ଦୁବାଇରେ ରୋହିତ ରାଜୁତି : ମୁମ୍ବାଇ ଜିତିଲା ଆଇପିଏଲ୍‌

ବୋଲିଂ ଏବଂ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରି ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ଆପିଏଲ୍‌ ମୁକୁଟ ଜିତି ନେଇଛି। ଆରବୀୟ ରାତିରେ ମଙ୍ଗଳବାର ଖେଳାଯାଇଥିବା ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଯୁବବାହିନୀ ଦିଲ୍ଲୀ କ୍ୟାପିଟାଲ୍ସକୁ ଅତି ସହଜରେ ୫ ୱିକେଟରେ ହରାଇ ପଞ୍ଚମ ଥର ପାଇଁ ଟ୍ରଫି ବିଜେତା ହୋଇଛି। ଦିଲ୍ଲୀକୁ ୧୫୬ ରନ୍‌ରେ ରୋକିବା ପରେ ମୁମ୍ବାଇ ୫ ୱିକେଟ୍ ହରାଇ ୮ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଅନ୍ୟପକ୍ଷରେ ପ୍ରଥମ ଥର ଫାଇନାଲ୍ ଆସିଥିବା ଦିଲ୍ଲୀ କ୍ୟାପିଟାଲ୍‌ସର ଟ୍ରଫି ବିଜୟ ସ୍ବପ୍ନ ଅଧୁରା ରହିଗଲା। ପୂର୍ବରୁ ମୁମ୍ବାଇ ରୋହିତ ଶର୍ମାଙ୍କ ଦଳ ପ୍ରତି ଦୁଇ ବ‌ର୍ଷ ଅନ୍ତରରେ (୨୦୧୩, ୨୦୧୫, ୨୦୧୭, ୨୦୧୯) ଟ୍ରଫି ବିଜେତା ହେଉଥିଲା। ପ୍ରଥମ ଥର ପାଇଁ ମୁକୁଟ ବଜାୟ ରଖିବାରେ ସକ୍ଷମ ହୋଇଛି। ସର୍ବାଧିକ ରନ୍‌ ସହିତ ପଞ୍ଜାବର କେଏଲ୍ ରାହୁଲ୍ (୬୭୦) ଏବଂ ସର୍ବାଧିକ ୱିକେଟ୍ ସହ ଦିଲ୍ଲୀର କାଗିସୋ ରବାଦା (୩୦ ୱିକେଟ) ଯଥାକ୍ରମେ ଅରେଞ୍ଜ୍‌ ଓ ପର୍ପଲ୍ କ୍ୟାପ୍ ବିଜେତା ହୋଇଛନ୍ତି।

Sportstar – The Hindu

ମୁମ୍ବାଇକୁ ପଞ୍ଚମ ମୁକୁଟ, ମିଳିଲାନି ନୂଆ‌ ବିଜେତା

ଦୁବାଇ: ୫୩ ଦିନ ଓ ୬୦ ମ୍ୟାଚ୍‌ର ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇ ପରେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ର ବିଜେତା ମୁକୁଟ ପିନ୍ଧିଛି। ମଙ୍ଗଳବାର ମେଗା ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟ୍‌ରେ ହରାଇ ମୁମ୍ବାଇ ପୁଣି ଥରେ ଟ୍ରଫି ଟକ୍କରରେ ବାଜି ମାରି ନେଇଛି। ଦିଲ୍ଲୀ ମଙ୍ଗଳବାର ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ମୁମ୍ବାଇ ୮ ବଲ୍ ପୂର୍ବରୁ ୫ ୱିକେଟ୍ ହରାଇ ହାସଲ କରି ନେଇଥିଲା। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅଧିନାୟକ ରୋହିତ ଶର୍ମାଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

ମିଳିଲାନି ନୂଆ‌ ବିଜେତା
୧୫୭ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ମୁମ୍ବାଇ ଅଧିନାୟକ ରୋହିତ ଶର୍ମା (୬୮ ରନ୍, ୫୧ ବଲ୍, ୫ ଚୌକା, ୪ ଛକା)ଙ୍କ ଅର୍ଧଶତକ ସହ ଈଶାନ କିଶନ (୩୩* ରନ୍, ୧୯ ବଲ୍, ୩ ଚୌକା, ୧ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଶେଷ ଆଡ଼କୁ ଏକତରଫା ବିଜୟ ହାସଲ କରିଥିଲା। କ୍ବିଣ୍ଟନ୍ ଡି’ କକ୍ ୧୨ ବଲ୍‌ରୁ ୨୦ ଏବଂ ସୂର୍ଯ୍ୟକୁମାର ଯାଦବ ୨୦ ବଲ୍‌ରୁ ୧୯ ରନ୍ କରିଥିଲେ। ଅସରନ୍ତି ଉତ୍କଣ୍ଠା ଭରା ଏଥରର ଆଇପିଏଲ୍ ଫାଇନାଲ୍ ବେଶ୍ ରୋମାଞ୍ଚଭରା ହେବ ବୋଲି ପ୍ରଶଂସକ ଆଶା ରଖିଥିଲେ। ହେଲେ ଉଭୟ ବଲ୍ ଏବଂ ବ୍ୟାଟ୍‌ରେ ଆଧିପତ୍ୟ ବିସ୍ତାର କରି ମୁମ୍ବାଇ ସହଜରେ ପଞ୍ଚମ ଥର ପାଇଁ ବିଜେତା ମୁକୁଟ ପିନ୍ଧିଥିଲା। ଫଳରେ ଆଇପିଏଲ୍‌କୁ ନୂଆ ବିଜେତା ମିଳିନଥିଲା। ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସର ଟ୍ରଫି ବିଜୟ ସ୍ବପ୍ନ ମଉଳି ଯାଇଥିଲା। ତା’ ସହ ଚଳିତ ଋତୁରେ ମୁମ୍ବାଇଠାରୁ ଏହି ଦଳ ଲଗାତାର ଚତୁର୍ଥ ପରାଜୟ ବରଣ କରିଥିଲା। ରୋହିତ ମଙ୍ଗଳବାରର ମେଗା ଫାଇନାଲ୍‌ରେ ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଖେଳିଥିଲେ। ସେ ମଧ୍ୟ ପ୍ରଥମ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୪,୦୦୦ ପୂରଣ କରିଥିଲେ। ସେହିଭଳି ପାଞ୍ଚଟି ଆଇପିଏଲ୍ ଟ୍ରଫି ଜିତିବାରେ ପ୍ରଥମ ଅଧିନାୟକ ହେବାର ଗୌରବ ଅର୍ଜନ କରିଥିଲେ। ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଆଉଟ୍ ହୋଇଥିବା ଷ୍ଟୋଇନିସ୍ ନିଜ ବୋଲିଂର ପ୍ରଥମ ବଲ୍‌ରେ କ୍ବିଣ୍ଟନ୍ ଡି’କକ୍‌ଙ୍କୁ ଆଉଟ୍ କରିଥିଲେ। ହେଲେ ଏହା ମୁମ୍ବାଇ ବିଜୟକୁ ରୋକିବା ଲାଗି ପର୍ଯ୍ୟାପ୍ତ ହୋଇନଥିଲା।

ମୁମ୍ବାଇର ହ୍ୟାଟ୍ରିକ୍‌

ପଏଣ୍ଟ୍‌ ଟେବୁଲ୍ ଶୀର୍ଷରେ ରହି ଆଇପିଏଲ୍ ଟ୍ରଫି ଜିତିବାରେ ମୁମ୍ବାଇ ଇଣ୍ଡିଆନ୍ସ ହ୍ୟାଟ୍ରିକ୍ ଅର୍ଜନ କରିଛି। ୨୦୧୭, ୨୦୧୯ ପରେ ୨୦୨୦ରେ ରୋହିତ ଶର୍ମାଙ୍କ ଦଳ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ରହିବା ପରେ ଟ୍ରଫି ଜିତିଛି। ଅନ୍ୟ ଏକମାତ୍ର ଦଳ ଭାବେ ରାଜସ୍ଥାନ ରୟାଲ୍ସ ୨୦୦୮ ପ୍ରଥମ ସଂସ୍କରଣରେ ଏଭଳି ସଫଳତା ପାଇଥିଲା। ପ୍ରଥମ ଥର ପାଇଁ ମୁମ୍ବାଇ ମଧ୍ୟ ଫାଇନାଲ୍‌ ମ୍ୟାଚ୍‌କୁ ପଶ୍ଚାତଧାବନ କରି ଜିତିଛି। ୨୦୧୦ରେ ଦଳ ଦ୍ବିତୀୟରେ ବ୍ୟାଟିଂ କରି ହାରିଯାଇଥିଲା। ଦିଲ୍ଲୀ ବିପକ୍ଷ ଚଳିତ ଋତୁର ସମସ୍ତ ୪ ମୁକାବିଲା (ଲିଗ୍-୨, କ୍ବାଲିଫାୟାର୍-୧ ଏବଂ ଫାଇନାଲ୍)ରେ ମୁମ୍ବାଇ ମଧ୍ୟ ବିଜୟୀ ହୋଇ ଅପରାଜିତ ରହିଲା। ସବୁଠୁ କମ୍‌ ଖେଳାଳିଙ୍କ ବ୍ୟବହାର କରି ଆଇପିଏଲ୍‌ ବିଜେତା ହେବାରେ ମୁମ୍ବାଇ ଦ୍ବିତୀୟ ସ୍ଥାନରେ ରହିଛି। ବିଦାୟୀ ଋତୁରେ ମୋଟ ୧୫ ଜଣ‌ ଖେଳାଳି ମୁମ୍ବାଇକୁ ବିଜେତା କରିଛନ୍ତି। ପୂର୍ବରୁ ୨୦୧୫ରେ ୧୪ ଜଣଙ୍କୁ ନେଇ ଚେନ୍ନାଇ ଉପ ବିଜେତା ହେବା ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଫାଇନାଲ୍ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହେବାରେ ଟ୍ରେଣ୍ଟ୍ ବୋଲ୍ଟ ଚତୁର୍ଥ ବିଦେଶୀ ଖେଳାଳି ହୋଇଛନ୍ତି। ପୂର୍ବରୁ କିରଣ ପୋଲାର୍ଡ (୨୦୧୩), ବେନ୍ କଟିଂ (୨୦୧୬), ସେନ୍ ୱାଟସନ୍ (୨୦୧୮) ଏଭଳି ସଫଳତା ପାଇଥିଲେ। କେଏଲ୍ ରାହୁଲ ଚତୁର୍ଥ ଭାରତୀୟ ଭାବେ ନାରଙ୍ଗୀ ଟୋପି ବିଜେତା ହୋଇଛନ୍ତି। ପୂର୍ବରୁ କେବଳ ସଚିନ ତେନ୍ଦୁଲକର (୬୧୮ ରନ୍‌, ୨୦୧୦), ରବିନ୍ ଉଥପ୍ପା (୬୬୦ ରନ୍‌, ୨୦୧୪), ବିରାଟ କୋହଲି (୯୭୩ ରନ୍‌, ୨୦୧୬)

