ଆବୁଧାବି: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)କୁ ୫ ୱିକେଟ୍ରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍ର ପ୍ଲେ ଅଫ୍ ପର୍ଯ୍ୟାୟରେ ପ୍ରବେଶ କରିଛି। ୧୨ ମ୍ୟାଚ୍ରୁ ଅଷ୍ଟମ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇଥିବା ଚାରିଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସପ୍ତମ ଥର ଏହି ସଫଳତା ଲାଭ କରିଛି। ସଂପ୍ରତି ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନରେ ଥିବା ଏହି ଦଳ ତା’ର ବଳକା ଦୁଇ ମ୍ୟାଚ୍ ହାରିଲେ ମଧ୍ୟ ଅଧିକ ନେଟ୍ ରନ୍ ରେଟ୍ ଥିବାରୁ ପ୍ଲେ ଅଫ୍ ଖେଳିବ। ସେପଟେ ବିରାଟ କୋହଲିଙ୍କ ଆର୍ସିବି ପ୍ଲେ ଅଫ୍ରେ ସ୍ଥାନ ସୁରକ୍ଷିତ କରିବାର ଏକ ଭଲ ସୁଯୋଗ ହାତଛଡ଼ା କରିଛି। ପ୍ଲେ ଅଫ୍ ଖେଳିବାକୁ ହେଲେ ଆର୍ସିବିକୁ ଏବେ ତା’ର ବଳକା ଦୁଇ ମ୍ୟାଚ୍ରୁ ଭଲ ରନ୍ ରେଟ୍ ସହ ଅତିକମ୍ରେ ଗୋଟିକୁ ଜିତିବାର ଦରକାର ରହିଛି। ଏହି ଦଳ ବୁଧବାର ଦ୍ବାଦଶ ମ୍ୟାଚ୍ରୁ ପଞ୍ଚମ ପରାଜୟ ବରଣ କରିଛି। ଆର୍ସିବି ଆଜି ୧୬୫ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ମୁମ୍ବାଇ ୧୯.୧ ଓଭରରେ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲା।
ଅଷ୍ଟ୍ରେଲିଆ ଗସ୍ତ ପାଇଁ ଅଣଦେଖା ହୋଇଥିବା ସୂର୍ଯ୍ୟକୁମାର ଯାଦବ (୭୯*) ପୁଣି ଥରେ ତାଙ୍କ ତେଜ ଦେଖାଇଥିଲେ। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟରେ ମୁମ୍ବାଇ ପଶ୍ଚାତଧାବନର ମଙ୍ଗ ଧରିଥିଲେ। ଚଳିତ ଆଇପିଏଲ୍ରେ ସର୍ବାଧିକ ବ୍ୟକ୍ତିଗତ ରନ୍ ଓ ତୃତୀୟ ଅର୍ଧଶତକ ହାସଲ କରିଥିଲେ ସେ । ଦ୍ରୁତ ଓ ସାହାସି ବ୍ୟାଟିଂ କରି ସୂର୍ଯ୍ୟ ହିଁ ଆଜି ମୁମ୍ବାଇକୁ ପାଞ୍ଚଟି ବଲ୍ ପୂର୍ବରୁ ମହତ୍ବପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ବିଣ୍ଟନ୍ ଡି’କକ୍ ୧୮, ଈଶାନ କିଶନ ୨୫, ସୌରଭ ତିୱାରୀ ୫, ହାର୍ଦିକ ପାଣ୍ଡ୍ୟା ୧୦ ଓ କ୍ରୁନାଲ ପାଣ୍ଡ୍ୟା ୧୭ ରନ୍ କରିଥିଲେ। ମହମ୍ମଦ ସିରାଜଙ୍କୁ ଚୌକା ମାରି କିନ୍ତୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ସୂର୍ଯ୍ୟ ମୁମ୍ବାଇର ବିଜୟ ମୁଣ୍ଡି ମାରିଥିଲେ। ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଆର୍ସିବି ପାଇଁ ଅଷ୍ଟ୍ରେଲୀୟ ଜୋସ୍ ଫିଲିପ (୩୩) ଓ ସ୍ଥିର ପ୍ରଦର୍ଶନ ଦେଇ ଆସୁଥିବା ଦେବଦତ୍ତ ପଡ଼ିକଲ (୭୪) ଦୃଢ଼ ମୂଳଦୁଆ ପକାଇଥିଲେ।
ଏହା ପରେ କିନ୍ତୁ ଯଶପ୍ରୀତ ବୁମ୍ରା (୪-୧-୧୪-୩)ଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଠିକଣା ସମୟରେ ଆର୍ସିବି ବ୍ୟାଟିଂକ୍ରମର ମେରୁଦଣ୍ଡ ଅଧିନାୟକ ବିରାଟ କୋହଲି (୯) ଓ ବିସ୍ଫୋରକ ଏବି ଡି’ଭିଲିୟର୍ସ (୧୫)ଙ୍କୁ ଆଉଟ୍ କରି ଆର୍ସିବି ରନ୍ ସଂଗ୍ରହ ହାରକୁ ମୁମ୍ବାଇ ଯଥେଷ୍ଟ କମାଇ ଦେଇଥିଲା। ଆର୍ସିବି ମାତ୍ର ୭ ରନ୍ରେ କୋହଲି, ଡି’ଭିଲିୟର୍ସ, ଶିଭମ ଦୁବେ (୨) ଓ କ୍ରିସ୍ ମୋରିସ୍ (୪)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଶେଷ ୧୬ ବଲ୍ରୁ ଗୁରୁକିରଟ ସିଂହ (୧୪*) ଓ ୱାସିଂଟନ୍ ସୁନ୍ଦର (୧୦*) ୨୬ ରନ୍ ଯୋଡ଼ିବା ପରେ ୧୬୪/୬ର ସମ୍ମାନଜନକ ସ୍କୋର କରିପାରିଥିଲା। ସର୍ବାଧିକ ୭୪ ରନ୍ କରିଥିବା ୨୦ ବର୍ଷୀୟ ପଡ଼ିକଲ ଆଇପିଏଲ୍ରେ ବ୍ୟକ୍ତିଗତ ସର୍ବାଧିକ ରନ୍ କରିବା ସହ ଚଳିତ ଋତୁରେ ଚତୁର୍ଥ ଅର୍ଧଶତକ ହାସଲ କରିଥିଲେ। ଆର୍ସିବି ୩ ପରିବର୍ତ୍ତନ ଏବଂ ମୁମ୍ବାଇ ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇଥିଲା।