ଚେନ୍ନାଇ ସୁପର କିଙ୍ଗସକୁ ୧ ରନରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ ଚାମ୍ପିୟନ୍‌

ହାଇଦ୍ରାବାଦ : ଆଇପିଏଲର ଦ୍ୱାଦଶ ସଂସ୍କରଣରେ ଚାମ୍ପିୟନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ହାଇଦ୍ରାବାଦରେ ଖେଳାଯାଇଥିବା ରୋମାଞ୍ଚକର ଆଇପିଏଲ୍‌ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା। ମାତ୍ର ୧ ରନରେ ପରାଜିତ ହୋଇଥିଲା ଚେନ୍ନାଇ। ଜୋରଦାର ବୋଲିଂ ବଳରେ ଚେନ୍ନାଇ ସୁପର କିଙ୍ଗସକୁ ପରାଜିତ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏଥରକୁ ମିଶାଇ ମୁମ୍ବାଇ ଇଣ୍ଡିଆନ୍ସ ଚତୁର୍ଥ ଥର ଲାଗି ଚାମ୍ପିୟନ ହୋଇଛି। ପୂର୍ବରୁ ୨୦୧୩, ୨୦୧୫ ଓ ୨୦୧୭ ମସିହାରେ ଆଇପିଏଲ୍‌ ବିଜେତା ହୋଇଥିଲା ମୁମ୍ବାଇ। ସେହିପରି ଆଜି ମ୍ୟାଚ ହାରି ରନର୍ସ-ଅପ ହୋଇଥିବା ଚେନ୍ନାଇ ସୁପର କିଙ୍ଗସ ଅତୀତରେ ୩ ଥର ( ୨୦୧୦,୨୦୧୧ ଓ ୨୦୧୮) ଚାମ୍ପିୟନ ହୋଇଛି।

୧୫୦ ରନର ଟାର୍ଗେଟକୁ ପିଛା କରି ଚେନ୍ନାଇ ସୁପର କିଙ୍ଗସ ବ୍ୟାଟିଂ ଆରମ୍ଭ କରିଥିଲେ ହେଁ ଦଳର ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନମାନେ କ୍ରିଜରେ ଜମି ରହି ପାରି ନଥିଲେ। ପ୍ରଥମେ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୧୩ ବଲରେ ୨୬ ରନ କରି ଫାଫ୍‌ ଡୁପ୍ଲେସିସ୍‌ କୃନାଲ ପାଣ୍ଡ୍ୟାଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ତା’ପରେ ସୁରେଶ ରାଇନା ୮ ରନ୍‌ ଓ ଅମ୍ବାତି ରାୟଡୁ ୧ ରନ୍‌ କରି କ୍ରିଜରୁ ବିଦାୟ ନେଇଥିଲେ। ଚେନ୍ନାଇ ସୁପର କିଙ୍ଗସ କ୍ୟାପଟେନ୍‌ ମହେନ୍ଦ୍ର ସିଂ ଧୋନୀ ପାରି ସମ୍ଭାଳିବାକୁ ଆସିଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ମାତ୍ର ୨ ରନ କରିଥିବା ବେଳେ ରନଆଉଟ୍‌ ହୋଇ ଯାଇଥିଲେ। ତେବେ ଦଳର ଓପନର ସେନ୍‌ ଓ୍ଵାଟସନଙ୍କ ଧମାକାଦାର ପ୍ରଦର୍ଶନ ( ୫୯ ବଲରେ ୮୦ ରନ୍) ଚେନ୍ନାଇ ସୁପର କିଙ୍ଗସକୁ ଏକ ସମ୍ମାନଜନକ ସ୍ଥିତିକୁ ଆଣିଥିଲା। ସେ  ବ୍ରାଭୋଙ୍କୁ ସାଥୀ କରି ଚେନ୍ନାଇ ପାଳି ସମ୍ଭାଳି ନେଇଥିଲେ। ବ୍ରାଭୋ ୧୫ (୧୫) କରି ଜସପ୍ରୀତ ବୁମରାଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ରବୀନ୍ଦ୍ର ଜାଡେଜା କ୍ରିଜକୁ ଆସି ଓ୍ଵାଟସନଙ୍କ ସହ ଯୋଗ ଦେଇଥିଲେ। ମାତ୍ର ଓ୍ଵଟସନ୍‌  ୮୦ ରନ କରି ବିଦାୟ ନେବା ପରେ ଶାର୍ଦ୍ଦୁଲ ଠାକୁର ବ୍ୟାଟିଂ କରିବାକୁ ଆସିଥିଲେ। ମ୍ୟାଚର ଶେଷ ବଲରେ ଜିତିବା ଲାଗି ୨ ରନ ଆବଶ୍ୟକ ଥିବା ବେଲେ ମାଲିଙ୍ଗାଙ୍କ ବଲରେ ଶାର୍ଦ୍ଦୁଲ ଠାକୁର ଏଲବିଡ୍ଵ୍ଲୁ ହୋଇଯାଇଥିଲେ। ଫଳରେ ଚେନ୍ନାଇ ସୁପର କିଙ୍ଗସ ୧ ରନରେ ହାରି ଯାଇଥିଲା।

ପ୍ରଥମ ଇନିଂସରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ମୁମ୍ବାଇ ଇଣ୍ଡିଆନ୍‌ସ ୧୫୦ ରନ୍‌ ଟାର୍ଗେଟ ଦେଇଥିଲା। ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୪୯ ରନ୍‌ କରିଥିଲା। କିରଣ ପୋଲାର୍ଡ ଏକ ମାତ୍ର ଖେଳାଳି ଯିଏକି ସର୍ବାଧିକ ( ଅପରାଜିତ ୪୧ ରନ୍‌, ୨୫ ବଲ, ୩ ଚୌକା, ୩ ଛକା) ରନ୍‌ କରିଥିଲେ। ଓପନ୍‌ର କ୍ୱିଣ୍ଟନ୍‌ ଡି କକ୍‌ ୨୯ ରନ୍‌ କରିଥିଲେ। ସେ ୧୭ଟି ବଲ ଖେଳି ୪ଟି ଛକା ବଳରେ ଏହି ସ୍କୋର କରିଥିଲେ। ଶାର୍ଦ୍ଦୁଲ ଠାକୁରଙ୍କ ବଲ ଓ୍ଵିକେଟ୍‌କିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ୍‌ ଦେଇ ସେ ପାଭଲିଅନ୍‌ ଫେରିଥିଲେ। ମୁମ୍ବାଇ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ୪.୫ ଓଭରରେ ଡି କକ୍‌ ଏବଂ ଅଧିନାୟକ ରୋହିତ ଶର୍ମା (୧୫ରନ୍‌)ଙ୍କୁ ହରାଇଥିଲା। ଦିପକ ଚହରଙ୍କ ବଲରେ ଧୋନିଙ୍କୁ କ୍ୟାଚ୍‌ ଦେଇ ରୋହିତ ଆଉଟ୍‌ ହୋଇଥିଲେ।

ଫାଇନାଲ୍‌ ମ୍ୟାଚ୍‌ରେ ରବିବାର ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଟସ୍‌ ଜିଣି ମୁମ୍ବାଇ ଇଣ୍ଡିଆନସ୍‌ ପ୍ରଥମେ ବ୍ୟାଟିଂ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୧୦ଟି ବଲ୍‌ ଖେଳି ୧୬ ରନ୍‌ କରିଥିଲେ। ସେ ଦିପକ ଚହରଙ୍କ ବଲ୍‌ରେ ଆଉଟ୍‌ ହୋଇ ପାଭ୍‌ଲିଅନ୍‌ ଫେରିଥିଲେ। ସେହିପରି ଦିପକ ଚହରଙ୍କ ବଲ୍‌ରେ ରାହୁଲ ଚହର ଖାତା ନ ଖୋଲି ଆଉଟ୍‌ ହୋଇଥିଲେ।

ଚେନ୍ନାଇର ୩ୟ ଶିକାର ହୋଇଥିଲେ ସୂର୍ଯ୍ୟକାନ୍ତ ଯାଦବ। ୧୭ଟି ବଲ ଖେଳି ୧୫ ରନ୍‌ ସଂଗ୍ରହ କରି ସେ ଇମ୍‌ରାନ ତାହିରଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ସ୍କୋର ୮୨ ରନ୍‌ରେ ମୁମ୍ବାଇ ସୂର୍ଯ୍ୟକାନ୍ତଙ୍କୁ ହରାଇଥିବା ବେଳେ ୮୯ ରନ୍‌ରେ କ୍ରୁଣାଲ ପାଣ୍ଡ୍ୟା (୭ରନ୍‌) ଆଉଟ୍‌ ହୋଇଥିଲେ। ଶାର୍ଦ୍ଦୁଲ ଠାକୁରଙ୍କ ବଲ୍‌ ଦ୍ୱାରା କ୍ରୁଣାଲ ଆଉଟ୍‌ ହୋଇ ପାଭ୍‌ଲିଅନ୍‌ ଫେରିଥିଲେ। ମୁମ୍ବାଇ ୫ମ ଓ୍ଵକେଟ୍‌ ଭାବେ ଈଶାନ କିଷାନ (୨୩ ରନ୍‌)ଙ୍କୁ ହରାଇଥିଲା। ଇମ୍ରାନ୍‌ ତାହିରଙ୍କ ବଲ ସୁରେଶ ରାଇନାଙ୍କୁ କ୍ୟାଚ୍‌ ଦେଇ ଈଶାନ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର