ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସର ପୁଲ୍ ପାର୍ଟି

ଆବୁଧାବି: ପୂର୍ବ ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ପରେ ଷଷ୍ଠ ଟ୍ରଫି ଲକ୍ଷ୍ୟରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ର ଅବଶିଷ୍ଟାଂଶ ଲାଗି ୟୁଏଇରେ ଅଭ୍ୟାସ ଆରମ୍ଭ କରିଛି। ଚାପମୁକ୍ତ ହେବା ଲାଗି ଏକାଠି ଓନମ ଉତ୍ସବ ପାଳିଛି। ଇଂଲଣ୍ଡରେ ଟେଷ୍ଟ୍ ଖେଳୁଥିବା ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଛଡ଼ା ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟ ସମସ୍ତ ଖେଳାଳି ଗତ ୧୩ ତାରିଖରେ ଆବୁଧାବି ପହଞ୍ଚିଥି‌ଲେ। ଏହା ପରେ ଗୋଟିଏ ସପ୍ତାହ ପାଇଁ ସଙ୍ଗରୋଧରେ ରହିଥିଲେ। ରବିବାର ପୁଲ୍ ପାର୍ଟି କରି ଏହି ଦଳର ଖେଳାଳିମାନେ ନିଜ ସଙ୍ଗରୋଧ ଶେଷ ହେବାର ଖୁସି ମନାଇଛନ୍ତି। ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳିମାନେ ସ୍ଥାନୀୟ ସେଣ୍ଟ ରେଜିସ୍ ସାଦିୟାତ ଆ‌ଇଲାଣ୍ଡ ରିସୋର୍ଟର ସନ୍ତରଣାଗାରରେ ଭଲିବଲ୍ ଖେଳୁଥିବା ଦେଖିବାକୁ ମିଳିଥିଲା।

ରବିବାରର ପୁଲ୍ ପାର୍ଟିରେ ମୁମ୍ବାଇ ଇଣ୍ଡିଆନ୍ସର କ୍ରିକେଟ୍ ପରିଚାଳନା ନିର୍ଦ୍ଦେଶକ ତଥା ପୂର୍ବତନ ଅନ୍ତର୍ଜାତୀୟ ବୋଲର ଜାହିର ଖାନ୍, ପ୍ରତିଭା ଅନ୍ବେଷଣ ମୁଖ୍ୟ ପାର୍ଥିବ ପଟେଲ, ୱିକେଟ୍ ରକ୍ଷଣ ପରାମର୍ଶଦାତା କିରଣ ମୋରେ, ପ୍ରବନ୍ଧକ ରାହୁଲ ସାଙ୍ଗଭୀ ପ୍ରମୁଖ ପୁଲ୍ କଡ଼ରେ ଆୟୋଜିତ ଓନମ ଉତ୍ସବର ମଜା ନେଇଥିଲେ। ଗତ ସଂସ୍କରଣ ବିଜେତା ମୁମ୍ବାଇ ସେପ୍ଟେମ୍ବର ୧୯ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ଭେଟି ଆଇପିଏଲ୍‌-୧୪ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ କରିବ। ଆଇପିଏଲ୍-୧୪ର ପୂର୍ବରୁ ଖେଳାଯାଇଥିବା ୩୧ ମ୍ୟାଚ୍‌ରୁ ମୁମ୍ବାଇ ୭ ମ୍ୟାଚ୍ ଖେଳି ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ୪ ବିଜୟ ଓ ୩ ପରାଜୟ ସହ ୮ ପଏଣ୍ଟ ପାଇଛି। ବଳକା ୨୯ ମ୍ୟାଚ୍‌ରେ ଭଲ କରି ଦଳ ପୁଣି ଥରେ ଟ୍ରଫି ଦୌଡ଼ରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର