ରାଜସ୍ଥାନକୁ ରୋକିଲା ମୁମ୍ବାଇ, ଚତୁର୍ଥ ବିଜୟ ସହ ଶୀର୍ଷକୁ ଉଠିଲା

ଆବୁଧାବି: ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବିଂଶତମ ମ୍ୟାଚ୍‌ ମଙ୍ଗଳବାର ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ଷ୍ଟିଭ୍‌ ସ୍ମିଥ୍‌ଙ୍କ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯାଇଥିଲା। ଉଭୟଙ୍କ ପ୍ରଥମ ମୁକାବିଲାରେ ମୁମ୍ବାଇ ବାଜି ମାରିଥିଲା। ଏଥି ସହିତ ରାଜସ୍ଥାନର ବିଜୟ ଧାରାକୁ ରୋକି ଦେଇଥିଲା ମୁମ୍ବାଇ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସୂର୍ଯ୍ୟ କୁମାର ଯାଦବଙ୍କ ଦମ୍‌ଦାର ଅର୍ଧଶତକ ସାଙ୍ଗକୁ ହାର୍ଦିକ୍‌ ପାଣ୍ଡ୍ୟାଙ୍କ ଦ୍ରୁତ ରନ୍‌ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୧୯୩/୪ କରିଥିଲା ବେଳେ ବୋଲରମାନେ ରାଜସ୍ଥାନ ପାଳିକୁ ୧୮.୧ ଓଭରରେ ୧୩୬ ରନ୍‌ରେ ସଫା କରି ଦେଇଥିଲେ। ଫଳରେ ମୁମ୍ବାଇ ୫୭ ରନ୍‌ର ବଡ଼ ବ୍ୟବଧାନରେ ମ୍ୟାଚ୍‌ ଜିତି ନେଇଥିଲା। ଏଥି ସହିତ ମୁମ୍ବାଇ ୬ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷକୁ ପୁଣି ଉଠିଥିଲା ବେଳେ ରାଜସ୍ଥାନ ୫ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରି ସପ୍ତମ ସ୍ଥାନକୁ ଖସିଆସିଛି।

୧୯୪ ରନ୍‌ର ପିଛା କରିଥିବା ରାଜସ୍ଥାନ ପ୍ରଥମ ତିନି ଓଭରରେ ଯଥାକ୍ରମେ ଯଶସ୍ବୀ ଜୟସ୍ବାଲ, ଅଧିନାୟକ ସ୍ମିଥ୍‌ ଓ ସଞ୍ଜୁ ସାମ୍‌ସନ୍‌ଙ୍କୁ ହରାଇ ଘୋର ସଂକଟରେ ପଡ଼ିଯାଇଥିଲା। ଦୁଇ ପ୍ରାରମ୍ଭିକ ବୋଲର ଟ୍ରେଣ୍ଟ୍‌ ବୋଲ୍‌ଟ ଏବଂ ଯଶ୍‌ପ୍ରୀତ୍‌ ବୁମ୍‌ରା ଏହି ୱିକେଟ୍‌ ବାଣ୍ଟିନେଇ ରାଜସ୍ଥାନକୁ ଚାପରେ ପକାଇଦେଇଥିଲେ। ଜୟସ୍ବାଲ ଓ ସାମ୍‌ସନ୍‌ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ୧୨ ରନ୍‌ରେ ୩ ୱିକେଟ୍‌ ଝଡ଼ିଯିବା ପରେ ରାହୁଲ ଚହର ନବମ ଓଭରରେ ମହିପାଲ ଲୋମ୍‌ରର୍‌ଙ୍କୁ ପାଭିଲିୟନ୍‌ ପଠାଇ ଦେଇ ରାଜସ୍ଥାନକୁ ୪୨/୪ରେ ସଂଘର୍ଷ କରାଇଥିଲେ। ତେବେ ଜୋସ୍‌ ବଟ୍ଟଲର୍‌ ଏକା ଲଢ଼ି ଅର୍ଧଶତକ ଜମାଇଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇନଥିଲା। ସେ ପଞ୍ଚମ ୱିକେଟ୍‌ରେ ଟମ୍‌ କରନ୍‌ଙ୍କ ସହ ୫୬ ରନ୍ ଯୋଡ଼ିଥିଲେ। ହେଲେ କିରଣ ପୋଲାର୍ଡ ବାଉଣ୍ଡାରି ନିକଟରେ ଚମତ୍କାର କ୍ୟାଚ୍‌ ଧରି ତାଙ୍କୁ ପାଭିଲିୟନ୍‌ ପଠାଇ ଦେଇଥିଲେ। ଏହାପରେ ୱିକେଟ୍‌ ପତନ ଧାରା ଲାଗି ରହିଥିଲା। ୧୫ ଓଭରରେ ୧୧୩/୬ କରିଥିବା ରାଜସ୍ଥାନକୁ ଶେଷ ୫ ଓଭରରେ ବିଜୟ ପାଇଁ ଦରକାର ଥିଲା ୮୧ ରନ୍‌। ହେଲେ ବୁମ୍‌ରା ତାଙ୍କ ତୃତୀୟ ଓଭରରେ ଯୁଗଳ ଝଟ୍‌କା ସାଙ୍ଗକୁ ‌ଚତୁର୍ଥ ତଥା ଶେଷ ଓଭରରେ ଜୋଫ୍ରା ଆର୍ଚରଙ୍କୁ ଆଉଟ୍‌ କରି ରାଜସ୍ଥାନକୁ ବଡ଼ ବ୍ୟବଧାନରେ ପରାଜୟ ପାଇଁ ବାଧ୍ୟ କରିଥିଲେ। ଜେମ୍‌ସ ପାଟ୍ଟିନସନ୍‌ ୧୯ତମ ଓଭରର ପ୍ରଥମ ବଲ୍‌ରେ ୱିକେଟ୍‌ ନେଇ ମୁମ୍ବାଇ ବିଜୟର ମୁଣ୍ଡି ମାରିଥିଲେ।

