ଆଇପିଏଲ୍‌-୧୩: କୋଲକାତା ବିପକ୍ଷରେ ୮ ଓ୍ଵିକେଟରେ ବିଜୟୀ ହେଲା ମୁମ୍ବାଇ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୨ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ ୮ ଓ୍ଵିକେଟ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରିଛି। ମୁମ୍ବାଇ ୧୬.୫ ଓଭରରେ ମାତ୍ର ୨ଟି ଓ୍ଵିକେଟ ହରାଇ ୧୪୯ ରନ୍‌ କରିଛି।  ମୁମ୍ବାଇର ଏହି ବିଜୟରେ ନାୟକ ସାଜିଛନ୍ତି  ବ୍ୟାଟସମ୍ୟାନ୍  କ୍ୱିଣ୍ଟନ୍‌ ଡି କକ୍‌। ଡି କକ୍‌ ୪୪ଟି ବଲ୍‌ ଖେଳି ଅପରାଜିତ ୭୮ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ସେ ୯ଟି ଚୌକା ଓ ୩ଟି ଛକା ମାରିଛନ୍ତି।

ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ଓପନର ତଥା ମୁମ୍ବାଇ ଟିମ୍‌ର ଅଧିନାୟକ ରୋହିତ ଶର୍ମା ୩୫ ରନ୍‌ ସଂଗ୍ରହ କରିଥିଲେ। ସେ ୩୬ଟି ବଲ୍‌ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ତେବେ ଓପନର ଦ୍ୱୟଙ୍କ ୯୪ ରନ୍‌ ଭାଗିଦାରୀ ହେବା ଫଳରେ ମୁମ୍ବାଇ ବଡ଼ ବିଜୟ ହାସଲ କରିପାରିଛି।

କୋଲକାତାର ୨ୟ ଶିକାର ହୋଇଥିଲେ ସୂର୍ଯ୍ୟକୁମାର ଯାଦବ (୧୦ ରନ୍‌, ୧୦ ବଲ, ଗୋଟିଏ ଚୌକା)। ସେ ବରୁଣ ଚକ୍ରବର୍ତ୍ତୀଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୧ ରନ୍‌ କରିଥିଲେ। ସେ ୧୧ଟି ବଲ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଆଜି କୋଲକାତାର ଅଧିନାୟକ ଇଅନ୍ ମୋର୍ଗାନ ଟସ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନମାନେ ବିଶେଷ ସ୍କୋର କରିପାରି ନ ଥିଲେ । ଓପନର ରାହୁଲ ତ୍ରିପାଠୀ ମାତ୍ର ୭ରନ କରିଥିବାବେଳେ ଶୁବମନ୍ ଗିଲ ୨୧ ରନ, ନିତିଶ ରାଣା ୫ରନ, ଦିନେଶ କାର୍ତ୍ତିକ ୪ ରନ କରି ଆଉଟ ହୋଇଥିଲେ । ତେବେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଇଅନ ମୋର୍ଗାନ ଓ ୭ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ପାଟ୍ କମିନ୍ସ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ମୋର୍ଗାନ ୩୯ ରନ ଓ କମିନ୍ସ ୫୩ ରନ କରି ଅପରାଜିତ ଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୪୮ ରନ କରିଥିଲା ।

ମୁମ୍ବାଇ ପକ୍ଷରୁ ରାହୁଲ ଚହର ୨ଟି, ଟ୍ରେଣ୍ଟ ବୋଲଟ, ଜସପ୍ରୀତ ବୁମରା ଓ ନାଥନ କୋଲଟିଅର-ନାଇଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

କୋଲକାତା ଦଳ ଆଜି ନବନିଯୁକ୍ତ ଅଧିନାୟକ ଇଅନ ମୋର୍ଗାନଙ୍କ ନେତୃତ୍ୱରେ ଖେଳୁଛି । ଗତକାଲି ଦିନେଶ କାର୍ତ୍ତିକ ନିଜର ବ୍ୟାଟିଂ ଉପରେ ଅଧିକ ମନୋନିବେଶ କରିବାକୁ ଅଧିନାୟକ ପଦ ଛାଡ଼ିବା ପରେ ମୋର୍ଗାନଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରାଯାଇଥିଲା ।

ସମ୍ବନ୍ଧିତ ଖବର