ମୁମ୍ବାଇ: ଅପରେସନ୍ ସିନ୍ଦୂର ଯୋଗୁଁ ଧର୍ମଶାଳା ହିଲ୍ ଟାଉନ୍ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ତେଣୁ ଧର୍ମଶାଳାରେ ଅପରାହ୍ଣ ୩.୩୦ରେ ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ଆଇପିଏଲ୍ ମ୍ୟାଚ୍କୁ ଅହମଦାବାଦକୁ ସ୍ଥାନାନ୍ତର କରାଯାଇଛି। ଏହା ସମାନ ସମୟ ୩.୩୦ରେ ଖେଳାଯିବ। ଏହା ସ୍ପଷ୍ଟ କରିଛନ୍ତି ଗୁଜରାଟ କ୍ରିକେଟ୍ ସଂଘ ସମ୍ପାଦକ ଅନୀଲ ପଟେଲ। ସେ କହିଛନ୍ତି, ବିସିସିଆଇ ଆମକୁ ଅନୁରୋଧ କରିଥିଲା ଏବଂ ଆମେ ଗ୍ରହଣ କରିଛୁ। ମୁମ୍ବାଇ ଇଣ୍ଡିଆନ୍ସ ଆଜି ରାତିରେ ଏଠାରେ ପହଞ୍ଚିବ ଏବଂ ପଞ୍ଜାବ କିଙ୍ଗ୍ସର ଗସ୍ତ କାର୍ଯ୍ୟକ୍ରମ ପରବର୍ତ୍ତୀ ସମୟରେ ଜଣାପଡ଼ିବ।
ପାକିସ୍ତାନ ଭିତରେ ପଶି ଆତଙ୍କବାଦୀଙ୍କ ଆଡା ଉପରେ ଭାରତୀୟ ସେନାର ଆକ୍ରମଣ ପରେ ଶନିବାର ପର୍ଯ୍ୟନ୍ତ ଧର୍ମଶାଳା ବିମାନବନ୍ଦରକୁ ବାଣିଜ୍ୟକ ବିମାନ ଉଡ଼ାଣ ବନ୍ଦ କରିଦିଆଯାଇଛି। ଗୁରୁବାର ମ୍ୟାଚ୍ ଲାଗି ଉଭୟ ଦଳ ଧର୍ମଶାଳାରେ ଅଛନ୍ତି। ଉଭୟ ଦଳର ମ୍ୟାଚ୍ ରବିବାର ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ରାତି ୭ଟାରେ ଘରୋଇ ପଡ଼ିଆରେ ଗୁଜରାଟ ଟାଇଟନ୍ସକୁ ଭେଟିବ। ଅନ୍ୟପଟେ ଚଣ୍ଡିଗଡ଼ ବିମାନବନ୍ଦରକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ତେଣୁ ଉଭୟ ଦଳ ସଡ଼କ ପଥ ଦେଇ ଦିଲ୍ଲୀ ପହଞ୍ଚିବାର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳୁଛି।