ମୁମ୍ବାଇ : ମୁମ୍ବାଇ ଇଣ୍ଡିଆନ୍ସ ତା’ର ଅଧିନାୟକ ରୋହିତ ଶର୍ମାଙ୍କୁ ରବିବାର ଜନ୍ମଦିନରେ ବିଜୟ ଉପହାର ଦେଇଛି। ମୁମ୍ବାଇରେ ଖେଳାଯାଇଥିବା ଆଇପିଏଲ୍‌ର ୧୦୦୦ତମ ମ୍ୟାଚ୍‌ରେ ମୁମ୍ବାଇ ୬ ୱିକେଟ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ୨୧୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ମୁମ୍ବାଇ ୩ ବଲ୍‌ ପୂର୍ବରୁ ୪ ୱିକେଟ୍‌ ହରାଇ ଏହା ହାସଲ କରିନେଇଥିଲା। ତିଳକ ବର୍ମା (୨୯*) ଓ ଟିମ୍‌‌ ଡେଭିଡ (୪୫*, ୧୪ ବଲ୍‌) ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ। ଶେଷ ଓଭରରେ ୧୭ ରନ୍‌ ଆବଶ୍ୟକ ଥିଲା ବେଳେ ହୋଲଡରଙ୍କ ପ୍ରଥମ ୩ ବଲ୍‌କୁ ଡେଭିଡ ଲଗାତାର ଛକା ମାରି ବିଜୟ ମୁଣ୍ଡି ମାରିଥି‌ଲେ। ଏହି ଦୁଇ ଜଣ ଅତୁଟ ପଞ୍ଚମ ୱିକେଟ୍‌ରେ ୨୩ ବଲ୍‌ରୁ ୬୨ ରନ୍‌ ଯୋଡ଼ି ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ସୂର୍ଯ୍ୟକୁମାର ଯାଦବ (୫୫), କାମେରୁନ ଗ୍ରିନ (୪୪), ଈଶାନ କିଶନ (୨୮ ରନ୍‌) ଉପଯୋଗୀ ପାଳି‌ ଖେଳିଥିଲେ। ହେଲେ ଜନ୍ମ ଦିନରେ ରୋହିତ (୩) ବିଫଳ ହୋଇଥିଲେ।

Advertisment

ପୂର୍ବରୁ ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ଓପନର୍‌ ଯଶସ୍ବୀ ଜୟସ୍ବାଲଙ୍କ ଶତକ ବଳରେ ୭ ୱିକେଟ୍‌ ହରାଇ ୨୧୨ କରିଥିଲା। ଜୟସ୍ବାଲ (୧୨୪ ରନ୍‌)ଙ୍କ ଏହା ପ୍ରଥମ ଆଇପିଏଲ୍‌ ଶତକ ଥିଲା ବେଳେ ଧନି ଟ୍ବେଣ୍ଟି-୨୦ ଲିଗ୍‌ରେ ଅନ୍‌କ୍ୟାପ୍‌ଡ ଖେଳାଳି ଏବଂ ରାଜସ୍ଥାନ ପାଇଁ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋରର୍‌ ହେବାର କୀର୍ତ୍ତିମାନ କରିଥିଲେ। ଏଥିସହ ଜୟସ୍ବାଲ (୯ ମ୍ୟାଚ୍‌, ୪୨୮ ରନ୍‌) ମଧ୍ୟ ଆରସିବିର ଫାଫ ଡୁ’ପ୍ଲେସିସ୍‌ (୮ ମ୍ୟାଚ୍‌, ୪୨୨ ରନ୍‌)ଙ୍କଠୁ କମଳା ଟୋପି ଛଡ଼ାଇ ନେଇଥିଲେ। ଜୟସ୍ବାଲଙ୍କ ଶତକ ଶେଷରେ ବେକାର ଯାଇଥିଲା, କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

publive-image