ମୁମ୍ବାଇ ଟି-୨୦ରେ ଭାରତର ବିଜୟ, ଶ୍ରୀଲଙ୍କା ୫ଓ୍ଵିକେଟରେ ପରାସ୍ତ

ଶ୍ରୀଲଙ୍କାକୁ ୩-୦ରେ ହରାଇଲା ଟିମ୍‌ ଇଣ୍ଡିଆ

ମୁମ୍ବାଇ: ଭାରତ ୫ ଓ୍ଵିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିବା ସହିତ ରବିବାର ଶୃଙ୍ଖଳାକୁ ୩-୦ରେ ବିଜୟୀ ହୋଇଛି। ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ୩ଟି ମ୍ୟାଚର ଶୃଙ୍ଖଳାର ଅନ୍ତିମ ଟି-୨୦ ମୁକାବିଲାରେ ଭାରତ ୧୯.୨ ଓଭରରେ ୫ଓ୍ଵିକେଟ ହରାଇ ୧୩୯ ରନ୍‌ ସଂଗ୍ରହ କରିଛି। ପୂର୍ବରୁ କଟକ ଓ ପୁନେ ଟି-୨୦ରେ ବିଜୟୀ ହୋଇଥିଲା ଭାରତ। ମହେନ୍ଦ୍ର ସିଂହ ଧୋନି ଅପରାଜିତ ୧୬ ରନ୍‌ ଓ ଦିନେଶ କାର୍ତ୍ତିକ ଅପରାଜିତ ୧୮ ରନ୍‌ କରି ଫେରିଛନ୍ତି।

ରୋମାଞ୍ଚକ ମ୍ୟାଚରେ ଶ୍ରୀଲଙ୍କାର ପ୍ରଥମ ଶିକାର ହୋଇଥିଲେ ଲୋକେଶ ରାହୁଲ(୪)। ସେ ଦଳୀୟ ସ୍କୋର ୩.୨ଓଭରରେ ୧୭ ରନ୍‌ ଥିବା ବେଳେ ଦୁଷ୍ମନ୍ତ ଚମିରାଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ। ଭାରତ ୨ୟ ଓ୍ଵିକେଟରେ ଅଧିନାୟକ ରୋହିତ ଶର୍ମା(୨୭)ଙ୍କୁ ହରାଇ ଥିଲା। ଦାନୁଶ ଶଙ୍କରା ବଲ କୁଶାଲ ପେରୋରାଙ୍କୁ ଦେଇଥିଲେ। ଶ୍ରୀଲଙ୍କାର ୩ୟ ଶିକାର ହୋଇଥିଲେ ଶ୍ରେୟସ ଆୟାର(୩୦)। ସେତେବେଳକୁ ଦଳର ସ୍କୋର ୮୧(୧୩.୨ଓଭର) ଥିବା ବେଳେ ୧୫ଓଭର ଶେଷ ବେଳକୁ ହାର୍ଦ୍ଦିକ ପାଣ୍ଡ୍ୟା(୪) ଆଉଟ ହୋଇଥିଲେ। ଶ୍ରେୟସ ୩୨ଟି ବଲ ଖେଳି ଅକିଳ ଧନଞ୍ଜୟଙ୍କ ଦ୍ୱାରା ଆଉଟ ରନ୍‌ ଆଉଟ ହୋଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୪ଟି ବଲ ଖେଳି ଦାନୁଶ ଶଙ୍କରାଙ୍କ ବଲ ଓ୍ଵିକେଟକିପର ନିରୋସାନ ଡିକେଓ୍ଵଲାଙ୍କୁ କ୍ୟାଚ ଦେଇଥିଲେ। ସେହିପରି ୫ମ ଓ୍ଵିକେଟରେ ମନୀଷ ପାଣ୍ଡେ (୩୦) ଦୁଷ୍ମନ୍ତ ଚମିରାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ୧୬.୧ଓଭରରେ ଭାରତର ସ୍କୋର ୧୦୮ ରନ୍‌ ଥିଲା।

