ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୩ତମ ସଂସ୍କରଣର ୪୮ତମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫ ଓ୍ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ । ଦ୍ବିତୀୟ ପାଳିରେ ମୁମ୍ବାଇ ୧୬୫ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୧୯.୧ ଓଭରରେ ୫ ୱିକେଟ ହରାଇ ୧୬୬ ରନ୍ କରି ଏହି ବିଜୟ ହାସଲ କରିଛି । ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୭୫ ରନ୍ କରିଥିବା ବେଳ ଇଶାନ୍ କିଶାନ୍ ୨୫ ରନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ରନ୍ କରି ମୁମ୍ବାଇକୁ ବିଜୟ ଦେଇଥିଲେ । ବାଙ୍ଗାଲୋର ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସିରାଜ ୨-୨ଟି ୱିକେଟ ନେଇଥିବା ବେଳେ କ୍ରିସ୍ ମୋରିସ୍ ଗୋଟିଏ ୱିକେଟ ନେଇଥିଲେ । ଫଳରେ ମୁମ୍ବାଇ ଏହି ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା । ଏହି ବିଜୟ ସହ ମୁମ୍ବାଇ ୧୬ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୧ମ ସ୍ଥାନରେ ରହିଛି ।
ପୂର୍ବରୁ ମୁମ୍ବାଇ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ବାଙ୍ଗାଲୋର ୨୦ ଓଭରରେ ୬ଟି ଓ୍ଵିକେଟ୍ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା। ବାଙ୍ଗାଲୋର ଓପନର ଯୋଶ ଫିଲିପ୍ ଓ ଦେବଦୂତ୍ତ ପଡିକ୍କଲ ଟିମ୍ ପାଇଁ ପ୍ରଥମ ଓ୍ଵିକେଟ୍ରେ ୭୧ ରନ୍ ସଂଗ୍ରହ କରିଥିଲେ। ଏଥିରୁ ଯୋଶ ଫିଲିପ୍ ୨୪ଟି ବଲ ଖେଳି ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୩ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ । ମୁମ୍ବାଇର ୨ୟ ଶିକାର ହୋଇଥିଲେ ଅଧିନାୟକ ବିରାଟ କୋହଲି। ସେ ୧୪ଟି ବଲ୍ର ସମ୍ମୁଖୀନ ହୋଇ ବ୍ୟକ୍ତିଗତ ଭାବେ ୯ ରନ୍ କରିଥିଲେ। ଟିମ୍ର ସ୍କୋର ୯୫ ରନ୍ ଥିବା ବେଳେ କୋହଲି ଆଉଟ୍ ହୋଇଥିବା ବେଳେ ୧୩୧ ରନ୍ ଥିବା ସମୟରେ ଏବି ଡିଭିଲିୟରର୍ସ (୧୫ ରନ୍, ୧୨ ବଲ, ୧ ଚୌକା ଓ ୧ ଛକା) ଆଉଟ୍ ହୋଇଥିଲେ। ସେହିପରି ବାଙ୍ଗାଲୋର ଟିମର ସ୍କୋର ୧୩୪ ଥିବା ବେଳେ ଶିଭମ୍ ଦୁବେ ଓ ଦେବଦୂତ୍ତ ପଡିକ୍କଲ (୭୪ ରନ୍, ୪୫ ବଲ, ୧୨ ଚୌକା, ୧ ଛକା)ଙ୍କୁ ହରାଇଥିଲା।
ଗୁରକିରତ ସିଂହ୍ ମନ୍ ଅପରାଜିତ ୧୪ ରନ୍ ଓ ଓ୍ଵାସିଂଟନ୍ ସୁନ୍ଦର ଅପରାଜିତ ୧୦ ରନ୍ କରିଥିଲେ। ମୁମ୍ବାଇର ଦ୍ରୁତ ବୋଲର ଯଶପ୍ରୀତ ବୁମରା ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ରାହୁଲ ଚହର ଓ କରିନ ପୋଲାର୍ଡଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା।