ଆଇପିଏଲ : ଦିଲ୍ଲୀକୁ ୫ ୱିକେଟରେ ପରାସ୍ତ କଲା ମୁମ୍ବାଇ

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୬୯ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ । ଦ୍ବିତୀୟ ପାଳିରେ ମୁମ୍ବାଇ ୧୬୦ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୯.୧ ଓଭରରେ ୫ ୱିକେଟ ହରାଇ ୧୬୦ ରନ୍‌ କରି ବିଜୟ ହୋଇଛି । ମୁମ୍ବାଇ ପକ୍ଷରୁ ଇଶାନ୍ କିଶାନ୍ ସର୍ବାଧିକ ୪୮ ରନ୍‌ କରିଥିବା ବେଳେ ଡିୱାଲ୍ଡ ବ୍ରେଭିସ୍ ୩୭ ରନ୍‌ ଓ ଟିମ୍ ଡେଭିଡ୍ ଶେଷରେ ୧୧ ବଲରେ ଦମ୍‌ଦାର ୩୪ ରନ୍‌ କରି ମୁମ୍ବାଇକୁ ଚଳିତ ସିଜିନ୍‌ର ଶେଷ ବିଜୟ ଦେଇଛନ୍ତି । ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ଶାର୍ଦ୍ଦୁଲ ଠାକୁର, ଅନ୍ରିଚ୍ ନର୍ଟେଜେ ୨-୨ ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୧ ୱିକେଟ ନେଇଥିଲେ । ଦିଲ୍ଳୀ ଏହି ମ୍ୟାଚରେ ପରାଜୟ ବରଣ କରିବା ଦ୍ବାରା କ୍ବାଲିଫାଏ ହେବାର ଶେଷ ସୁଯୋଗ ହାତ ଛଡା କରିବା ସହ ଚଳିତ ସିଜିନ୍‌ର ଯାତ୍ରା ଶେଷ କରିଛି ।

ଏହି ମ୍ୟାଚରେ ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୫୯ ରନ କରିଥିଲା । ଦଳ ପକ୍ଷରୁ ରୋଭମାନ ପାଓ୍ବେଲ ୪୩ରନ କରିଥିବାବେଳେ ଅଧିନାୟକ ଋଷଭ ପନ୍ତ ୩୯ ରନ ଓ ପୃଥ୍ବୀ ଶ’୨୪ ରନ କରିଥିଲେ । ମାତ୍ର ଡେଭିଡ ଓ୍ବାର୍ନର, ମିଚେଲ ମାର୍ସ ପରି ଦଳର ତାରକା ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ । ଓ୍ବାର୍ନର ୫ ରନ କରିଥିବାବେଳେ ମାର୍ସ ଖାତା ଖୋଲିପାରିନଥିଲେ । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୩ଟି ଓ୍ବିକେଟ ନେଇଥିବାବେଳେ ରମଣଦୀପ ସିଂ ୨ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର