ପଞ୍ଜାବକୁ ହରାଇ ଶୀର୍ଷରେ ମୁମ୍ବାଇ

ଆବୁଧାବି: ତ୍ରୟୋଦଶ ସଂସ୍କରଣ ଆଇପିଏଲ୍‌ର ତ୍ରୟୋଦଶ ମ୍ୟାଚ୍‌ରେ ୪ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ସହଜରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବକୁ ୪୮ ରନ୍‌ର ବଡ଼ ବ୍ୟବଧାନରେ ହରାଇ ଦେଇଛି। ଉଭୟ ଦଳ ନିଜ ନିଜ ଚତୁର୍ଥ ମ୍ୟାଚ୍‌ ଖେଳିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ବିତୀୟ ବିଜୟ ଏବଂ ପଞ୍ଜାବ ତୃତୀୟ ପରାଜୟ ବରଣ କରିଛି। ମୁମ୍ବାଇ ୧୯୧ ରନ୍ କରିବା ପରେ ପଞ୍ଜାବକୁ ଏହାର ବୋଲରମାନେ ୧୪୩/୮ରେ ସୀମିତ ରଖିଥିଲେ। ଆକର୍ଷଣୀୟ ଅର୍ଧଶତକ ହାସଲ କରି ଅଧିନାୟକ ରୋହିତ ଶର୍ମା ଦଳକୁ ପଏଣ୍ଟ ‌ଟେବୁଲ୍‌ର ଶୀର୍ଷକୁ ମଧ୍ୟ ନେଇଛନ୍ତି।

ପ୍ରଥମ ଓଭରରେ ୱିକେଟ୍ ହରାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଶେଷ ୬ ଓଭରରେ ୧୦୪ ରନ୍ ଯୋଡ଼ିବା ଗୁରୁବାର ମ୍ୟାଚ୍‌ରେ ସବୁଠାରୁ ଉଲ୍ଲେଖନୀୟ ଥିଲା। ମୁମ୍ବାଇ ଇଣ୍ଡିଆନ୍ସ ବିଳମ୍ବିତ ବିସ୍ଫୋରଣ କରି ୧୯୧ ରନ୍ କରି ନେଇଥିଲା। ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ। ମେଡେନ୍‌ ୱିକେଟ୍‌ ସହ ଓଭର ଆରମ୍ଭ କରିଥିଲେ ୱେଷ୍ଟଇଣ୍ଡିଜ୍‌ ତାରକା ସେଲଡନ୍ କଟ୍ରେଲ। ଦଳର ଗତ ମ୍ୟାଚ୍‌ରେ ୫ ଛକା (ରାହୁଲ ତିୱାତିଆଙ୍କ ଦ୍ବାରା)ର ଶିକାର ହୋଇ ଖଳନାୟକ ସାଜିଥିବା କଟ୍ରେଲ୍‌ କିନ୍ତୁ ଗୁରୁବାର ଏହାର ପାଲଟା ପ୍ରଦର୍ଶନ କରିଥିଲେ। ଦକ୍ଷିଣ ଆଫ୍ରିକୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ କ୍ବିଣ୍ଟନ୍ ଡି’କକ୍‌ଙ୍କୁ ଖାତା ଖୋଲିବା ପୂର୍ବରୁ ବୋଲ୍ଡ କରି‌ଦେଇଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ (୧୦, ୭ ବଲ) ଦୁଇ ରନ୍‌ ଚୋରାଇବାକୁ ଯାଉଥିବାବେ‌ଳେ ମହମ୍ମଦ ସାମିଙ୍କ ସିଧା ଥ୍ରୋରେ ରନ୍‌ ଆଉଟ୍ ହୋଇଯାଇଥିଲେ। ଦ୍ବିତୀୟ ଓଭର ପ୍ରଥମ ବଲକୁ ଚୌକା ମାରି ରୋହିତ ଶର୍ମା ଆଇପିଏଲ୍‌ରେ ତୃତୀୟ ଖେଳାଳିଭାବେ ୫୦୦୦ ରନ୍ ପୂର୍ଣ୍ଣ କରିଥିଲେ। ଶେଷ ବଲରେ କିନ୍ତୁ ଅମ୍ପାୟାର୍ ତାଙ୍କୁ ଏଲବିଡବ୍‌ଲ୍ୟୁ‌ ଆଉଟ୍ କରିଥିଲେ ମଧ୍ୟ ରିଭ୍ୟୁରେ ସେ ବର୍ତିଯାଇଥିଲେ। ଏହା ପରେ ପଛକୁ ଫେରିନଥିଲେ ରୋହିତ। ୪୦ ବଲରୁ ଅର୍ଧଶତକ ହାସଲ କରିଥିଲେ ମଧ୍ୟ ପରବର୍ତୀ ୫ ବଲରୁ ୨୦ ରନ୍ ଆଦାୟ କରିଥିଲେ। ଜିମ୍ନି ନିସାମଙ୍କ ଗୋଟିଏ ଓଭରରେ ସେ ଲଗାତାର ୪ ବାଉଣ୍ଡରି (୪,୪,୬,୬) ମାରିଥିଲେ। ମହମ୍ମଦ ସାମିଙ୍କ ବୋଲିଂରେ ବାଉଣ୍ଡରି ନିକଟରେ ଏକ ରିଲେ କ୍ୟାଚ୍‌ (ଗ୍ଲେନ୍ ମ୍ୟାକ୍ସୱେଲ-ଜିମ୍ମି ନିସାମ)ରେ ସେ ଆଉଟ୍ ହୋଇଥିଲେ। ମଧ୍ୟକ୍ରମରେ ଈଶାନ କିଷାନ୍ (୨୮, ୩୨ ବଲ) ଆଗକୁ ବଢ଼ି ପାରିନଥିଲେ। କିନ୍ତୁ ମୁମ୍ବାଇ ପାଇଁ ଶେଷ ଭାଗରେ କିରଣ ପୋଲାର୍ଡ (୪୭*, ୨୦ ବଲ, ୩ ଚୌକା, ୪ ଛକା) ଏବଂ ହାର୍ଦିକ ପାଣ୍ଡ୍ୟା (୩୦*, ୧୧ ବଲ, ୩ ଚୌକା, ୨ ଛକା) ବ‌ିସ୍ଫୋରକ ବ୍ୟାଟିଂ କରି ଦଳକୁ ୧୯୧ ରନ୍‌ରେ ପହଞ୍ଚାଇ ଦେଇଥିଲେ।

