ପୂର୍ବରୁ ଟସ୍ ଜିତି ମୁମ୍ବାଇ ବ୍ୟାଟିଂ ପାଇଁ ଚେନ୍ନାଇକୁ ଆମନ୍ତ୍ରଣ କରିଥିଲା। ଚତୁର୍ଥ ବଲ୍ରେ ଋତୁରାଜ ଗାଏକ୍ବାଡ (୪ ରନ୍)ଙ୍କୁ ଟ୍ରେଣ୍ଟ୍ ବୋଲ୍ଟ ଆଉଟ୍ କରି ଦଳ ପାଇଁ ପ୍ରଥମ ସଫଳତା ଆଣିଥିଲେ। ହେଲେ ଏହା ପରେ ଫାଫ୍ ଡୁ’ପ୍ଲେସିସ୍ (୫୦ ରନ୍, ୨୮ ବଲ୍, ୨ ଚୌକା, ୪ ଛକା) ଏବଂ ମୋଇନ ଅଲ୍ଲୀ (୫୮ ରନ୍, ୩୬ ବଲ୍, ୫ ଚୌକା, ୫ ଛକା) ଜବରଦସ୍ତ ବ୍ୟାଟିଂ କରି ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦ୍ବିତୀୟ ୱିକେଟ୍ରେ ୧୦୮ ରନ୍ ଯୋଡ଼ି ବଡ଼ ସ୍କୋର୍ ଦିଗରେ ଅଗ୍ରସର କରିଥିଲେ। ମୋଇନଙ୍କୁ ବୁମ୍ରା ଆଉଟ୍ କରିବା ପରେ ଦଳୀୟ ସ୍କୋର୍ ୧୧୬ ରନ୍ ଥିଲା ବେଳେ ଏହାପର ଓଭରରେ ଡୁ’ପ୍ଲେସିସ୍ ଓ ସୁରେଶ ରାଇନା (୨ ରନ୍)ଙ୍କୁ ପୋଲାର୍ଡଙ୍କୁ ଲଗାତର ଦୁଇ ବଲ୍ରେ ଆଉଟ୍ କରିଦେଇଥିଲେ। ହେଲେ ଅମ୍ବାତି ରାୟୁଡୁ (୭୨ ରନ୍, ୨୭ ବଲ୍, ୪ ଚୌକା, ୭ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଜାଦେଜାଙ୍କ ଧୈଯ୍ୟପୂର୍ଣ୍ଣ ୨୨ ରନ୍ ବଳରେ ଚେନ୍ନାଇ ୪ ୱିକେଟ୍ ହରାଇ ୨୧୮ ରନ୍ ବଡ଼ ସ୍କୋର୍ କରିବାକୁ ସକ୍ଷମ ହୋଇଥିଲା।
ପୋଲାର୍ଡ ପରାକ୍ରମ
ଆଇପିଏଲ୍ ଇତିହାସର ଦୁଇ ସଫଳତମ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଶନିବାର ରାତିରେ ହୋଇଥିବା ମହାଲଢ଼େଇରେ ମୁମ୍ବାଇ ଇଣ୍ଡିଆନ୍ସ ବାଜି ମାରି ନେଇଥିଲା। ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ଏହି ବିଜୟରେ କିରଣ ପୋଲାର୍ଡଙ୍କ ପାୱାର ହିଟିଂର ପ୍ରମୁଖ ଭୂମିକା ଥିଲା। ୧୭ ବଲ୍ରୁ ଚଳିତ ଆଇପିଏଲ୍ର ଦ୍ରୁତତମ ଅର୍ଦ୍ଧଶତକ ଅର୍ଜନ କରି ସେ ହିଁ ଚେନ୍ନାଇ ପଞ୍ଝାରୁ ବିଜୟ ଛଡ଼ାଇ ନେଇଥିଲେ। ତେବେ ଅର୍ଦ୍ଧଶତକ ପରେ ବି ଅଟକି ନଥିଲେ ପୋଲାର୍ଡ। ଛକା, ଚୌକାର ବର୍ଷା କରି ମାତ୍ର ୩୪ ବଲ୍ରୁ ୮୭ ରନ୍ର ଅବିଶ୍ବସନୀୟ ପାଳି ଖେଳି ମୁମ୍ବାଇକୁ ବିଜୟ ରେଖା ପାର କରିବା ପରେ ହିଁ ଶାନ୍ତିର ନିଶ୍ବାସ ମାରିଥିଲେ। ନିଜ ତୋଫାନି ପାଳିରେ ଅଢ଼େଇ ଶହରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ୬ ଚୌକା ଓ ୮ ଛକା ମାରିଥିଲେ ସେ। ପୋଲାର୍ଡଙ୍କ ପରାକ୍ରମୀ ଓ ଧୂଆଁଧାର ବ୍ୟାଟିଂ ବଳରେ ହିଁ ମୁମ୍ବାଇ ଇଣ୍ଡି୍ଆନ୍ସ ଶେଷ ବଲ୍ରେ ବହୁମୂଲ୍ୟ ବିଜୟ ହାସଲ କରିଥିଲା। ବଡ଼ କଥା ହେଲା ମୁମ୍ବାଇ ପ୍ରଥମ ଥର ପାଇଁ ୨୦୦ରୁ ଅଧିକ ରନ୍ର ପଶ୍ଚାତଧାବନ କରି ବିଜୟୀ ହୋଇଥିଲା। ପୋଲାର୍ଡ ମଧ୍ୟ ପୃଥ୍ବୀ ସ’ (ବନାମ କେକେଆର୍, ୧୮ ବଲ୍)ଙ୍କୁ ଟପି ଚଳିତ ଆଇପିଏଲ୍ର ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ହୋଇଥିଲେ। ଚଳିତ ଋତୁରେ ଅନ୍ୟମାନଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ ଓ ଦୀପକ ହୁଦା ୨୦ ଲେଖାଏଁ ବଲ୍ରୁ ଅର୍ଦ୍ଧଶତକ ହାସଲ କରିଥିଲା ବେଳେ ଆନ୍ଦ୍ରେ ରସେଲ ଓ ପ୍ୟାଟ୍ କମିନ୍ସ ଯଥାକ୍ରମେ ୨୧ ଓ ୨୩ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଆଇପିଏଲ୍ରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ କିନ୍ତୁ ପଞ୍ଜାବ କିଙ୍ଗ୍ସ ଅଧିନାୟକ କେଏଲ୍ ରାହୁଲଙ୍କ ନାଁରେ ରହିଛି। ୨୦୧୮ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସେ କେବଳ ୧୪ ବଲ୍ରୁ ୪ ଚୌକା ଓ ୬ ଛକା ବଳରେ ଅର୍ଦ୍ଧଶତକ ଅର୍ଜନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ।