ଅତୁଳନୀୟ ଇଣ୍ଡିଆନ୍ସ: ମୁମ୍ବାଇ ୫, ଚେନ୍ନାଇ ୩, କୋଲକାତା ୨

ଭୁବନେଶ୍ବର: ଲଳିତ ମୋଦିଙ୍କ ମାନସପୁତ୍ରରୁ ବିସିସିଆଇର ବଡ଼ ଆୟକାରୀ ପ୍ରତିଯୋଗିତାର ମାନ୍ୟତା ପାଇଛି ଇଣ୍ଡିଆନ୍ ପ୍ରିମିୟର୍‌ ଲିଗ୍‌। ୨୦୦୮ ମସିହାରୁ ଯାତ୍ରା ଆରମ୍ଭ କରିଥିବା ଏହି ଟି-୨୦ ପ୍ରତିଯୋଗିତା ଏବେ ବିଶ୍ବର ସବୁଠାରୁ ଆକର୍ଷଣୀୟ ଏବଂ ଲୋଭନୀୟ। ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ବିଜେତା ମୁକୁଟ ପିନ୍ଧିବା ପରେ ଆସନ୍ତୁ ଆଇପିଏଲ୍‌ର ବିଗତ ୧୩ ସଂସ୍କରଣ ଉପରେ ବିହଙ୍ଗାବଲୋକନ କରିନେବା।

୨୦୦୮: ରାଜସ୍ଥାନ ରୟାଲ୍ସ
ନଭି ମୁମ୍ବାଇର ଡିୱାଇ ପାଟିଲ୍‌ ଷ୍ଟାଡିୟମ୍‌ରେ‌ ଖେଳାଯାଇଥିବା ଫାଇନାଲରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୩ ୱିକେଟରେ ହରାଇ ରାଜସ୍ଥାନ ରୟାଲ୍‌ସ ପ୍ରଥମ ସଂସ୍କରଣ ଆଇପିଏଲ୍‌ର ବିଜେତା ହୋଇଥିଲା। ବିଜେତା ଦଳର ସେନ୍‌ ୱାଟସନ୍‌ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବ‌ିବେଚିତ ହୋଇଥିଲେ। କିଙ୍ଗସ ଇଲେଭେନ୍ ପଞ୍ଜାବର ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ୍‌ ସନ୍‌ ମାର୍ସ (୬୧୬ ରନ୍‌) ଅରେଞ୍ଜ୍‌ କ୍ୟାପ୍‌ ଏବଂ ରାଜସ୍ଥାନ ରୟାଲ୍ସର ପାକିସ୍ତାନୀ ଦ୍ରୁତ ବୋଲର ସୋହେଲ୍ ତନଭୀର (୨୨ ୱିକେଟ୍‌) ପର୍ପଲ୍ କ୍ୟାପ୍‌ ବିଜେତା ହୋଇଥିଲେ।

୨୦୦୯: ଡେକାନ୍ ଚାର୍ଜର୍ସ
ଭାରତରେ ସାଧାରଣ ନିର୍ବାଚନ ପାଇଁ ଦ୍ବିତୀୟ ସଂସ୍କରଣ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତର‌ ହୋଇଥିଲା। ଜୋହାନ୍ସବର୍ଗର ୱଣ୍ଡରର୍ସ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ୬ ରନ୍‌ରେ ହରାଇ ଡେକାନ୍ ଚାର୍ଜର୍ସ ବିଜେତା ଆଖ୍ୟା ଅର୍ଜନ କରିଥିଲା। ବିଜେତା ଦଳର ଅଷ୍ଟ୍ରେଲୀୟ ତାରକା ଆଡାମ୍ ଗିଲକ୍ରିଷ୍ଟ୍‌ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଚେନ୍ନାଇ ସୁପର୍‌ କିଙ୍ଗ୍ସର ମାଥ୍ୟୁ ହେ‌ଡେନ୍‌ (୫୭୨ ରନ୍‌) ଅରେଞ୍ଜ୍ କ୍ୟାପ୍‌ ଏବଂ ଡେକାନ୍ ଚାର୍ଜର୍ସର ଆର୍‌ପି ସିଂହ (୨୩ ୱିକେଟ୍‌) ପର୍ପଲ କ୍ୟାପ୍‌ ବିଜେତା ହୋଇଥିଲେ।

