ହାଇଦ୍ରାବାଦ: ୬୦ ମ୍ୟାଚ୍ ଓ ଦୀର୍ଘ ଦେଢ଼ ମାସରୁ ଅଧିକ ସମୟର ଲଢ଼େଇ ପରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ଟ୍ବେଣ୍ଟି-୨୦ ମହାଯୁଦ୍ଧରେ ବିଜେତା ଆଖ୍ୟା ଅର୍ଜନ କରିଛି। ରବିବାରର ରୋମାଞ୍ଚଭରା ଫାଇନାଲରେ ୧ ରନ୍ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ଚକ୍ମା ଦେଇ ମୁମ୍ବାଇ ପ୍ରଥମ ଏବଂ ଏକମାତ୍ର ଦଳ ଭାବେ ସର୍ବାଧିକ ଚତୁର୍ଥ ଥର ପାଇଁ ଆଇପିଏଲ୍ ବିଜେତା ହୋଇଛି। ସେପଟେ ଚେନ୍ନାଇ ଆଇପିଏଲ୍-୧୨ରେ ଚତୁର୍ଥ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ରହିଛି। ଲିଗ୍ ପର୍ଯ୍ୟାୟର ଦୁଇଟି ମ୍ୟାଚ୍ ସହ ପ୍ରଥମ କ୍ବାଲିଫାୟରରେ ମଧ୍ୟ ଚେନ୍ନାଇକୁ ମୁମ୍ବାଇ ହରାଇଥିଲା। ମୁମ୍ବାଇ ୧୪୯/୮ କରିଥିଲା। ଚେନ୍ନାଇ ୧୪୮/୭ରେ ଅଟକି ଗଲା।
ଚେନ୍ନାଇକୁ ହରାଇଲା ମାଲିଙ୍ଗାଙ୍କ ୟର୍କର
ଶେଷ ବଲ୍, ବିଜୟ ପାଇଁ ଦରକାର ୨ ରନ୍। ଲସିଥ ମାଲିଙ୍ଗାଙ୍କ ହାତରେ ବଲ୍। ସାମ୍ନାରେ ସାର୍ଦୁଲ ଠାକୁର। କିଛି ବି ହୋଇପାରେ। ୧ ରନ୍ କଲେ ସୁପରଓଭର, ୨ରେ ବିଜୟ। ହେଲେ ମାଲିଙ୍ଗାଙ୍କ ଯୋଜନା ଥିଲା ଭିନ୍ନ। ମଝି ଷ୍ଟମ୍ପକୁ ଧିମା ୟର୍କର ପକାଇ ସାର୍ଦୁଲ ଠାକୁରଙ୍କ ପାଳିକୁ ଶେଷ କରି ଦେଲେ। ଆଦୌ ରନ୍ ହେଲାନି। ମୁମ୍ବାଇ ୧ ରନ୍ରେ ଜିତି ପ୍ରଥମ ଦଳ ଭାବେ ଚତୁର୍ଥ ଥର ପାଇଁ ଆଇପିଏଲ୍ ମୁକୁଟ ହାସଲ କରି ନେଲା। ଶେଷ ଓଭର ଆରମ୍ଭ ବେଳକୁ କିନ୍ତୁ ବଡ଼ ମ୍ୟାଚ୍ର ବିଜେତା ଭାବେ ପରିଚିତ ସେନ୍ ୱାଟସନ୍ (୮୦ ରନ୍, ୫୯ ବଲ୍, ୮ ଚୌକା, ୪ ଛକା) କ୍ରିଜ୍ରେ ଥିବାରୁ ଚେନ୍ନାଇ ପଲ୍ଲା ପୂରା ଭାରିଥିଲା। ୬ ବଲ୍ରୁ ଅବଶ୍ୟ ୯ ରନ୍ର ଆବଶ୍ୟକତା ଥିଲା। ମାଲିଙ୍ଗା ଶାଣିତ ବୋଲିଂ କରି ପ୍ରଥମ ୩ ବଲ୍ରୁ ମାତ୍ର ୪ ରନ୍ ଦେଇଥିଲେ। ଚତୁର୍ଥ ବଲ୍ରେ ୱାଟସନ୍ ରନ୍ ଆଉଟ୍ ହେବାରୁ ମ୍ୟାଚ୍ର ମୋଡ଼ ବଦଳିଗଲା। ପଞ୍ଚମରେ ସାର୍ଦୁଲ ୨ ରନ୍ ନେଇଥିଲେ ମଧ୍ୟ ଶେଷ ବଲ୍ ସବୁ କିଛି ସାରିଦେଲା। ଅନ୍ୟପଟୁ ୱିକେଟ୍ ପତନ ଜାରି ରହିଥିଲେ ମଧ୍ୟ ୱାଟସନ୍ ମାଲିଙ୍ଗାଙ୍କ ଷୋଡ଼ଶ ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କ ଅଷ୍ଟାଦଶ ଓଭରରୁ ୨୦ ରନ୍ ଲେଖାଏଁ ଅମଳ କରି ଚେନ୍ନାଇକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ। ତେବେ ଗତବର୍ଷର ଫାଇନାଲ୍ ବିଜୟକୁ ଦୋହରାଇ ପାରି ନଥିଲେ। ତାଙ୍କ ସହ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତ୍ରୟୋଦଶ ଓଭରରେ ରନ୍ଆଉଟ୍ ହେବା ଚେନ୍ନାଇ ପାଇଁ ସବୁଠାରୁ ବେଶୀ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଫାଫ୍ ଡୁ ପ୍ଲେସିସଙ୍କ ଦ୍ରୁତ ୨୯ ରନ୍ ଛଡ଼ା ଅନ୍ୟ କୌଣସି ଚେନ୍ନାଇ ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରି ପାରିନଥିଲେ। ସୁରେଶ ରାଇନା (୮), ଅମ୍ବାତି ରାୟୁଡୁ (୧) ୩ ରନ୍ ଭିତରେ ପ୍ୟାଭିଲିୟନ ଫେରିବା ମଧ୍ୟ ଚେନ୍ନାଇ ପରାଜୟର ଅନ୍ୟତମ କାରଣ ଥିଲା। ଶେଷ ବଲ୍ ବିଜୟ ମୁମ୍ବାଇ ପ୍ରଶଂସକଙ୍କୁ ଉଲ୍ଲସିତ କରିଥିଲା ବେଳେ ଚେନ୍ନାଇ ପ୍ରଶଂସକ ନିରାଶ ହୋଇଥିଲେ।
ଚହରଙ୍କ ୱିକେଟ୍ ମେଡେନ୍
ମୁମ୍ବାଇ ଇଣ୍ଡିଆନ୍ସ ଫାଇନାଲରେ ତୃତୀୟ ଥର ପାଇଁ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦୀପକ ଚହରଙ୍କ ଗୋଟିଏ ଓଭରରେ ତିନିଟି ଛକା ମାରିବା ସହ କ୍ବିଣ୍ଟନ୍ ଡି’ କକ୍ (୨୯ ରନ୍, ୧୭ ବଲ୍, ୪ ଛକା) ଓ ରୋହିତ ଶର୍ମା (୧୫ ରନ୍ , ୧୪ ବଲ୍, ୧ ଚୌକା, ୧ ଛକା) ଦ୍ରୁତ ଆରମ୍ଭ କରିଥିଲେ। ପଞ୍ଚମ ଓଭରରେ ଡି’କକ୍ ଆଉଟ୍ ହେବା ପରେ କିନ୍ତୁ ଖେଳ ନାଟକୀୟ ମୋଡ଼ ନେଇଥିଲା। ଡି’କକ୍ଙ୍କୁ ସାର୍ଦୁଲ ଠାକୁର ଧୋନିଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ଚହର ବି ପଛରେ ରହି ନଥିଲେ। ଷଷ୍ଠ ଓଭରକୁ ମେଡେନ୍ ନେବା ସହ ରୋହିତଙ୍କୁ ବି ସେ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଧିମା ବଲ୍କୁ ଷ୍ଟ୍ରେଟ୍ ଡ୍ରାଇଭ୍ ମାରିଲା ବେଳେ ଆଗୁଆ ସଟ୍ ଖେଳି ରୋହିତ ନିଜ ୱିକେଟ୍ ହରାଇଥିଲେ। ତାଙ୍କ କ୍ୟାଚ୍ ମଧ୍ୟ ଧୋନି ନେଇଥିଲେ। ଏହି କ୍ୟାଚ୍ ବଳରେ ଧୋନି ଆଇପିଏଲ୍ ଇତିହାସର ସଫଳତମ ୱିକେଟ୍ ରକ୍ଷକ ପାଲଟି ଯାଇଥିଲେ। ୱିକେଟ୍ ପଛରେ ୧୩୨ ଜଣଙ୍କୁ ଆଉଟ୍ କରି ସେ ଦୀନେଶ କାର୍ତିକ (୧୩୧)ଙ୍କୁ ଟପିଥିଲେ। ରବିନ ଉଥାପ୍ପା (୯୦), ପାର୍ଥିବ ପଟେଲ (୮୨) ଓ ନମନ ଓଝା (୭୫) ଏହି କ୍ରମରେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି।
ପୋଲାର୍ଡଙ୍କ ପାଇଁ ମୁମ୍ବାଇ ୧୪୯/୮
ପାୱାର ପ୍ଲେ ଭିତରେ (୪୫ ରନ୍) ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ନିଜ ନିଜ ୱିକେଟ୍ ଫିଙ୍ଗି ଦେବା ପରେ ମଧ୍ୟ ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କ ଚେତା ଫେରି ନଥିଲା। ସେମାନେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲେ। ବିଶେଷ କରି ଚେନ୍ନାଇର ଟ୍ରମ୍ପକାର୍ଡ ଇମ୍ରାନ ତାହିରଙ୍କ ଯୁଗଳ ଝଟ୍କାରେ ମୁମ୍ବାଇ ଏକରକମ ଦୋହଲି ଯାଇଥିଲା। ସୂର୍ଯ୍ୟକୁମାର ଯାଦବ (୧୫)ଙ୍କୁ ଦ୍ବାଦଶ ଓଭରର ଦ୍ବିତୀୟ ବଲ୍ରେ ଆଉଟ୍ କରିବା ପରେ ପଞ୍ଚଦଶ ଓଭରର ଚତୁର୍ଥ ବଲ୍ରେ ଈଶାନ କିଶନଙ୍କୁ ଶିକାର କରି ନେଇଥିଲେ। ଏହା ପୂର୍ବରୁ ତ୍ରୟୋଦଶ ଓଭରର ତୃତୀୟ ବଲ୍ରେ ସାଦୁର୍ଲ ଠାକୁର କ୍ରୁନାଲ ପାଣ୍ଡ୍ୟାଙ୍କୁ କଟ୍ ଆଣ୍ଡ ବୋଲ୍ଡ କରି ଖାତା ଖୋଲିବାର ସୁଯୋଗ ଦେଇ ନଥିଲେ। ୧୦୧ ରନ୍ରେ ଅଧାଦଳ ହରାଇ ସାରିଥିବା ମୁମ୍ବାଇ ପାଇଁ କିରଣ ପୋଲାର୍ଡ (୪୧* ରନ୍, ୨୫ ବଲ୍, ୩ ଚୌକା, ୩ ଛକା) ଓ ହାର୍ଦିକ ପାଣ୍ଡ୍ୟା (୧୬ ରନ୍, ୧୦ ବଲ୍, ୧ ଚୌକା, ୧ ଛକା) ପାଳି ସଜାଡ଼ିବା ସହ ରନ୍ ଗତି ବଢ଼ାଇବାକୁ ଚେଷ୍ଟା କରିଥିଲେ। ଉଭୟ ଷଷ୍ଠ ୱିକେଟ୍ରେ ୩୯ ରନ୍ ଯୋଡ଼ିଥିଲେ। ପାଣ୍ଡ୍ୟା ବିପଜ୍ଜନକ ହୋଇ ଆସୁଥିଲା ବେଳେ ଦୀପକ ଚହର ଏକ ସୁନ୍ଦର ୟର୍କରରେ ତାଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରି ଦେଇଥିଲେ। ପାଣ୍ଡ୍ୟା ଏହାର ରିଭ୍ୟୁ ନେଇଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଗୋଟିଏ ବଲ୍ ପରେ ଦାଦା ପୁଅ ଭାଇ ରାହୁଲ ଚହରଙ୍କୁ ଡୁ’ ପ୍ଲେସିସଙ୍କ ହାତରେ କ୍ୟାଚ୍ କରାଇ ଦୀପକ ମୁମ୍ବାଇକୁ ସପ୍ତମ ଝଟ୍କା ଦେଇଥିଲେ। ଚେନ୍ନାଇ ବୋଲର ଶେଷ ଆଡ଼କୁ ଏମିତି ଚାପ ସୃଷ୍ଟି କରିଥିଲେ ଯେ ମୁମ୍ବାଇ ଊନ୍ନବିଂଶ ଓଭରରେ ଦୁଇଟି ୱିକେଟ୍ ହରାଇ ମାତ୍ର ୪ ରନ୍ କରିପାରିଥିଲା। ସେହିଭଳି ଶେଷ ଓଭରର ପ୍ରଥମ ୪ ବଲ୍ରେ କୌଣସି ରନ୍ କରି ନପାରିବା ପରେ ଅନ୍ତିମ ଦୁଇ ବଲ୍ରେ ପୋଲାର୍ଡ ଦୁଇଟି ଚୌକା ମାରି ଦଳର ସମ୍ମାନ ରଖିଥିଲେ। ହେଲେ ପୋଲାର୍ଡ ପ୍ରଥମ ତିନି ବଲ୍ରୁ କୌଣସି ରନ୍ କରି ନପାରିବା ପରେ ଉପରକୁ ବ୍ୟାଟ୍ ଫିଙ୍ଗି ଅଣଖେଳୁଆଡ଼ ମନୋଭାବ ପୋଷଣ କରିଥିଲେ।