ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୨୫ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୪ ରନ୍‌ରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୯୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୭୮ ରନ୍‌ କରିବାରେ ସକ୍ଷମ ହୋଇଛି। ହାଇଦ୍ରାବାଦ ପକ୍ଷରୁ ମୟଙ୍କ ଅଗ୍ରୱାଲ ୪୮ ରନ୍‌ କରିଥିବା ବେଳେ ହେନ୍ରିଚ୍ କ୍ଲାସନ୍ ୩୬ ରନ୍‌ ଓ ଆଡେନ ମାର୍କମ ୨୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ । ସେହିପରି ମୁମ୍ବାଇ ପକ୍ଷରୁ ଜେସନ, ରିଲେ ମେରେଡିଥ୍, ପିୟୁଷ ଚାୱଲା ୨-୨ ଟି ୱିକେଟ ନେଇଥିବା ବେଳେ କ୍ୟାମେରନ୍ ଗ୍ରୀନ୍ ଓ ଅଜୁର୍ନ ତେନ୍ଦୁଲକର ୧-୧ ୱିକେଟ ନେଇଥିଲେ । ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅଜୁର୍ନ ତେନ୍ଦୁଲକର ଆଇପିଏଲ୍‌ କ୍ୟାରିୟରେ ତାଙ୍କର ପ୍ରଥମ ୱିକେଟ ନେଇଛନ୍ତି ।

Advertisment

ପ୍ରଥମ ପାଳିରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଦଳ କାମେରୁନ ଗ୍ରୀନଙ୍କ ୬୪ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୯୨ ରନ କରିଥିଲା । ଗ୍ରୀନ ୪୦ଟି ବଲରେ ୨ ଛକା ଓ ୬ ଚୌକା ସହ ୬୪ ରନ କରିଥିଲେ । ସେହିପରି ଇଶାନ କିଷନ ୩୮ ରନ କରିଥିବାବେଳେ ତିଲକ ବର୍ମା ୩୭ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୨୮ ରନ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ମାର୍କୋ ଜାନସେନ ୨ଟି ଓ୍ବିକେଟ ନେଇଥିବାବେଳେ ଭୁବନେଶ୍ବର କୁମାର ଓ ଟି.ନଟରାଜନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହି ବିଜୟ ସହ ମୁମ୍ବାଇ ୬ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାର ୬ଷ୍ଠ ସ୍ଥାନରେ ଥିବାବେଳେ ହାଇଦ୍ରାବାଦ ୪ ଅଙ୍କ ସହ ଟେବୁଲ ତାଲିକାର ୯ମ‌ ସ୍ଥାନରେ ରହିଛି ।