ମୁମ୍ବାଇ ପ୍ରଥମ ଥର ଜିତିଲା ସୟଦ୍‌ ମୁସ୍ତାକ ଅଲୀ ଟ୍ରଫି: ଫାଇନାଲ୍‌ରେ ହିମାଚଳ ପ୍ରଦେଶକୁ ୩ ୱିକେଟ୍‌ରେ ହରାଇଲା

କୋଲ୍‌କାତା: ଚଳିତ ବର୍ଷର ସୟଦ୍‌ ମୁସ୍ତାକ ଅଲୀ ଟ୍ରଫି ଶନିବାର ଶେଷ ହୋଇଛି। ଐତିହାସିକ ଇଡେନ୍‌ ଗାର୍ଡେନ୍‌ରେ ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ରେ ରିଷି ଧାୱନ୍‌ଙ୍କ ହିମାଚଳ ପ୍ରଦେଶ ଦଳକୁ ୩ ବଲ୍‌ ପୂର୍ବରୁ ୩ ୱିକେଟ୍‌ରେ ପରାସ୍ତ କରି ଆଜିଙ୍କ୍ୟ ରହାଣେଙ୍କ ଦଳ ମୁମ୍ବାଇ ବିଜେତା ହୋଇଛି। ହିମାଚଳ ପ୍ରଦେଶର ୧୪୩/୮ ଜବାବରେ ମୁମ୍ବାଇ ୧୯.୩ ଓଭରରେ ୧୪୬/୭ କରିନନେଇଥିଲା। ଏଥିସହିତ ମୁମ୍ବାଇ ମଧ୍ୟ ପ୍ରଥମ ଥର ଲାଗି ସୟଦ୍‌ ମୁସ୍ତାକ ଅଲୀ ଟ୍ରଫି ତୋଳିଧରିବାର ସୌଭାଗ୍ୟ ଲାଭ କରିଛି। ମିତବ୍ୟୟୀ ବୋଲିଂ ପାଇଁ ବିଜେତା ଦଳର ତନୁଷ କୋଟିଆଁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଟସ୍‌ ଜିତି ମୁମ୍ବାଇ ପ୍ରଥମେ ବୋଲିଂ କରିଥିଲା। ମୋହିତ ଆୱସ୍ତି (୪-୦-୨୧-୩) ଏବଂ କୋଟିଆଁ (୪-୦-୧୫-୩) ଚମତ୍କାର ବୋଲିଂ କରି ହିମାଚଳ ପ୍ରଦେଶକୁ ବଡ଼ ସ୍କୋର୍‌ରୁ ରୋକିଥିଲେ। ଅମନ ହକିମ ଖାନ୍‌ ଓ ଶିବମ ଦୁବେ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ହିମାଚଳ ପ୍ରଦେଶ ପକ୍ଷରୁ ଏକାନ୍ତ ସେନ୍‌ ସର୍ବାଧିକ ୩୭ ରନ୍‌ କରିଥିଲା ବେଳେ ଆକାଶ ବଶିଷ୍ଟ୍‌ ୨୫, ନିଖିଳ ଗଙ୍ଗ୍‌ତା ୨୨, ମୟଙ୍କ ଡଗର ୨୧* ଓ ପ୍ରଶାନ୍ତ ଚୋପ୍ରା ୧୯ ରନ୍‌ର ଅବଦାନ ରଖିଥିଲେ।
ଜବାବରେ ଅଧିନାୟକ ରହାଣେ (୧) ପୁନର୍ବାର ନିରାଶ କରିଥିଲେ ମଧ୍ୟ ଯଶସ୍ବୀ ଜୟସ୍ବାଲ (୨୭) ଓ ଶ୍ରେୟସ ଆୟର (୩୪) ତୃତୀୟ ୱିକେଟ୍‌ରେ ୪୧ ଏବଂ ଶ୍ରେୟସ ଓ ସର୍ଫରାଜ ଖାନ୍‌ (୩୬*) ଚତୁର୍ଥ ୱିକେଟ୍‌ରେ ୨୭ ରନ୍‌ ଯୋଡ଼ିବା ହିଁ ମୁମ୍ବାଇକୁ ବିଜୟୀ କରାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଓପ୍‌ନର ପୃଥ୍ବୀ ସ’ (୧୧) ଦୁଇ ଅଙ୍କ ଛୁଇଁଥିଲେ। ଶେଷ ଓଭରରେ ଜିତିବା ପାଇଁ ୬ ରନ୍‌ ଦରକାର ଥିଲା ବେଳେ ରିଷି ଧାୱନ୍‌ଙ୍କ ତୃତୀୟ ବଲ୍‌କୁ ଛକା ମାରି ତନୁଷ କୋଟିଆଁ ମୁମ୍ବାଇର ବିଜୟ ମୁଣ୍ଡି ମାରିଥିଲେ।

ସମ୍ବନ୍ଧିତ ଖବର