୨୦୧୦: ଚେନ୍ନାଇ ସୁପର୍‌ କିଙ୍ଗ୍ସ
ନଭି ମୁମ୍ବାଇର ଡିୱାଇ ପାଟିଲ୍‌ ଷ୍ଟାହିୟମ୍‌ରେ ଖେଳାଯାଇଥିବା ଫାଇନାଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୨ ରନ୍‌ରେ ହରାଇ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପ୍ରଥମ ଥର ବିଜେତା ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସର ସଚିନ ତେନ୍ଦୁଲକର ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସଚିନ ୬୧୮ ରନ୍ ସହ ଅରେଞ୍ଜ୍ କ୍ୟାପ୍ ଏବଂ ଡେକାନ୍‌ର ପ୍ରଜ୍ଞାନ ଓଝା (୨୧ ୱିକେଟ୍‌) ପର୍ପଲ୍ କ୍ୟାପ୍ ବିଜେତା ହୋଇଥିଲେ।

୨୦୧୧: ଚେନ୍ନାଇ ସୁପର୍‌ କିଙ୍ଗ୍ସ
ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ୫୮ ରନ୍‌ରେ ହରାଇ ପ୍ରଥମ ଦଳ ଭାବେ ଚେନ୍ନାଇ ଲଗାତାର ଦ୍ବିତୀୟ ଥର ବିଜେତା ହୋଇଥିଲା। କ୍ରିସ୍ ଗେଲ୍‌ (୬୦୮ ରନ୍‌) ଅରେଞ୍ଜ୍‌ କ୍ୟାପ୍‌ ସହିତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସର ଲସିଥ୍ ମାଲିଙ୍ଗା (୨୮ ୱିକେଟ୍) ପର୍ପଲ୍ କ୍ୟାପ୍‌ ବିଜେତା ହୋଇଥିଲେ।

୨୦୧୨: କୋଲ୍‌କାତା ନାଇଟ୍ ରାଇଡର୍ସ
ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଫାଇନାଲରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ଟ୍ରଫି ହ୍ୟାଟ୍ରିକ୍‌ରୁ ବଞ୍ଚିତ ରଖିଥିଲା କୋଲକାତା ନାଇଟ୍ ରାଇଡର୍ସ। ଫାଇନାଲରେ ୫ ୱିକେଟରେ ହରାଇ ପ୍ରଥମ ଥର ବିଜେତା ହୋଇଥିଲା। ସୁନିଲ ନାରାୟଣ ଶ୍ରେଷ୍ଠ‌‌ ଖେଳାଳି ପୁରସ୍କାର ପାଇଥିଲେ। ଆର୍‌ସିବିର କ୍ରିସ୍ ଗେଲ୍ (୭୩୩ ରନ୍‌) ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ମର୍ନି ମର୍କେଲ୍ (୨୫ ୱିକେଟ୍‌) ଯଥାକ୍ରମେ ଅରେଞ୍ଜ୍‌ ଓ ପର୍ପଲ୍ କ୍ୟାପ୍‌ ବିଜେତା ହୋଇଥିଲେ।

୨୦୧୩: ମୁମ୍ବାଇ ଇଣ୍ଡିଆନ୍ସ
କୋଲକାତାର ଇଡେନ୍ ଗାର୍ଡେନ୍ସରେ ଦୁଇ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୨୩ ରନ୍‌‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଥର ବିଜେତା ହୋଇଥିଲା। ରାଜସ୍ଥାନ ରୟାଲ୍ସର ସେନ୍‌ ୱାଟସନ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଥିଲେ। ଚେନ୍ନାଇ ସୁପର୍‌ କିଙ୍ଗ୍ସର ମାଇକେଲ୍‌ ହସି (୭୩୩ ରନ୍) ଏବଂ ଡ୍ବାନ୍ ବ୍ରାଭୋ (୩୨ ୱିକେଟ୍‌) ଯଥାକ୍ରମେ ଅରେଞ୍ଜ୍‌ ଓ ପର୍ପଲ୍ କ୍ୟାପ୍‌ ବିଜେତା ହୋଇଥିଲେ।

୨୦୧୪: କୋଲ୍‌କାତା ନାଇଟ୍ ରାଇଡର୍ସ
ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ସପ୍ତମ ସଂସ୍କରଣ ଫାଇନାଲରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ୩ ୱିକେଟରେ ହରାଇ କୋଲକାତା ନାଇଟ୍ ରାଇଡର୍ସ ଗୋଟିଏ ବର୍ଷ ବ୍ୟବଧାନରେ ପୁଣି ବିଜେତା ହୋଇଥିଲା। ପଞ୍ଜାବର ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍‌ ଗ୍ଲେନ୍ ମ୍ୟାକ୍ସୱେଲ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କେକେଆର୍‌ର ରବିନ୍‌ ଉଥପ୍ପା (୬୬୦ ରନ୍‌) ଏବଂ ଚେନ୍ନାଇର ମୋହିତ ଶର୍ମା (୨୩ ୱିକେଟ୍‌) ଯଥାକ୍ରମେ ଅରେଞ୍ଜ୍‌ ଓ ପର୍ପଲ୍ କ୍ୟାପ୍‌ ବିଜେତା ହୋଇଥିଲେ।

୨୦୧୫: ମୁମ୍ବାଇ ଇଣ୍ଡିଆନ୍ସ
କୋଲକାତାର ଇଡେନ୍ ଗାର୍ଡେନ୍ସରେ ପୁଣି ଥରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ୪୧ ରନ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ବିଜେତା ହୋଇଥିଲା। କେକେଆର୍‌ର ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଆନ୍ଦ୍ରେ ରସେଲ୍ ଲିଗ୍‌ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ହାଇଦ୍ରାବାଦର ଡେଭିଡ୍‌ ୱାର୍ନର (୫୬୨ ରନ୍‌) ଏବଂ ଚେନ୍ନାଇର ଡ୍ବାନ ବ୍ରାଭୋ (୨୬ ୱିକେଟ୍‌) ଯଥାକ୍ରମେ ଅରେଞ୍ଜ୍ ଓ ପର୍ପଲ୍‌ କ୍ୟାପ୍‌ ବିଜେତା ହୋଇଥିଲେ।

୨୦୧୬: ସନ୍‌ରାଇଜର୍ସ ହାଇଦ୍ରାବାଦ
ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ନବମ ସଂସ୍କରଣ ଫାଇନାଲରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌କୁ ୮ ରନ୍‌ରେ ହରାଇ ସନ୍‌ରାଇଜର୍ସ ହାଇଦ୍ରାବାଦ ଷଷ୍ଠ ନୂଆ ଦଳ ଭାବେ ବିଜେତା ହୋଇଥିଲା। ଆର୍‌ସିବି ଅଧିନାୟକ ବିରାଟ କୋହଲି ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଥିଲେ। ବିରାଟ ମଧ୍ୟ ୯୭୩ ରନ୍‌ ସହିତ ଅରେଞ୍ଜ୍ କ୍ୟାପ୍‌ ଜିତିଥିଲେ। ହାଇଦ୍ରାବାଦର ଭୁବନେଶ୍ବର କୁମାର (୨୩ ୱିକେଟ୍‌) ପର୍ପଲ୍ କ୍ୟାପ୍‌ ଜିତିଥିଲେ।

