ଲକ୍ଷ୍ନୌ: ଚଳିତ ଆଇପିଏଲ୍ରେ ଶୁକ୍ରବାର ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ରୋମାଞ୍ଚକ ଭାବେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୨ ରନ୍ରେ ପରାସ୍ତ କରିଛି। ୨୦୪ ରନ୍ ପଶ୍ଚାତ୍ଧାବନ ବେଳେ ୧୭ ରନ୍ ଭିତରେ ମୁମ୍ବାଇ ଏହାର ପ୍ରାରମ୍ଭିକ ଯୋଡ଼ିଙ୍କୁ ହରାଇଥିଲା। ଆହତ କାରଣରୁ ରୋହିତ ଶର୍ମା ଖେଳି ନଥିଲେ। ତେବେ ସୂର୍ଯ୍ୟକୁମାର ୟାଦବ (୪୩ ବଲ୍ରୁ ୬୭ ରନ୍) ଓ ନମନ ଧୀର (୨୪ ବଲ୍ରୁ ୪୬ ରନ୍) ଭଲ ଖେଳିବାରୁ ମୁମ୍ବାଇ ପ୍ରାରମ୍ଭିକ ବିପର୍ଯ୍ୟୟ ଏଡ଼ାଇ ଦେଇଥିଲା। ଇମ୍ପାକ୍ଟ ଖେଳାଳି ତିଳକ ବର୍ମା (୨୩ ବଲ୍ରୁ ୨୫ ରନ୍) ମନ୍ଥର ଖେଳିବାରୁ ତାଙ୍କୁ ଦଳ ରିଟାୟର୍ଡ ଆଉଟ୍ କରି ମିଚେଲ୍ ସାଣ୍ଟନର୍ଙ୍କୁ ଡାକିଥିଲା। ଅଧିନାୟକ ହାର୍ଦିକ ପାଣ୍ଡ୍ୟା (୧୬ ବଲ୍ରୁ ୨୮* ରନ୍) ଚେଷ୍ଟା କରିମଧ୍ୟ ପାରି ନଥିଲେ। ଶେଷ ଓଭରରୁ ୨୨ ରନ୍ ଆବଶ୍ୟକ ଥିବାବେଳେ ଅୱେସ ଖାନ୍ (୬, ୨, ୦, ୦, ୧, ୦) ଲକ୍ଷ୍ନୌକୁ ଜିତାଇଥିଲେ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ପାଇଁ ମିଚେଲ୍ ମାର୍ସ ଓ ଐଦେନ ମାରକ୍ରମ ବଢ଼ିଆ ଆରମ୍ଭ କରିଥିଲେ। ପାୱାର ପ୍ଲେ ୬ ଓଭରରେ ୬୯ ରନ୍ ସଂଗ୍ରହ କରିଥିଲେ କୌଣସି ୱିକେଟ୍ ନହରାଇ। ଅବଶ୍ୟ ସପ୍ତମ ଓଭର ଶେଷ ବଲ୍ରେ ଅନ୍କ୍ୟାପ୍ଡ ଯୁବ ବାମହାତୀ ସ୍ପିନର୍ ବିଘ୍ନେଶ ପୁଥୁର ଏକ ରିଟର୍ଣ୍ଣ କ୍ୟାଚ୍ରେ ମିଚେଲ୍ଙ୍କୁ ବିଦା କରିଥିଲେ। ପାୱାର ପ୍ଲେ ଭିତରେ ଅର୍ଦ୍ଧଶତକ ପୂର୍ଣ୍ଣ କରିନେଇଥିବା ମିଚେଲ୍ ୩୧ ବଲ୍ରୁ ୯ ଚୌକା, ୨ ଛକା ବଳରେ ୬୦ ରନ୍ କରିଥିଲେ। ଏହା ପରେ ଅରେଞ୍ଜ୍ କ୍ୟାପ୍ଧାରୀ ନିକୋଲାସ ପୂରନ ଏବଂ ଅଧିନାୟକ ଋଷଭ ପନ୍ତ୍ ଶସ୍ତାରେ ଆଉଟ୍ ହୋଇଯାଇଥିଲେ। ୨୭ କୋଟିରେ ନିଲାମ ହୋଇଥିବା ଋଷଭ କ୍ରମାଗତ ୪ ପାଳିରେ ବିଫଳ ହୋଇ ପୁଣି ଥରେ ଏଲ୍ଏସ୍ଜିକୁ ନିରାଶ କରିଥିଲେ। ମାରକ୍ରମ (୩୮ ବଲ୍ରୁ ୫୩ ରନ୍)ଙ୍କ ପରେ ଆୟୁଷ ବଡ଼ୋନି (୧୯ ବଲ୍ରୁ ୩୦ ରନ୍) ଏବଂ ଡେଭିଡ୍ ମିଲର୍ (୧୪ ବଲ୍ରୁ ୨୭ ରନ୍) ଆକ୍ରମଣାତ୍ମକ ଖେଳି ଦଳକୁ ୨୦୩ ରନ୍ରେ ପହଞ୍ଚାଇ ଦେଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନିୟମିତ ସର୍ଟ ବଲ୍ ପକାଇଥିବା ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଶେଷ ଓଭରରେ ୨ ୱିକେଟ୍ ସହ ୫ ୱିକେଟ୍ ସଫଳତା ଅର୍ଜନ କରିଛନ୍ତି। ନିଜ ଆଇପିଏଲ୍ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର ପାଇବା ସହ ହାର୍ଦିକ ମଧ୍ୟ ପ୍ରଥମ ଅଧିନାୟକ ଭାବେ ୫ ୱିକେଟ୍ ନେଇ ନୂଆ ଇତିହାସ ରଚିଛନ୍ତି।
ସଂକ୍ଷିପ୍ତ ସ୍କୋର: ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ୨୦ ଓଭରରେ ୨୦୩/୮ (ମିଚେଲ୍ ମାର୍ସ-୬୦, ଐଦେନ ମାରକ୍ରମ-୫୩, ଆୟୁଷ ବଦୋନି-୩୦, ଡେଭିଡ୍ ମିଲର୍-୨୭, ହାର୍ଦିକ ପାଣ୍ଡ୍ୟା-୫/୩୬, ଟ୍ରେଣ୍ଟ୍ ବୋଲ୍ଟ-୧/୨୮, ବିଘ୍ନେଶ ପୁଥୁର-୧/୩୧, ଅଶ୍ବିନୀ କୁମାର-୧/୩୯)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୧/୫ (ସୂର୍ଯ୍ୟକୁମାର ୟାଦବ-୬୭, ନମନ ଧୀର-୪୬, ହାର୍ଦିକ ପାଣ୍ଡ୍ୟା-୨୮*, ଦିଗବେଶ ରାଠି-୧/୨୧, ଅୱେସ ଖାନ୍-୧/୪୦, ଶାର୍ଦୁଳ ଠାକୁର-୧/୪୦, ଆକାଶ ଦୀପ-୧/୪୬)।