୧୯୨ ରନ୍‌କୁ ପଛା କରି କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପୂର୍ବ ଭଳି ଭଲ ଆରମ୍ଭ କରିଥିଲେ ମଧ୍ୟ ଏଥର ମୟଙ୍କ ଅଗ୍ରୱାଲ୍ (୨୫) ଏବଂ କେଏଲ୍ ରାହୁଲ୍ (୧୭) ଆଗକୁ ବଢ଼ି ପାରିନଥିଲେ। କରୁଣ ନାୟାରଙ୍କ କରୁଣ ଯାତ୍ରା ଲାଗି ରହିଥିଲା। ନିକୋଲାସ୍ ପୂରନ (୪୪, ୨୭ ବଲ) ଆଶା ଦେଖାଇଥିଲେ ମଧ୍ୟ ମ୍ୟାଚ୍‌ ଶେଷ କରପାରିନଥିଲେ। ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ନିଜ ଖରାପ ଫର୍ମରୁ ବାହାରି ନ ପାରି ୧୮ ବଲରୁ ୧୧ ରନ୍ କରିଥିଲେ। ରନ୍‌ ଚାପ ବଢ଼ିବା ପରେ ଜିମ୍ନି ନିସାମ, ସର୍ଫରାଜ ଖାନ୍‌, କୃଷ୍ଣାପା ଗୌତମ ଶେଷ ଭାଗରେ ବିଶେଷ କିଛି କରିପାରିନଥି‌ଲେ। ବଡ଼ ବଡ଼ ସ୍କୋର୍‌ କରି ମ୍ୟାଚ୍‌ ଜିତି ନ ପାରିବା ପରେ ଚାପଗସ୍ତ ପଞ୍ଜାବ ଏହି ମ୍ୟାଚ୍‌ରେ ଏକପ୍ରକାର ଆତ୍ମସମର୍ପଣ କରିଥିଲା। ଯଶପ୍ରୀତ୍ ବୁମରା, ଜେମ୍ସ ପାଟିନ୍‌ସନ୍‌, ରାହୁଲ ଚହର, କୃନାଲ ପାଣ୍ଡ୍ୟା ଦଳର ବଡ଼ ସ୍କୋରକୁ ସୁରକ୍ଷିତ ରଖିବା ଲାଗି ପ୍ରଭାବୀ ବୋଲିଂ କରିଥିଲେ।

ସମ୍ବନ୍ଧିତ ଖବର