ଅହମଦାବାଦ: ଚଳିତ ଆଇପିଏଲ୍‌ରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ଦ୍ବିତୀୟ ପରାଜୟ ବରଣ କରିଛି। ଗୁଜରାଟ ଟାଇଟନ୍ସ ୩୬ ରନ୍‌ରେ ଏହି ଦଳକୁ ହରାଇବା ସହ ପ୍ରଥମ ବିଜୟ ହାସଲ କରିଛି। ସାଇ ସୁଦର୍ଶନଙ୍କ କ୍ରମାଗତ ଅର୍ଦ୍ଧଶତକ ବଳରେ ଗୁଜରାଟ ୮ ୱିକେଟ୍‌ ବିନିମୟରେ ୧୯୬ ରନ୍ ସଂଗ୍ରହ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୬୦ ରନ୍ ସଂଗ୍ରହ କରିଥିଲା। ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଓ ରିୟାନ୍ ରିକେଲଟନ୍‌ଙ୍କୁ ଶସ୍ତାରେ ମହମ୍ମଦ ସିରାଜ ଆଉଟ୍ କରି ଗୁଜରାଟକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ସୂର୍ଯ୍ୟକୁମାର ୟାଦବ ଓ ତିଳକ ବର୍ମା ମୁମ୍ବାଇକୁ ବାଟକୁ ଆଣିବାକୁ ଦମ୍ ଲଗାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ସିରାଜ ଓ ପ୍ରସିଦ୍ଧ ୨ ଲେଖାଏଁ ୱିକେଟ୍‌ ନେବା ନିର୍ଣ୍ଣାୟକ ହୋଇଥିଲା।

Advertisment

ଗତ ଋତୁଠାରୁ ନିଲମ୍ବିତ ହୋଇଥିବାରୁ ମୁମ୍ବାଇ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଶନିବାର ତାଙ୍କ ପ୍ରଥମ ମ୍ୟାଚ୍‌ ଖେଳିବା ସହ ଟସ୍ ବି ଜିତିଥିଲେ। ତୁରନ୍ତ ଘରୋଇ ଗୁଜରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଗୁଜରାଟ ପାଇଁ ପ୍ରାରମ୍ଭିକ ଯୋଡ଼ି ସାଇ ସୁଦର୍ଶନ ଓ ଶୁବମନ ଗିଲ୍‌ ବି ବଢ଼ିଆ ଆରମ୍ଭ କରିଥିଲେ। ପାୱାର ପ୍ଲେ ୬ ଓଭରରେ ବିନା କ୍ଷତିରେ ଦୁହେଁ ୬୬ ରନ୍ ଆଦାୟ କରିବା ପରେ ନବମ ଓଭରରେ ଗିଲ୍‌ (୨୭ ବଲ୍‌ରୁ ୩୮ ରନ୍) ଅଲଗା ହୋଇଥିଲେ। ପଞ୍ଚମ ମୁକାବିଲାରେ ଚତୁର୍ଥ ଥର ପାଇଁ ଗିଲ୍‌ଙ୍କୁ ଆଉଟ୍ କରିଥିଲେ ପାଣ୍ଡ୍ୟା। ପ୍ରଥମ ୱିକେଟ୍ ପାଇଁ ଗିଲ୍‌-ସୁଦର୍ଶନ ୭୮ ରନ୍ ସଂଗ୍ରହ କରିଥିଲେ। ଏହା ପରେ ସାଇ ସୁଦର୍ଶନ (୪୧ ବଲ୍‌ରୁ ୬୩ ରନ୍‌), ଜୋସ୍ ବଟଲର୍ (୨୪ ବଲ୍‌ରୁ ୩୯ ରନ୍) ଭଲ ଖେଳିଥିଲେ ମଧ୍ୟ ସୁଯୋଗ ହାତଛଡ଼ା ହେବାରୁ ଦଳ ସମ୍ଭାବ୍ୟ ୨୦୦ ଛୁଇଁ ପାରିନଥିଲା। ହାର୍ଦିକ ପାଣ୍ଡ୍ୟା ପ୍ରତ୍ୟାବର୍ତନରେ ୨ ୱିକେଟ୍ ନେଇଥିଲେ।

ସଂକ୍ଷିପ୍ତ ସ୍କୋର: ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୧୯୬/୮ (ସାଇ ସୁଦର୍ଶନ-୬୩, ଜୋସ୍ ବଟଲର୍-୩୯, ଶୁବମନ ଗିଲ୍‌-୩୮, ସେର୍ଫାନ୍‌ ରଦରଫୋର୍ଡ-୧୮, ହାର୍ଦିକ ପାଣ୍ଡ୍ୟା-୨/୨୯, ମୁଜୀବ ଉର୍ ରହମାନ-୧/୨୮, ଟ୍ରେଣ୍ଟ୍ ବୋଲ୍ଟ-୧/୩୪, ଦୀପକ ଚହର-୧/୩୯, ସୂର୍ଯ୍ୟନାରାୟଣ ରାଜୁ-୧/୪୦)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୬୦/୬ (ସୂର୍ଯ୍ୟକୁମାର ୟାଦବ-୪୮, ତିଳକ ବର୍ମା-୩୯, ନମନ ଧୀର-୧୮*, ମିଚେଲ୍‌ ସାଣ୍ଟନର୍-୧୮*, ପ୍ରସିଦ୍ଧ କୃଷ୍ଣ-୨/୧୮, ମହମ୍ମଦ ସିରାଜ-୨/୩୪, ସାଇ କିଶୋର-୧/୩୭, କାଗିସୋ ରବାଡ଼ା-୧/୪୨)।