ଆଇପିଏଲ୍: ୪୨ ରନରେ ହାଇଦ୍ରାବାଦକୁ ହରାଇଲା ମୁମ୍ବାଇ, ବିଜୟ ପରେ ବି ପ୍ଲେ-ଅଫ୍ ଦୌଡ଼ରୁ ବାଦ୍

ନୂଆଦିଲ୍ଲୀ: ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ୍ ୨୦୨୧ର ୫୫ତମ ମ୍ୟାଚରେ  ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦକୁ ୪୨ ରନରେ ପରାସ୍ତ କରିଥିଲେ ହେଁ ଚଳିତ ଟୁର୍ଣ୍ଣାମେଣ୍ଟର ପ୍ଲେ-ଅଫ୍ ଦୌଡ଼ରୁ ବାଦ ପଡ଼ିଛି। ଯଦି ଆଜିର ମ୍ୟାଚରେ ମୁମ୍ବାଇ ହାଇଦ୍ରାବାଦକୁ ୧୭୧ ରନରେ ପରାଜିତ କରି ପାରିଥାଆନ୍ତା ‌ତେବେ ପ୍ଲେ-ଅଫ୍ ଯୋଗ୍ୟତା ହାସଲ କରି ପାରିଥାଆନ୍ତା। ମାତ୍ର  ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଇଉକେଟ ହରାଇ ୨୩୫ ରନ୍ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଏହାର ଜବାବରେ ଲଢ଼ୁଆ ଖେଳ ପ୍ରଦର୍ଶନ କରି ହାଇଦ୍ର‌ାବାଦ ୮ ଉଇକେଟ୍ ହରାଇ ୧୯୩ ରନ୍ କରିଥିଲା। ଫଳରେ ମାତ୍ର ୪୨ ରନରେ ବିଜୟ ହାସଲ କରିଥିଲା ମୁମ୍ବାଇ। ଦଳ ପକ୍ଷରୁ ଇସାନ୍ କିଷାନ୍ ମାତ୍ର ୩୨ ବଲରୁ ସର୍ବାଧିକ ୮୪ ରନ୍ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୪୦ ବଲରେ ୮୨ ରନ୍ କରି ବିଶାଳ ସ୍କୋର ଲାଗି ମୂଳଦୁଆ ପକାଇ ଥିଲେ।

ଆଇପିଏଲରେ  ପାଞ୍ଚ ଥରର ଚାମ୍ପିୟନ ତଥା ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ  ପ୍ଲେ-ଅଫ୍ ଦୌଡ଼ରୁ ଆଉଟ୍ ହୋଇଯାଇଛି । ଏଥିସହିତ ମୁମ୍ବାଇର ହାଟ୍ରିକ୍ ଚାମ୍ପିୟନ ହେବାର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହୋଇଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୋହିତ ଶର୍ମାଙ୍କ ଟିମ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡିଛି ।

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ସିଜିନ୍ ସେତେଟା ଭଲ ଯାଇନି । ଦଳ ୭ଟି ମ୍ୟାଚରେ ପରାଜୟ ବରଣ କରିଛି, ଯେଉଁଥିପାଇଁ ଆଜି ଦଳ ପାଇଁ ପ୍ଲେ-ଅଫ୍ ରାସ୍ତା ବନ୍ଦ ହୋଇଯାଇଛି । ତେବେ ୨୦୧୮ ମସିହା ପରେ ପ୍ରଥମ କରି ଆଇପିଏଲ୍ ପ୍ଲେ-ଅଫରେ ସ୍ଥାନ ପାଇପାରିନି ରୋହିତ ବାହିନୀ ।

ସୂଚନାଯୋଗ୍ୟ ଯେ, ଆଇପିଏଲ୍ ଇତିହାସରେ ସବୁଠୁ ସଫଳ ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ୨୦୧୩,୨୦୧୫,୨୦୧୭,୨୦୧୯,୨୦୨୦ ମସିହାରେ ଆଇପିଏଲ ଟାଇଟଲ ଜିତିଛି । ଅନ୍ୟ କୌଣସି ଦଳ ଏପରି ସଫଳତା ହାସଲ କରିପାରିନାହାନ୍ତି । ତେବେ ଚଳିତ ଥର କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଟ୍ରଫିରେ ନିଜ ନାଁ ଲେଖିବାରୁ ବଞ୍ଚିତ ହେବ । ଏହି ମ୍ୟାଚ୍ ସହିତ ବର୍ତ୍ତମାନ ଆଇପିଏଲ୍ ପ୍ଲେ-ଅଫରେ ୪ଟି ଟିମ୍ ନିଜ ନିଜ ସ୍ଥାନ ପକ୍କା କରିଦେଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପରକିଙ୍ଗସ୍, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ଚାମ୍ପିୟନ ହେବା ପାଇଁ ପ୍ଲେ-ଅଫରେ ମୁହାଁମୁହିଁ ହେବେ ।
ସମ୍ବନ୍ଧିତ ଖବର