ମୁମ୍ବାଇକୁ ଝଟ୍‌କା; କମିନ୍‌ସ ଆଇପିଏଲ୍‌ରୁ ଓହରିଲେ

ମୁମ୍ବାଇ: ଚଳିତ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ରେ ନିଜର ପ୍ରଥମ ମ୍ୟାଚ୍‌ ହାରିଯାଇଥିବା ମୁମ୍ବାଇ ଇଣ୍ଡିଆନ୍‌ସ ଦଳକୁ ଝଟ୍‌କା ଲାଗିଛି। ଏହାର ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍‌ସ ଆହତ ଯୋଗୁଁ ପୂରା ଲିଗ୍‌ରୁ ଓହରି ଯାଇଛନ୍ତି। କମିନ୍‌ସଙ୍କ ପିଠିରେ ଯନ୍ତ୍ରଣା ହେଉଛି। ତାଙ୍କର ସେହି ଆଘାତ ମାରାତ୍ମକ ନହେବା ପାଇଁ ତାଙ୍କୁ ବିଶ୍ରାମ ଦରକାର। ପୁଣି ଆସନ୍ତା ଜୁନ୍‌ରେ ଅଷ୍ଟ୍ରେଲିଆର ଇଂଲଣ୍ଡ ଗସ୍ତ ସୂଚୀ ରହିଛି। ସେଥିପାଇଁ ଏବେ କମିନ୍‌ସ ଦେଶରେ ରହି ଚିକିତ୍ସିତ ହେବେ। ଫଳରେ ଆଇପିଏଲ୍‌ରୁ କମିନ୍‌ସ ଦୂରେଇ ରହିବା ଉଚିତ୍‌ ବୋଲି କ୍ରିକେଟ୍‌ ଅଷ୍ଟେଲିଆ ଜଣାଇଦେଇଛି। ମୁମ୍ବାଇ ଇଣ୍ଡିଆନ୍‌ସ ଗତ ଜାନୁଆରିରେ କମିନ୍‌ସଙ୍କୁ ୫.୪ କୋଟି ଟଙ୍କାରେ କିଣିଥିଲା। ସେ ମଧ୍ୟ ଶନିବାର ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷ ଦଳର ପ୍ରଥମ ମ୍ୟାଚ୍‌ ଖେଳିନଥିଲେ। ଏବେ ପୂରା ଲିଗ୍‌ରୁ ଓହରିଯିବାରୁ ମୁମ୍ବାଇକୁ ଶକ୍ତ ଝଟ୍‌କା ଲାଗିଛି।

ସମ୍ବନ୍ଧିତ ଖବର