ମୁମ୍ବାଇରେ ଓଡ଼ିଆଙ୍କ ଚମକ: ୟାଶିତା, ଆରୂଷୀ ଶ୍ରେଷ୍ଠ

ଭୁବନେଶ୍ବର: ମୁମ୍ବାଇରେ ସୋମବାର ଶେଷ ହୋଇଥିବା ଚତୁର୍ଥ ମୁମ୍ବାଇ ଓପନ୍ ଅନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ଚମକ ଦେଖିବାକୁ ମିଳିଛି। ୧୩ ବର୍ଷରୁ କମ୍ ବର୍ଗରେ ମନୀଷ କୁମାର ଚତୁର୍ଥ ସ୍ଥାନ ଦଖଲ କରିଥିଲେ ମଧ୍ୟ ନିଜ ମାନ୍ୟତାରେ ୪୪ ଏଲୋ ରେଟିଂ ବଢ଼ାଇବାରେ ସକ୍ଷମ ହୋଇଛନ୍ତି। ସେହିଭଳି ୧୦ ବର୍ଷରୁ କମ୍ ବାଳିକା ବର୍ଗରେ ଜାତୀୟ ବିଦ୍ୟାଳୟ ପଦକ ବିଜୟିନୀ ୟାଶିତା ରାଉତ ପ୍ରଥମ ସ୍ଥାନ ଦଖଲ କରିଥିଲେ। ସ୍ବର୍ଣ୍ଣ ପଦକ ସହିତ ୟାଶିତା ୧୩୭ ଏଲୋ ରେଟିଂ ବଢ଼ାଇଛନ୍ତି। ଅନ୍ୟତମ ଭୁବନେଶ୍ବର ବାଳିକା ଆରୂଷୀ ଶ୍ରୀଚନ୍ଦନ ୯ ବର୍ଷରୁ କମ୍ ବର୍ଗରେ ପ୍ରଥମ ସ୍ଥାନ ଦଖଲ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଆରୂଷୀଙ୍କ ଏଲୋ ରେଟିଂ ୫୬ ପଏଣ୍ଟ ବଢ଼ିଛି। ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ତଥା ପୂର୍ବତନ ବିଶ୍ବ ବିଜେତା ବିଶ୍ବନାଥନ ଆନନ୍ଦଙ୍କଠାରୁ ପୁରସ୍କାର ଗ୍ରହଣ କରି ଏହି ଖେଳାଳିମାନେ ମଧ୍ୟ ନିଜକୁ ଧନ୍ୟ କରି‌ ଦେଇଛନ୍ତି। ପଦକ ବିଜେତାମାନଙ୍କୁ ଚେସ୍ ଗୁରୁ ସତ୍ୟରଂଜନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର