ବିଶ୍ୱକପ୍‌ ୨୦୧୧ରେ ୧୧ ଓ୍ଵିକେଟ୍‌ ନେଇଥିଲେ ମୁନାଫ ପଟେଲ, କ୍ରିକେଟରୁ ନେଲେ ବିଦାୟ

ନୂଆଦିଲ୍ଲୀ: ଭାରତକୁ ୨୦୧୧ରେ ବିଶ୍ୱ ଚାମ୍ପିଅନ୍‌ କରିବାରେ ଉଲ୍ଲେଖଯୋଗ୍ୟ ଭୂମିକା ନିଭାଇଥିବା ଦ୍ରୁତ ବୋଲର ମୁନାଫ ପଟେଲ ଶନିବାର କ୍ରିକେଟ୍‌ରୁ ବିଦାୟ ନେଇଛନ୍ତି। ଡାହାଣହାତୀ ବୋଲର ନିଜ କ୍ୟାରିୟରରେ ୧୩ଟି ଟେଷ୍ଟ, ୭୦ଟି ଦିନିକିଆ ଏବଂ ୩ଟି ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ମୁନାଫ ପଟେଲ (୩୫) ଯଦିଓ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଉଛନ୍ତି, ତଥାପି କ୍ରିକେଟ୍‌ ପଡିଆ ଛାଡ଼ିବେ ନାହିଁ। ସେ ଆଗାମୀ ଟି-୧୦ ଲିଗ୍‌ର ଅଂଶବିଶେଷ ପାଲଟିବେ।

ମୁନାଫ ପଟେଲ ୨୦୦୬ରେ ଇଂଲଣ୍ଡ ବିରୋଧରେ ମୋହାଲି ଠାରେ ଟେଷ୍ଟ ମ୍ୟାଚରେ ପଦାର୍ପଣ କରିଥିଲେ। ଏହାର ଗୋଟିଏ ମାସ ପରେ ସେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଖେଳିଥିଲେ। ସେ ୨୦୦୬ରୁ ୧୧ ମଧ୍ୟରେ ଟିମ ଇଣ୍ଡିଆର ନିୟମିତ ସଦସ୍ୟ ଥିଲେ। ଆଘାତ ଯୋଗୁଁ ତାଙ୍କୁ ଦଳରୁ ବାହାରେ ରହିବାକୁ ପଡ଼ିଥିଲା। ମୁନାଫ ନିଜର ଶେଷ ଅନ୍ତର୍ଜାତୀୟ ମୁକାବିଲା ୨୦୧୧ରେ ଖେଳିଥିଲେ। ପଟେଲ ୩ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଆଇସିସି ବିଶ୍ୱକପ ୨୦୧୧ରେ ମୁନାଫ ପଟେଲ ୧୧ଟି ଓ୍ଵିକେଟ୍‌ ନେଇଥିଲେ। ମୁନାଫଙ୍କୁ ଭାରତୀୟ ଟିମର ବୋଲିଂ କୋଚ ଏରିକ ସିମନ୍ସ ‘ଅଜ୍ଞାତ ଯୋଦ୍ଧା’ ବୋଲି କହିଥିଲେ।

ପଟେଲ ଶନିବାର ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିବା ଘୋଷଣା କରିଛନ୍ତି। ସେ କହିଛନ୍ତି, ହ୍ୟାଲୋ ଦୋସ୍ତ, ମୁଁ ସନ୍ୟାସ ନେଉଛି। ମୁଁ ଯେଉଁ ଖେଳାଳିଙ୍କ ସହିତ ଖେଳିଛି, ସେମାନେ ସମସ୍ତେ ସନ୍ୟାସ ନେଇ ସାରିଛନ୍ତି। ଏମାନଙ୍କ ମଧ୍ୟରେ କେବଳ ଧୋନି ଅଛନ୍ତି, ଯିଏକି ଖେଳ ଜାରି ରଖିଛନ୍ତି। ଏଥି ପାଇଁ ମୋତେ ସନ୍ୟାସ ନେବାରେ କୌଣସି ଦୁଃଖ ନାହିଁ। ପୂର୍ବ ଭଳି ମୋର ଫିଟ୍‌ନେସ୍‌ ବି ନାହିଁ। ଯୁବ ଖେଳାଳି ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର