ମୁମ୍ବାଇ: ଜେମିମା ରଡ୍ରିଗ୍ବେଜ୍ଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଦ୍ବିତୀୟ ଥର ଲାଗି ଡବ୍ଲ୍ୟୁପିଏଲ୍ ମୁକୁଟ କରାୟତ୍ତ କରିଛି। ଶନିବାର ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ଖେଳାଯାଇଥିବା କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ ହର୍ମନପ୍ରୀତ କୌରଙ୍କ ମୁମ୍ବାଇ ଇଣ୍ଡିଆନ୍ସ ୮ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ ଦେଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଦଳ ୧୪ ରନ୍ରେ ୨ ୱିକେଟ୍ ହରାଇ ସଂଙ୍କଟରେ ପଡ଼ିଥିଲା। ନାଟ୍ ଶ୍ଚିବର ବ୍ରଣ୍ଟ୍ ଓ ଅଧିନାୟିକା ହର୍ମନପ୍ରୀତ ତୃତୀୟ ୱିକେଟ୍ରେ ୭୯ ରନ୍ର ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍ ୧୦୦ ପାର୍ କରିଥିଲେ। ବ୍ରଣ୍ଟ୍ ୩୦ ରନ୍ ଓ ହର୍ମନପ୍ରୀତ ଅର୍ଦ୍ଧଶତକ (୬୬, ୪୪ ବଲ୍, ୯ ଚୌକା, ୨ ଛକା) ଅର୍ଜନ କରିଥିଲେ। ଏମାନଙ୍କ ବାଦ୍ ଅମନଜୋତ କୌର (୧୪*, ୭ ବଲ୍), ଗୁନାଲାନ କମଳିନୀ (୧୦, ୭ ବଲ୍) କେବଳ ଦୁଇଅଙ୍କ ଛୁଇଁବାରୁ ଦଳ ୭ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା।
ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ନିୟମିତ ୱିକେଟ୍ ହରାଇବାରୁ ୧୪୧/୯ କରିବାକୁ ସକ୍ଷମ ହୋଇଥିଲା। ମାରିଜାନ କାପ୍ (୪୦, ୨୬ ବଲ୍, ୫ ଚୌକା, ୨ଛକା), ଜେମିମା ରଡ୍ରିଗ୍ବେଜ୍ (୨୧ ବଲ୍ରୁ ୩୦), ଶିଖା ପାଣ୍ଡେ (୨୫ ରନ୍) ଲଢ଼ିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରି ନଥିଲେ। ବ୍ରଣ୍ଟ ୩, କେର୍ ୨ ୱିକେଟ୍ ନେଇଥିଲେ। ହର୍ମନପ୍ରୀତ କୌର ଫାଇନାଲ୍ର ଏବଂ ବ୍ରଣ୍ଟ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସୂଚନାଯୋଗ୍ୟ ଯେ ମୁମ୍ବାଇ ଇଣ୍ଡିଆନ୍ସ ୨୦୨୩ରେ ଖେଳାଯାଇଥିବା ଡବ୍ଲ୍ୟୁପିଏଲ୍ର ପ୍ରଥମ ସଂସ୍କରଣରେ ବିଜେତା ହୋଇଥିଲା। ଗତବର୍ଷର ବିଜେତା ଆର୍ସିବି ଏଥର ପ୍ଲେ ଅଫ୍ ଯୋଗ୍ୟତା ଅର୍ଜନ କରିପାରିନଥିଲା। ଟେବୁଲ୍ ଟପ୍ପର ହୋଇ ପ୍ରଥମ ଥର ଫାଇନାଲ୍ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍ସ କିନ୍ତୁ ଉପ ବିଜେତାରେ ସନ୍ତୁଷ୍ଟ ହୋଇଛି। ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଅଭିନନ୍ଦନ ଜଣାଇଛନ୍ତି ଏହାର ମାଲିକାଣି ନୀତା ଅମ୍ବାନି। ‘ମୋ ବାଳିକା ଖେଳାଳିଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ଥିଲା। ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼ିବାକୁ ଆମେ କଥା ବି ହୋଇଥିଲୁ। ସେମାନେ ଏହା କରି ଦେଖାଇଲେ। ନାଟ୍ ବ୍ରଣ୍ଟ୍ ଓ ହର୍ମନପ୍ରୀତ୍ ଚମତ୍କାର ଖେଳିଲେ’ ବୋଲି ଅମ୍ବାନି କହିଛନ୍ତି। ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସର ଏହା ୧୨ତମ ବିଶ୍ବସ୍ତରୀୟ ଟ୍ବେଣ୍ଟି-୨୦ ଟାଇଟଲ୍।