ନୂଆଦିଲ୍ଲୀ, ୨୯ା୪: ଚଳିତ ଆଇପିଏଲ୍ର ଚେନ୍ନାଇ ପର୍ଯ୍ୟାୟରେ ଖେଳିଥିବା ପାଞ୍ଚଟି ମ୍ୟାଚ୍ରୁ ମାତ୍ର ଦୁଇଟି ବିଜୟ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀରେ ଖେଳିଥିବା ପ୍ରଥମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍ରେ ପରାସ୍ତ କରିଛି। ଏହି ଆଧିପତ୍ୟଭରା ବିଜୟ ସହ ଦିଗ ହରାଇଥିବା ମୁମ୍ବାଇ ନିଜ ପ୍ଲେ ଅଫ୍ ଅଭିଯାନକୁ ପୁଣି ଥରେ ଟ୍ରାକ୍କୁ ଫେରାଇ ଆଣିଛି। ଲଗାତାର ଦୁଇଟି ମ୍ୟାଚ୍ ହାରି ହ୍ୟାଟ୍ରିକ୍ ପରାଜୟ ବରଣ କରିବା ଦ୍ବାରରେ ଥିବା ରୋହିତ ଶର୍ମାଙ୍କ ଦଳ ଗୁରୁବାର ସମ୍ଭବତଃ ଏବର୍ଷର ସବୁଠାରୁ ଆତ୍ମବିଶ୍ବାସଭରା ବିଜୟ ହାସଲ କରିଛି। କ୍ରମାଗତ ଭାବେ ବିଫଳ ହୋଇଆସୁଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ବିଣ୍ଟନ୍ ଡି’ କକ୍ (୭୦* ରନ୍, ୫୦ ବଲ୍, ୬ ଚୌକା, ୨ ଛକା) ଫର୍ମକୁ ଫେରିବା ପ୍ରତିଯୋଗିତାର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବି ଯୁଗଳ ଖୁସି ନେଇଆସିଛି। ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ କିନ୍ତୁ ୬ ମ୍ୟାଚ୍ରୁ ଚତୁର୍ଥ ପରାଜୟ ବରଣ କରିଛି। ଫଳରେ ଆଘାତ ଜନିତ ସମସ୍ୟା ପାଇଁ ବେନ୍ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ଏବଂ କୋଭିଡ୍ ବିପଦ ଲାଗି ଆଣ୍ଡ୍ର୍ୟୁ ଟାଏ ଓ ଲିଆମ ଲିଭିଂଷ୍ଟୋନ୍ଙ୍କ ଭଳି ଖେଳାଳିଙ୍କୁ ହରାଇ ସାରିଥିବା ରାଜସ୍ଥାନର ପ୍ଲେ ଅଫ୍ ପଥ କ୍ରମଶଃ ବଂଧୁର ହେବାରେ ଲାଗିଛି। ସେପଟେ ଡି’କକ୍ଙ୍କ ଧମାକାଦାର ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ଧାର୍ଯ୍ୟ କରିଥିବା ୧୭୨ ରନ୍ର ବିଜୟ ଲକ୍ଷ୍ୟକୁ ୯ ବଲ୍ ପୂର୍ବରୁ ମାତ୍ର ୩ ୱିକେଟ୍ ହରାଇ ହାସଲ କରିନେଇଥିବା ମୁମ୍ବାଇ ଧୀରେଧୀରେ ତାର ପୁରୁଣା ଚମକ ଫେରି ପାଉଥିବାର ସଙ୍କେତ ଦେଇଛି। ଡି’ କକ୍ ମ୍ୟାଚ୍ ବିଜୟୀ ପାଳି ଖେଳିବା ସାଙ୍ଗକୁ ଚାରି ନମ୍ବରକୁ ପଦୋନ୍ନତି ପାଇଥିବା କ୍ରୁନାଲ ପାଣ୍ଡ୍ୟା (୩୯ ରନ୍, ୨୬ ବଲ୍, ୨ଚୌକା, ୨ ଛକା) ଦ୍ରୁତ ଓ ଉପଯୋଗୀ ପାଳି ଖେଳିବା ଏହି ଦଳର ଆତ୍ମବିଶ୍ବାସକୁ ମଧ୍ୟ ବଢ଼ାଇଛି। କିରଣ ପୋଲାର୍ଡ (୧୬* ରନ୍, ୮ ବଲ୍, ୨ ଚୌକା, ୧ ଛକା) ଅପରାଜିତ ରହିବା ଅଧିନାୟକ ରୋହିତଙ୍କ ଚିନ୍ତାକୁ ଟିକିଏ କମାଇଛି। ନିଜେ ରୋହିତ (୧୪ ରନ୍, ୧୭ ବଲ୍) ଅବଶ୍ୟ ଏକ ପ୍ରଭାବଶାଳୀ ପାଳି ଖେଳିବାରେ ପୁଣି ଥରେ ଅସମର୍ଥ ହୋଇଛନ୍ତି। ଡି’କକ୍ ଆଶାଜନକ ଭାବେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଛନ୍ତି।
ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ରୟାଲ୍ସ ପାୱାର ପ୍ଲେ’ର ୬ ଓଭରରୁ ୪୭ ଓ ପ୍ରଥମ ୱିକେଟ୍ରେ ୬୬ ରନ୍ କରିବା ସତ୍ତ୍ବେ ଅରୁଣ ଜେଟ୍ଲି ଷ୍ଟାଡିୟମ୍ର ବ୍ୟାଟିଂକୁ ସୁହାଉଥିବା ପିଚ୍ରେ ୪ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା। ହାତରେ ୱିକେଟ୍ ଥିଲେ ମଧ୍ୟ ମୁମ୍ବାଇ ବୋଲର ଯଶ୍ପ୍ରୀତ ବୁମ୍ରା (୪-୦-୧୫-୧)ଙ୍କ ଶାଣିତ ୟର୍କର ସହ ଶେଷ ଓଭରଗୁଡ଼ିକରେ ଟ୍ରେଣ୍ଟ ବୋଲ୍ଟଙ୍କ ବଢ଼ିଆ ବୋଲିଂର ସମ୍ମୁଖୀନ ହୋଇନପାରି ରନ୍ ଗତି ଆଶାଜନକ ଭାବେ ବଢ଼ାଇ ପାରିନଥିଲା। ମ୍ୟାଚ୍ ଶେଷ ପରେ ଏକଥା ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ୍ ମଧ୍ୟ ସ୍ବୀକାର କରିଥିଲେ। ଆମ ଦଳ ୨୦-୨୫ ରନ୍ ତଳେ ଅଟକି ଯାଇଥିଲା ବୋଲି କହିଥିଲେ। ରାଜସ୍ଥାନ ପକ୍ଷରୁ ଜଣେ ହେଲେ ବି ଖେଳାଳି ଅର୍ଦ୍ଧଶତକ ଅର୍ଜନ ନକରିପାରିବା ନେଇ ବି ସେ ଢେର ନିରାଶ ଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ଦଳ ପକ୍ଷରୁ ସେ ହିଁ ସର୍ବାଧିକ ୪୨ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର ୪୧, ଯଶସ୍ବୀ ଜୟସ୍ବାଲ ୩୨ ଓ ଶିଭମ ଦୁବେ ୩୫ ରନ୍ର ଯୋଗଦାନ ଦେଇଥିଲେ।
କ୍ବିଣ୍ଟନ୍ କମାଲ: ଦିଲ୍ଲୀରେ ମୁମ୍ବାଇର ଭାଗ୍ୟ ଉଦୟ
/sambad/media/post_attachments/wp-content/uploads/2021/04/56d4g4ad56g4ad56gg4d56a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)