ପଟନା: ଜାନୁଆରୀ ୫ରୁ ଆରମ୍ଭ ହୋଇଛି ଭାରତର ସର୍ବବୃହତ ଘରୋଇ ଟୁର୍ଣ୍ଣାମେଣ୍ଟର ୮୯ତମ ସିଜନ । ସିଜନର ପ୍ରଥମ ଦିନରେ ୪୧ ଥର ର ଚାମ୍ପିୟନ ଦଳ ମୁମ୍ବାଇ ଦୁର୍ବଳ ବିହାର ଦଳକୁ ଭେଟିବାର ଥିଲା, କିନ୍ତୁ ଏହି ସମୟରେ ଏପରି ଏକ ଘଟଣା ଘଟିଥିଲା ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମୁମ୍ବାଇ ବିରୋଧରେ ଖେଳିବାକୁ ବିହାରର ୨ଟି ଟିମ ପହଞ୍ଚିଥିଲେ । ଉଭୟ ନିଜକୁ ଅସଲି ଦଳ କହି ପରସ୍ପର ମଧ୍ୟରେ ବିବାଦ ଓ ମାଡ଼ପିଟ ଆରମ୍ଭ କରିଦେଲେ । ତେବେ ଶେଷରେ ଅଫିସିଆଲ୍ ଦଳ ଭାବେ ମନୋନୀତ ହୋଇଥିବା ବିସିଏ ଟିମ୍ ମୁମ୍ବାଇ ବିପକ୍ଷରେ ପଡ଼ିଆକୁ ଓହ୍ଲାଇଥିଲା।

Advertisment

ପ୍ରକୃତ କଥା ହେଉଛି ମୁମ୍ବାଇକୁ ଭେଟିବା ପାଇଁ ବିହାର କ୍ରିକେଟ ଆସୋସିଏସନ୍ (ବିସିଏ) ପକ୍ଷରୁ ଏକ ଦଳ ଘୋଷଣା ହୋଇଥିଲା । କିନ୍ତୁ ବିହାର କ୍ରିକେଟ ଆସୋସିଏସନରୁ ନିଲମ୍ବିତ ପୂର୍ବତନ ସମ୍ପାଦକ ଅମିତ କୁମାର ତାଙ୍କ ନିଜ ଦଳ ଘୋଷଣା କରିଦେଇଥିଲେ । ଏହାପରେ ଉଭୟ ଦଳ ମ୍ୟାଚ୍ ଖେଳିବାକୁ ଆସିଥିଲେ। ପଡ଼ିଆରେ ପହଞ୍ଚିବା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲା ।

ଏହି ଘଟଣାପରେ ବିସିଏ ଏକ ବିବୃତ୍ତିରେ କହିଛି ଯେ ନକଲି ଟିମରେ ସମ୍ପୃକ୍ତ ବ୍ୟକ୍ତିମାନେ ବିସିଏ ଓଏସଡି ମନୋଜ କୁମାରଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।