ମୁମ୍ବାଇ: ଆଗାମୀ ଆଇପିଏଲ୍‌ ପୂର୍ବରୁ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ନୂଆ ଜର୍ସି ଉନ୍ମୋଚନ କରିଛି। ପ୍ରଖ୍ୟାତ ଡିଜାଇନର ମନୀଷା ଜୟସିଂହ ଏହାକୁ ପ୍ରସ୍ତୁତ କରିଛନ୍ତି। ଜର୍ସି ପୂର୍ବ ଭଳି ନୀଳ ରଙ୍ଗର ହୋଇଥିବା ବେଳେ ସୁନେଲି ରଙ୍ଗର ଷ୍ଟ୍ରାଇଭ୍‌ ରହିଛି। ଜର୍ସିରେ ଏମ୍‌ ଅକ୍ଷରର ଲୋଗୋ ରହିଛି। ‘‘ଆମ ଖେଳାଳି ନୀଳ ଓ ସୁନେଲି ଜର୍ସି ପିନ୍ଧି ‘ମୁମ୍ବାଇ ମେରି ଜାନ୍‌’ ସ୍ଲୋଗାନ ସହ ପ୍ରଶଂସକ ଏମ୍‌ଆଇ ପଲ୍‌ଟନର ଆଶା ଆକାଂକ୍ଷା ପୂରଣ କରିବା ଚେଷ୍ଟା କରିବେ’’ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ନିଜର ପ୍ରଥମ ମ୍ୟାଚ୍‌ ମାର୍ଚ୍ଚ ୨୪ରେ ଅହମଦାବାଦରେ ଗୁଜରାଟ ଜାଏଣ୍ଟସ୍ ସହ ‌ଖେଳି ଅଭିଯାନ ଆରମ୍ଭ କରିବ।