ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୧୬ତମ ମ୍ୟାଚରେ ଦିଲ୍ଲୀକୁ ୬ୱିକେଟରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ମୁମ୍ବାଇ ୧୭୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଛି । ମୁମ୍ବାଇ ପକ୍ଷରୁ ରୋହିତ ଶର୍ମା ୬୫ ରନ୍‌ କରିଥିବା ବେଳେ ତିଲକ ବର୍ମା ୪୧ ରନ୍‌ ଓ ଇଶାନ୍ କିଶନ୍ ୩୧ ରନ୍‌ କରିଥିଲେ । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ଟି ୱିକେଟ ନେଇଥିବା ବେଳେ ମୁସ୍ତାଫିଜୁର ରହମାନ ଗୋଟିଏ ୱିକେଟ ନେଇଥିଲେ । ଦିଲ୍ଲୀର ବୋଲର୍‌ ମାନେ ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ କିନ୍ତୁ ଟିମ୍‌କୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଏହା ସହ ମୁମ୍ବାଇ ଇଣ୍ଡିଆନ୍‌ସର ଚଳିତ ସିଜିନ୍‌ର ଏହା ପ୍ରଥମ ବିଜୟ ।

Advertisment

ପ୍ରଥମ ପାଳିରେ ମୁମ୍ବାଇ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଦଳ ଅଧିନାୟକ ଡେଭିଡ୍ ଓ୍ବାର୍ନରଙ୍କ ୫୧ରନ ଓ ଅକ୍ଷର ପଟେଲଙ୍କ ଦ୍ରୁତ ୫୪ ରନ ବଲରେ ନିର୍ଦ୍ଧାରିତ ୧୯.୪ ଓଭରରେ ୧୭୨ରନ କରି ଅଲଆଉଟ୍ ହୋଇଯାଇଥିଲା । ମନୀଷ ପାଣ୍ଡେ ୨୬ ରନ କରିଥିବାବେଳେ ପୃଥ୍ବୀ ଶ ୧୫ ରନ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଦଳର ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।

ଦିଲ୍ଲୀର ଅଧିନାୟକ ଡେଭିଡ୍ ଓ୍ବାର୍ନର ଆଜି ଲଗାତର ୩ୟ ଅର୍ଦ୍ଧଶତକ ମାରିଛନ୍ତି । ଏହା ସତ୍ତ୍ବେ ତାଙ୍କର ଷ୍ଟ୍ରାଇକ୍ ରେଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଜିର ମ୍ୟାଚରେ ସେ ୪୭ଟି ବଲ ଖେଳି ୫୧ ରନ କରିଥିଲେ । ତାଙ୍କ ତୁଳନାରେ ଅକ୍ଷର ପଟେଲ ମାତ୍ର ୨୫ଟି ବଲରେ ୫୪ରନ କରିଥିଲେ ।

ମୁମ୍ବାଇ ପକ୍ଷରୁ ଜେସନ ବେହେରେନଡ୍ରଫ ଓ ପିୟୁଷ ଚାଓ୍ବାଲା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ରିଲେ ମେରେଡିଥ ୨ଟି ଓ୍ବିକେଟ ନେଇଥିବାବେଳେ ହ୍ରିତିକ ସୋକିନ ଗୋଟିଏ ଓ୍ବିକେଟ ନେଇଥିଲେ ।