ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ର ୧୬ତମ ସଂସ୍କରଣର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ୪୨ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୬ ୱିକେଟରେ ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସର ଯଶସ୍ବୀ ଜୟଶ୍ବାଲଙ୍କ ୧୨୪ ରନ ବେକାର ହୋଇଯାଇଛି। ରାଜସ୍ଥାନ ରୟାଲ୍ସର ୨୧୩ ରନର ଟାର୍ଗେଟକୁ ପିଛା କରି ମୁମ୍ବାଇ ୩ଟି ବଲ ବାକି ଥାଇ ୨୧୪ ରନ କରି ବିଜୟୀ ହୋଇଛି।

Advertisment

ଦ୍ବିତୀୟ ପାଳିରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଓ ଇଶାନ କିଶାନ ଓପନିଂ କରିଥିଲେ। ଦ୍ବିତୀୟ ଓଭରରେ ରୋହିତ ଶର୍ମା ୩ ରନ କରି ସନ୍ଦୀପ ଶର୍ମାଙ୍କ ବଲରେ ଆଉଟ ହୋଇଯାଇଥିଲେ। ପରେ କାମେରନ ଗ୍ରୀନ ଓ ଇଶାନ ବ୍ୟାଟିଂ ସମ୍ଭାଳିଥିଲେ। ଖେଳର ୯ମ ଓଭରରେ ଇଶାନ ୨୮ ରନ କରିଥିବାବେଳେ ଅଶ୍ବିନୀଙ୍କ ବଲରେ ଆଉଟ ହୋଇଯାଇଥିଲେ। ୪ର୍ଥ ୱିକେଟ ଭାବେ ସୂର୍ଯ୍ୟକୁମାର ଯାଦବ ଆସି ଖେଳକୁ ଏକ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇଥିଲେ। ସୂର୍ଯ୍ୟ ୫୫ ରନ ଓ କାମେରନ ୪୪ ରନ କରି ଆଉଟ ହୋଇଯାଇଥିଲେ। ପରେ ତିଲକ ବର୍ମା ଓ ଟିମ ଡାଭିଡ ଶେଷ ପର୍ଯ୍ୟନ୍ତ ରହି ଖେଳକୁ ଜିତାଇଥିଲେ। ତିଲକ ୨୯ ରନ ଓ ଟିମ ୪୫ ରନ କରିଥିଲେ। ଶେଷ ଓଭର ଅତି ମଜାଦାର ଥିଲା। ୧୭ ରନ ଆବଶ୍ୟକ ଥିବାବେଳେ ଟିମ ଲଗାତର ଭାବେ ପ୍ରଥମ ୩ଟି ବଲକୁ ଛକା ମାରି ଖେଳର ମୁଣ୍ଡି ମାରିଥିଲେ। ରାଜସ୍ଥାନ ପକ୍ଷରୁ ଅଶ୍ବିନୀ ୨ଟି ୱିକେଟ ନେଇଥିବାବେଳେ ସନ୍ଦୀପ ଓ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୧୨ ରନ୍‌ କରିଥିଲା। ରାଜସ୍ଥାନ ରୟାଲ୍ସର ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟଶ୍ବାଲ ଶତକ ହାସଲ କରିଥିଲେ। ସେ ୬୨ଟି ବଲ୍‌ ଖେଳି ୧୬ଟି ଚୌକା ଓ ୮ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୧୨୪ ରନ୍‌ କରିଥିଲେ। ଫଳରେ ଘରୋଇ ମୁମ୍ବାଇ ଦଳକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୨୧୩ ରନ୍‌ ଆବଶ୍ୟକ ପଡ଼ିଥିଲା।

ରାଜସ୍ଥାନ ରୟାଲ୍ସ ପାଇଁ ୟାସଭି ଜୟଶ୍ବାଲ ଓ ଜୋସ୍‌ ବଟଲର (୧୮ ରନ୍‌) ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ୭.୧ ଓଭରରେ ପ୍ରଥମ ୱିକେଟ୍‌ ପାଇଁ ୭୨ ରନ୍‌ର ଭାଗିଦାରୀ ହୋଇଥିଲେ। ୟାସଭି ଆରମ୍ଭରୁ ଆକ୍ରମଣାତ୍ମକ ଭାବେ ଖେଳିଥିଲେ। ତେବେ ତାଙ୍କୁ ଭଲ ସହଯୋଗ କରିବାକୁ ଖେଳାଳି ନଥିଲେ। ରାଜସ୍ଥାନ ପାଇଁ ଅଧିନାୟକ ସଂଜୁ ସାମସନ୍‌ ୧୪, ଜସନ ହୋଲଡର ୧୧ ରନ୍‌ କରିଥିଲେ। ଦେବଦୂତ୍ତ ପଡ୍ଡିକଲ (୨ ରନ୍‌), ସିମରନ ହେଟମେୟର (୮ ରନ୍‌) ଅତି ଶସ୍ତାରେ ଆଉଟ୍‌ ହୋଇ ପାଭଲିଅନକୁ ଫେରିଥିଲେ। ମୁମ୍ବାଇ ତରଫରୁ ଅର୍ଶଦ ଖାନଙ୍କୁ ସର୍ବାଧିକ ୩ଟି ୱିକେଟ୍‌ ମିଳିଥିଲା। ପୀୟୁଷ ଚାୱଲା ୨ଜଣ ବ୍ୟାଟରଙ୍କୁ ପାଭଲିଅନ ପଠାଇଥିଲା ବେଳେ ‌ଜୋଫ୍ରା ଆର୍ଚ୍ଚର ଓ ରିଲି ମେରଡିଟ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।