ଆଇପିଏଲ : ଗୁଜୁରାଟକୁ ୫ ରନରେ ହରାଇଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୫୧ତମ ମ୍ୟାଚରେ ଗୁଜୁରାଟକୁ ୫ ରନରେ ପରାସ୍ତ କରିଛି ମୁମ୍ବାଇ । ୧୭୮ ରନ ଲକ୍ଷ୍ୟର ପିଛା କରୁଥିବା ଗୁଜୁରାଟ ନିର୍ଦ୍ଧାରିତ ୨୦ ଓଭରରେ ୧୭୨ ରନ କରିପାରିଥିଲା । ଗୁଜୁରାଟ ପକ୍ଷରୁ ରିଦ୍ଧିମାନ ଶାହା ୫୫ ରନ, ଶୁଭମନ ଗିଲ ୫୨ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ କରିଥିଲେ ।

ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୭ ରନ କରିଥିଲା । ଦୁଇ ଓପନର ଇଶାନ କିଷନ ୪୫, ରୋହିତ ଶର୍ମା ୪୩ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ହେଁ, ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳୀୟ ରନ ଗତି ଧୀମା ହୋଇଯାଇଥିଲା । ତେବେ ଶେଷ ବେଳକୁ ଟିମ ଡେଭିଡ ଏକ ଲଢୁଆ ପାଳି ଖେଳି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସେ ମାତ୍ର ୨୧ଟି ବଲ ଖେଳି ଅପରାଜିତ ୪୪ରନ କରିଥିଲେ । ନିଜର ଏହି ଇନିଂସରେ ସେ ୪ଟି ଛକା ଓ ୨ଟି ଚୌକା ମାରିଥିଲେ ।
ଗୁଜୁରାଟ ପକ୍ଷରୁ ରସିଦ ଖାଁ ୨ଟି ଓ୍ବିକେଟ ନେଇଥିବାବେଳେ ଲକି ଫର୍ଗୁସନ, ପ୍ରଦୀପ ସାଂଗଓ୍ବାନ ଓ ଅଲଜାରି ଜୋସେଫ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର