ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର୍ ବିପକ୍ଷରେ ୬ ୱିକେଟ୍ର ଦମଦାର ବିଜୟ ସହିତ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲ୍ର ଶୀର୍ଷ ୪ ଭିତରକୁ ପ୍ରବେଶ କରିଛି। ରୋହିତ ଶର୍ମାଙ୍କ ବ୍ୟକ୍ତିଗତ ବିଫଳତା ଜାରି ରହିଥିବା ସତ୍ତ୍ବେ ତାଙ୍କ ଦଳ ଷଷ୍ଠ ବିଜୟ ସହିତ ଅଷ୍ଟମ ସ୍ଥାନରୁ ସିଧାସଳଖ ତୃତୀୟ ସ୍ଥାନକୁ ଲମ୍ଫ ମାରିଛି। ବିଗତ ୪ ମ୍ୟାଚ୍ରୁ ମୁମ୍ବାଇ ତିନି ଥର ପଶ୍ଚାତ୍ଧାବନରେ ୨୦୦ରୁ ଊର୍ଧ୍ବ ରନ୍ କରି ବିଜୟୀ ହେବା ଏହି ୫ ଥର ବିଜେତା ଦଳକୁ ପୁଣି ଲୟକୁ ଫେରାଇ ଆଣିଛି। ମଙ୍ଗଳବାର ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଫାପ୍ ଡୁ ପ୍ଲେସିସ୍ ଏବଂ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଶତକୀୟ ଭାଗୀଦାରି ବଳରେ ଆର୍ସିବି ୧୯୯ ରନ୍ କରିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିନ୍ତୁ ସୂର୍ଯ୍ୟକୁମାର ଯାଦବ ଏବଂ ନେହାଲ ୱାଧେରା ମାତ୍ର ୬୪ ବଲରୁ ୧୪୦ ରନ୍ର ଭାଗୀଦାରି କରି ମ୍ୟାଚ୍କୁ ଏକତରଫା କରି ଦେଇଥିଲେ। ସୂର୍ଯ୍ୟକୁମାର ୩୫ ବଲ୍ରୁ ୮୩ ରନ୍ କରି ଆଇପିଏଲ୍ରେ ନିଜ ଶ୍ରେଷ୍ଠ ବ୍ୟକ୍ତିଗତ ପାଳି ଖେଳିଥିଲେ। ୱାଧେରା ୩୪ ବଲ୍ରୁ ୫୨* ରନ୍ କରିଥିଲେ। ହର୍ଷଲ ପଟେଲଙ୍କୁ ଛକା ମାରି ନିଜ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ସହ ମୁମ୍ବାଇକୁ ୩.୩ ଓଭର ପୂର୍ବରୁ ବିଜୟ ପ୍ରଦାନ କରିଥିଲେ। ଦୁଇ ଭାରତୀୟ ତାରକା ରୋହିତ ଶର୍ମା (୭) ଏବଂ ବିରାଟ କୋହଲି (୧) ଏହି ମ୍ୟାଚ୍ରେ ବିଫଳ ହେବାରୁ ସେମାନଙ୍କ ପ୍ରଶଂସକ ନିରାଶ ହୋଇଥିଲେ।
ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଫାଫ୍ ଡୁ ପ୍ଲେସିସ୍ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କ ବିସ୍ଫୋରଣ ଏବଂ ଶେଷ ଆଡ଼କୁ ଦୀନେଶ କାର୍ତ୍ତିକଙ୍କ ଆକର୍ଷଣୀୟ ବ୍ୟାଟିଂ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୨୦୦ ରନ୍ର ଲକ୍ଷ୍ୟ ଧାର୍ଯ୍ୟ ରଖିଥିଲା। ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ମଙ୍ଗଳବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରୋହିତ ଶର୍ମା ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ପ୍ରଥମ ଓଭରରେ ବିରାଟ କୋହଲି (୧) ଓ ତୃତୀୟ ଓଭରରେ ଅନୁଜ ରାୱତ (୬)ଙ୍କ ୱିକେଟ୍ ହରାଇବା ପରେ ଡୁପ୍ଲେସିସ୍-ମ୍ୟାକ୍ସୱେଲ୍ ଯୋଡ଼ି ଦର୍ଶକଙ୍କ ଭରପୂର ମନୋରଂଜନ କରିଥିଲେ। ଏହି ଯୋଡ଼ି ତୃତୀୟ ୱିକେଟ୍ରେ ୬୧ ବଲ୍ରୁ ୧୨୦ ରନ୍ ଉଠାଇ ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ଅର୍ଜନ କରିବା ପରେ ଜାସନ୍ ମ୍ୟାକ୍ସୱେଲ୍ (୬୮ ରନ୍, ୩୩ ବଲ୍, ୮ ଚୌକା, ୪ ଛକା)ଙ୍କୁ ଆଉଟ୍ କରି ବେହରେନଡର୍ଫ ଯୋଡ଼ି ଭାଙ୍ଗିଥିଲେ। ଦୁଇ ଓଭର ପରେ ଡୁପ୍ଲେସିସ୍ ମଧ୍ୟ ୬୫ ରନ୍ (୪୧ ବଲ୍, ୫ଚୌକା, ୩ ଛକା)ଙ୍କୁ କାମେରନ୍ ଗ୍ରିନ୍ ଆଉଟ୍ କରିଥିଲେ। ମହିପାଲ୍ ଲୋମରର୍ (୧) ବିଫଳ ହେବାରୁ ତାଙ୍କୁ ବଦଳ କରି ଇମ୍ପାକ୍ଟ ପ୍ଲେୟାର ଭାବେ କେଦାର ଯାଦବଙ୍କୁ ବ୍ୟାଟିଂ ପାଇଁ ଛଡ଼ାଯାଇଥିଲା। କେଦାରଙ୍କୁ ସାଥୀ କରି ଦୀନେଶ କାର୍ତ୍ତିକ ଧୀମା ପଡ଼ିଥିବା ରନ୍ ଗତିକୁ ସାମାନ୍ୟ ବଢାଇଥିଲେ। ୧୯ ତମ ଓଭରର ପ୍ରଥମ ବଲ୍ରେ କାର୍ତ୍ତିକ (୩୦)ଙ୍କୁ ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍ ଖେଳୁଥିବା କ୍ରିସ୍ ଜୋର୍ଡାନ୍ ଆଉଟ୍ କରିଥିଲେ। କେଦାର (୧୨*) ଓ ୱାନିନ୍ଦୁ ହସରଙ୍ଗା (୧୨*) ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋର୍କୁ ୧୯୯/୬ ରେ ପହଞ୍ଚାଇଥିଲେ।