ ବଲ୍ କ୍ରିକେଟରୁ ଆସିଥିବାରୁ ସମ୍ଭବତଃ ମାଧୱାଲଙ୍କୁ ଅଧିକ ସମୟ ଲାଗିଥିଲା ବୋଲି ମନୀଷ ପ୍ରକାଶ କରିଥିଲେ। ସେ ଜଣେ ଇଂଜିନିୟରିଂ ଉତ୍ତୀର୍ଣ୍ଣ ଥିଲେ ଏବଂ ସବୁ କଥାକୁ ଜଲଦି ଧରି ନେଉଥିଲେ। ତାଙ୍କ ପିତା ନଥିବାରୁ ପରିବାର ମଧ୍ୟ ଆର୍ଥିକ ଅସ୍ଥିରତା ମଧ୍ୟରେ ଥିଲା। ଆକାଶଙ୍କୁ ଯାହା କୁହାଗଲେ ସେ ତୁରନ୍ତ ଶୁଣିଥା’ନ୍ତି, ଏହା ତାଙ୍କୁ ସଫଳତା ଦିଗରେ ନେଇଛି। ଲାଲ୍ ବଲ୍‌ରେ ତାଙ୍କ ଦକ୍ଷତା ଉପରେ ଅଧିକ କାର୍ଯ୍ୟ କରିବାର ଅଛି।

‘ମୁଁ ବୁମରାଙ୍କ ବିକଳ୍ପ ନୁହେଁ’

ବୁଧବାର ରାତିରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ବିପକ୍ଷ ମୁକାବିଲାରେ ଆକାଶ ମାଧୱାଲ ଯେଭଳି ୟର୍କର ଭରା ୩.୩ ଓଭରରେ ୫/୫ ବୋଲିଂ ଚିତ୍ର ପାଇବା ପରେ ସମସ୍ତେ ତାଙ୍କୁ ସ୍ବତଃ ଯଶପ୍ରୀତ୍ ବୁମରାଙ୍କ ସହ ତୁଳନା କରିଛନ୍ତି। ମୁମ୍ବାଇର ଏହି ନୂଆ ଆକାଶ କିନ୍ତୁ ରୋକଠୋକ୍ ଭାବେ ମନା କରି ଦେଇଛନ୍ତି। ବୁମରା ଭାଇଙ୍କ ସହ ମୁଁ ତୁଳନୀୟ ନୁହେଁ କି ତାଙ୍କ ବିକଳ୍ପ ‌ନୁହେଁ। ତାଙ୍କ ସ୍ଥାନ ସ୍ବତନ୍ତ୍ର, ମୋତେ ଦିଆଯାଇଥିବା ଦାୟିତ୍ବ ମୁଁ ତୁଲାଇବାକୁ ଚେଷ୍ଟା କରୁଛି। ମୁଁ କେବଳ ଅଭ୍ୟାସ କରୁଥିଲି ଏବଂ ସୁଯୋଗ ଅପେକ୍ଷାରେ ଥିଲି। ନିଜ ପାଇଁ ଏବେ ମୁଁ ଗର୍ବିତ ଏବଂ ଉନ୍ନତ ପ୍ରଦର୍ଶନ ପାଇଁ ଚେଷ୍ଟା କରିବି’ ବୋଲି ଆକାଶ ପ୍ରକାଶ କରିଛନ୍ତି। ରୋହିତ ଭାଇ ଜାଣିଥିଲେ ୟର୍କର ମୋ ଶକ୍ତି ଓ ସାମର୍ଥ୍ୟ। ମୁଁ ନୂଆ ବଲ୍‌ରେ ବୋଲିଂ କରିପାରେ ବୋଲି ସେ ହିଁ କହିଥିଲେ। ରୋହିତ ତାଙ୍କୁ ‘ତୁ ବିନ୍ଦାସ ଡାଲ୍‌’ କହିବା ଫରକ ପକାଇଥିଲା। କିଛି ଦିନ ତଳେ ମାଧୱାଲଙ୍କୁ ପ୍ରଶିକ୍ଷକ ଅବତାର ସିଂହ ଲମ୍ବା ରେସ୍‌ର ଘୋଡ଼ା ବୋଲି ମଧ୍ୟ ଅଭିହିତ କରିଥିଲେ।