ପୂର୍ବରୁ ଭାରତୀୟ ବୋଲରମାନେ ୧୩୫ ରନ୍‌ରେ ଶ୍ରୀଲଙ୍କାକୁ ଅଟକାଇ ଦେଇଥିଲେ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ ହରାଇ ୧୩୫ ରନ୍‌ କରିବା ଫଳରେ ଭାରତକୁ ୧୩୬ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ଆସେଲା ଗୁଣାରତ୍ନେ(୩୬) ଏକମାତ୍ର ଖେଳାଳି ଯିଏ କି ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜରେ ରହିପାରିଥିଲେ। ସେ ୧୭.୩ଓଭରରେ ଦଳର ସ୍କୋର ୧୧୧ରନ୍‌ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ କୁଳଦୀପ ଯାଦବଙ୍କୁ ଦେଇଥିଲେ। ଦାନୁଷ୍କା ଶଙ୍କରା(ଅପରାଜିତ ୨୯) ଓ ଅକିଳ ଧନଞ୍ଜୟ (ଅପରାଜିତ ୧୧) ଫେରିଥିଲେ।

୧୩ ଓଭର ଶେଷ ବେଳକୁ ଥିସାରା ପେରେରା (୧୧) ମହମ୍ମଦ ସିରାଜଙ୍କ ବଲ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ଦେଇଥିଲେ। ୬ଷ୍ଠ ଓ୍ଵିକେଟରେ ଶ୍ରୀଲଙ୍କାର ସ୍କୋର ୮୫ ଥିଲା। ଭାରତର ୫ମ ଶିକାର ହୋଇଥିଲେ ଦାନୁଷ୍କା ଗୁଣଥିଲକା(୩)। ସ୍କୋର ୭୨ ରନ୍‌(୧୧.୪ଓଭର) ଥିବା ବେଳେ କୁଳଦୀପ ଯାଦବଙ୍କ ବଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ ଦେଇ ଦାନୁଷ୍କା ପାଭଲିୟନ ଫେରି ଥିଲେ। ସେହିପରି ଦଳୀୟ ସ୍କୋର ୫୬ ରନ୍‌ (୮.୩ଓଭର) ଥିବା ବେଳେ ଶ୍ରୀଲଙ୍କାର ୪ର୍ଥ ଓ୍ଵିକେଟରେ ସଦୀରା ସମରବିକ୍ରମା(୨୧) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ।

ମାତ୍ର ୧୮ରନ୍‌ରେ ଶ୍ରୀଲଙ୍କା ୩ଟି ମୂଲ୍ୟବାନ ଓ୍ଵିକେଟ ହରାଇ ଥିଲା। ୧.୫ଓଭରରେ ଭାରତର ପ୍ରଥମ ଶିକାର ହୋଇଥିଲେ ନିରୋସାନ ଡିକେଓ୍ଵଲା(୧)। ସେ ୬ଟି ବଲ ଖେଳି ଜୟଦେବ ଉନାଦକଟଙ୍କ ବଲ ମହମ୍ମଦ ସିରାଜଙ୍କୁ କ୍ୟାଚ ଦେଇଥିଲେ। ୩ଓଭର ଶେଷ ବେଳକୁ କୁଶାଲ ପେରେରା(୧୧) ଆଉଟ ହୋଇ ପାଭଲିୟନ ଫେରିଥିବା ବେଳେ ୩.୩ଓଭରରେ ଉପୁଲ ଥରଙ୍ଗା(୪) ଭାରତର ୩ୟ ଶିକାର ହୋଇଥିଲେ। ଥରଙ୍ଗା ୧୧ଟି ବଲ ସମ୍ମୁଖୀନ ହୋଇ ଜୟଦେବଙ୍କ ବଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ ଦେଇଥିଲେ। ସେହିପରି ଓ୍ଵାସିଙ୍ଗଟନ ସୁନ୍ଦରଙ୍କ ବଲରେ ବୋଲ୍ଡ ହୋଇଥିଲେ କୁଶାଲ ପେରେରା।

ସମ୍ବନ୍ଧିତ ଖବର