୨୦୧୭: ମୁମ୍ବାଇ ଇଣ୍ଡିଆନ୍ସ
ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲରେ ରାଇଜିଂ ପୁନେ ସୁପର୍‌ଜ୍ୟାଣ୍ଟସକୁ ରୋମାଞ୍ଚକ ଭାବେ ୧ ରନ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ତୃତୀୟ ଥର ଟ୍ରଫି ବିଜେତା ହୋଇଥିଲା। ପୁନେର ଇଂଲିସ୍ ଅଲରାଉଣ୍ଡର୍‌ ବେନ୍ ଷ୍ଟୋକ୍ସ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ହାଇଦ୍ରାବାଦର ଡେଭିଡ୍ ୱାର୍ନର (୬୪୧ ରନ୍) ଅରେଞ୍ଜ୍‌ କ୍ୟାପ୍‌ ଏବଂ ଭୁବନେଶ୍ବର କୁମାର (୨୬ ୱିକେଟ୍) ପର୍ପଲ୍ କ୍ୟାପ୍‌ ବିଜେତା ହୋଇଥିଲେ।

୨୦୧୮: ଚେନ୍ନାଇ ସୁପର୍‌ କିଙ୍ଗ୍ସ
ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ହରାଇ ଚେନ୍ନାଇ ସୁପର୍‌ କିଙ୍ଗ୍ସ ତୃତୀୟ ଥର ବିଜେତା ମୁକୁଟ ହାତେଇଥିଲା। କେକେଆର୍‌ ସ୍ପିନର୍‌ ସୁନିଲ୍ ନାରାୟଣ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ହାଇଦ୍ରାବାଦର କେନ୍‌ ୱିଲିୟମସନ୍‌ (୭୩୫ ରନ୍‌) ଏବଂ ପଞ୍ଜାବର ଆଣ୍ଡ୍ରିଉ ଟାଇ (୨୪ ୱିକେଟ୍‌) ‌ଯଥାକ୍ରମେ ଅରେଞ୍ଜ୍ ଓ ପର୍ପଲ୍ କ୍ୟାପ୍‌ ବିଜେତା ହୋଇଥିଲେ।

୨୦୧୯: ମୁମ୍ବାଇ ଇଣ୍ଡିଆନ୍ସ
ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଫାଇନାଲରେ ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ରୋମାଞ୍ଚକ ଭାବେ ୧ ରନ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ୪ ଥର ଟ୍ରଫି ବିଜେତା ହେବାର ଗୌରବ ପାଇଥିଲା। କୋଲକାତା ନାଇଟ୍ ରାଇଡର୍ସର ଆନ୍ଦ୍ରେ ରସେଲ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ହାଇଦ୍ରାବାଦର ଡେଭିଡ୍‌ ୱାର୍ନର (୬୯୨ ରନ୍‌) ଅରେଞ୍ଜ୍‌ କ୍ୟାପ୍‌ ଏବଂ ଚେନ୍ନାଇର ଇମ୍ରାନ୍ ତାହିର୍ (୨୬ ୱିକେଟ୍) ପର୍ପଲ୍ କ୍ୟାପ୍‌ ପୁରସ୍କାର ପାଇଥିଲେ।

୨୦୨୦: ମୁମ୍ବାଇ ଇଣ୍ଡିଆନ୍ସ
ଚଳିତ ବର୍ଷ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଫାଇନାଲରେ ପ୍ରଥମ ଥର ପାଇଁ ଟ୍ରଫି ଟକ୍କରରେ ଅବତୀର୍ଣ୍ଣ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟ୍‌ରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍ ବିଜେତା ହୋଇଥିଲା। ନୂଆ ବଲ୍‌ରେ ଦିଲ୍ଲୀକୁ ଘାଇଲା କରିଥିବା ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ତେବେ କିଙ୍ଗ୍ସ ଏକାଦଶ ପଞ୍ଜାବ ଅଧିନାୟକ କେଏଲ୍ ରାହୁଲ (୬୭୦) ସର୍ବାଧିକ ରନ୍ ସଂଗ୍ରହ କରି ନାରଙ୍ଗୀ ଟ୍ରଫି ଜିତିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ରୁତ ବୋଲର କାଗିସୋ ରବାଦା (୩୦) ସର୍ବାଧିକ ୱିକେଟ୍ ଅକ୍ତିଆର କରି ବାଇଗଣୀ ଟୋପି ଜିତିବାର ଗୌରବ ଅର୍ଜନ କରିଥିଲେ। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ।

ସମ୍ବନ୍ଧିତ ଖବର