ଦିଲ୍ଲୀଠୁ ଦୂରେଇଲା ଟ୍ରଫି

ପ୍ରଥମ ଥର ଫାଇନାଲ୍ ଖେଳୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟସ୍ ଆୟର ଟସ୍ ଜିତି ବ୍ୟାଟିଂ ନେଇଥିଲେ। ତେବେ ଏହି ନିଷ୍ପତ୍ତି ତାଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପ୍ରଥମ ବଲ୍‌ରେ ମାର୍କସ ଷ୍ଟୋଇନିସ (୦)ଙ୍କୁ ଆଉଟ୍ କରି ଟ୍ରେଣ୍ଟ ବୋଲ୍ଟ ନବୀନ ଇତିହାସ ରଚିଥିଲେ। ଆଇପିଏଲ୍‌ର ୧୩ ଋତୁରେ ପ୍ରଥମ ବୋଲର ଭାବେ କୌଣସି ଫାଇନାଲ୍‌ର ପ୍ରଥମ ବଲ୍‌ରେ ହିଁ ସେ ୱିକେଟ୍ ନେବାର ଗୌରବ ଅର୍ଜନ କରିଥିଲେ। ସେ ମଧ୍ୟ ଭୁବନେଶ୍ବର କୁମାର (୬ ୱିକେଟ୍)ଙ୍କୁ କାଟି ଆଇପିଏଲ୍ ଇତିହାସର ସଫଳତମ ନୂଆ ବଲ୍ ବୋଲର ପାଲଟିଥିଲେ। ଚଳିତ ଋତୁରେ ଏହି ବାମହାତୀ କିୱି ବୋଲର ପ୍ରଥମ ଓଭରଗୁଡ଼ିରେ ମୋଟ ୮ ୱିକେଟ୍ କରାୟତ କରିଛନ୍ତି। ଷ୍ଟୋଇନିସ୍‌ଙ୍କୁ ସଟ୍ ବଲ୍‌ରେ ଚକିତ କରିବାର ପର ଓଭରରେ ଅଜିଙ୍କ୍ୟ ରାହାଣେଙ୍କୁ ଆଉଟ୍ କରି ଦିଲ୍ଲୀକୁ ବୋଲ୍ଟ ଆଜି ୨ ଓଭରରେ ଦୁଇଟି ଶକ୍ତ ଝଟ୍‌କା ଦେଇଥିଲେ। ସେପଟେ ଦିଲ୍ଲୀର ଅଗ୍ରଣୀ ସ୍କୋରର ତଥା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (୧୫)ଙ୍କୁ ଜୟନ୍ତ ଯାଦବ ଚତୁରତାର ସହ କ୍ଲିନ୍ ବୋଲ୍ଡ କରିବା ପରେ ଦିଲ୍ଲୀ ୨୨ ରନ୍‌ରେ ୩ ୱିକେଟ୍ ହରାଇ ଘୋର ସଙ୍କଟରେ ପଡ଼ିଥିଲା। ଅଧିନାୟକ ଶ୍ରେୟସ୍ ଆୟର (୬୫* ରନ୍, ୫୦ ବଲ୍, ୫ ଚୌକା, ୨ ଛକା) ଓ ଋଷବ ପନ୍ତ (୫୬ ରନ୍, ୩୮ ବଲ୍, ୪ ଚୌକା, ୨ ଛକା) ଚତୁର୍ଥ ୱିକେଟ୍‌ରେ ଦ୍ରୁତ ୯୮ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ତେବେ ଏହା ପରେ ଦିଲ୍ଲୀ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଶେଷ କିଛି ଓଭରରେ ଆଶାଜନକ ଭାବେ ରନ୍ ହାର ବଢ଼ାଇ ପାରିନଥିଲା। ଅଧିନାୟକ ଆୟର କିନ୍ତୁ ଚଳିତ ଋତୁର ତୃତୀୟ ଅର୍ଧଶତକ ଅର୍ଜନ କରିଥିଲେ। ସେ ମଧ୍ୟ ଚଳିତ ସଂସ୍କରଣରେ ବ୍ୟକ୍ତିଗତ ଭାବେ ୫୦୦ ରନ୍ ଟପିଥିଲେ।

 

ସମ୍ବନ୍ଧିତ ଖବର