ମଙ୍ଗଳବାର ଟସ୍‌ ଜିତି ମୁମ୍ବାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରାରମ୍ଭିକ ଯୋଡ଼ି କ୍ବିଣ୍ଟନ ଡି’କକ୍‌ ଓ ରୋହିତ ଶର୍ମା ଭଲ ଆରମ୍ଭ ପାଇଥିଲେ। ଦୁହେଁ ପଞ୍ଚମ ଓଭର ବେଳକୁ ୪୯ ରନ୍‌ ଯୋଡ଼ିଥିଲେ। ତେବେ ସେହି ଓଭରରର ପଞ୍ଚମ ବଲ୍‌ରେ କାର୍ତିକ ତ୍ୟାଗୀ ହିଁ ଯୋଡ଼ି ଭାଙ୍ଗିଥି‌ଲେ। ସେ ଡି’କକ୍‌ଙ୍କୁ ଆଉଟ୍‌ କରିବା ପରେ ଦଶମ ଓଭରରେ ରୋହିତ ଶର୍ମା‌ ସ୍ପିନର ଶ୍ରେୟସ ଗୋପାଳଙ୍କ ଶିକାର ହୋଇଥିଲେ। କିନ୍ତୁ ସୂର୍ଯ୍ୟକୁମାର ଯାଦବ ୩୩ ବଲ୍‌ରୁ ଅର୍ଧଶତକ ପୂରଣ କରିବା ପରେ ୪୭ ବଲ୍‌ରୁ ୭୯ ରନ୍‌ କରି ଅପରାଜିତ ରହିଥିଲେ। ଅର୍ଧଶତକ ସାଙ୍ଗକୁ ଅବିଭାଜିତ ପଞ୍ଚମ ୱିକେଟ୍‌ରେ ସେ ମଧ୍ୟ ହାର୍ଦିକ୍‌ ପାଣ୍ଡ୍ୟାଙ୍କ ସହ ୩୦ ବଲ୍‌ରୁ ୭୬ ରନ୍ ଯୋଡ଼ି ମୁମ୍ବାଇ ପାଳିକୁ ୧୯୩/୪ରେ ପହଞ୍ଚାଇ ଦେଇଥିଲେ। ହାର୍ଦିକ୍‌ ପାଣ୍ଡ୍ୟା ୩୦ ରନ୍‌ କରି ଅପରାଜିତ ରହିଥିଲେ।

ସମ୍ବନ୍ଧିତ ଖବର