ଭୁବନେଶ୍ବର: ସ୍ଥାନୀୟ କିଟ୍ସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ଆଇଡବ୍ଲ୍ୟୁଏଲ୍ଏଫ୍ ଜାତୀୟ (ଯୁବ, କନିଷ୍ଠ, ବରିଷ୍ଠ) ଭାରୋତ୍ତୋଳନ ପ୍ରତିଯୋଗିତାରେ ସୋମବାର ଓଡ଼ିଶାକୁ ପ୍ରଥମ ପଦକ ମିଳିଛି। ୬୧ କେଜି ପୁରୁଷ ବର୍ଗରେ ମୁନା ନାୟକ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଏହି ଗୌରବ ଆଣିଛନ୍ତି। ଅନ୍ୟ ଦୁଇ ଓଡ଼ିଆ ଖେଳାଳି ରାଜେନ୍ଦ୍ର ମୁଦୁଲି (ବାଳକ ୬୧ କେଜି) ଏବଂ କୁମ୍ଭେଶ୍ବର ମଲ୍ଲିକ (୫୫ କେଜି ବାଳକ) ଚତୁର୍ଥ ସ୍ଥାନରେ ରହି ଅଳ୍ପରେ ପଦକରୁ ବଞ୍ଚିତ ହୋଇଥିଲେ। ଅନ୍ୟପକ୍ଷରେ ଦ୍ବିତୀୟ ଦିନ ୭ ନୂଆ ଜାତୀୟ ରେକର୍ଡ ଦେଖିବାକୁ ମିଳିଛି। ୫୫ କେଜି ଯୁବ ବାଳକ ବର୍ଗରେ ଏତେ ପ୍ରତିଯୋଗିତା ମୂଳକ ହୋଇଥିଲା ଯେ ସମସ୍ତ ୭ ରେକର୍ଡ ଏହି ବର୍ଗରେ ହୋଇଥିଲା। ସ୍ନାଚ୍ରେ ୪ ଥର ରେକର୍ଡ ଭାଙ୍ଗିଥିଲା ଏବଂ ନୂଆ ହୋଇଥିଲା। ପୂର୍ବରୁ ଥିବା ୯୫ କେଜି ଏଠାରେ ୪ ଥର ଭାଙ୍ଗି ୧୦୨ରେ ପହଞ୍ଚିଥିଲା।
ଶେଷରେ ଆନ୍ଧ୍ରପ୍ରଦେଶର ଏସ୍ ଗୁରୁନାଇଡୁଙ୍କ ନାମରେ ଏହି କୀର୍ତ୍ତିମାନ ଲିପିବଦ୍ଧ ହୋଇଥିଲା। ପ୍ରତ୍ୟେକ ଥର ସେ ହିଁ ନୂଆ ରେକର୍ଡ କରୁଥିଲେ। କ୍ଲିନ୍ ଓ ଜର୍କରେ ସେ ପୂର୍ବରୁ ଥିବା ୧୨୨ କେଜି ରେକର୍ଡକୁ ଅତିକ୍ରମ କରି ୧୨୫ କେଜି ଉଠାଇଥିଲେ। ମୋଟ ଉପରେ ଦୁଇ ଥର ସେ ନୂଆ ରେକର୍ଡର ଅଧିକାରୀ ହୋଇଥିଲେ। ଏଥିରେ ପୂର୍ବରୁ ୨୧୬ କେଜି ରହିଥିଲା ବେଳେ ଗୁରୁନାଇଡ଼ୁ ପ୍ରଥମେ ୨୨୨ ଏବଂ ପରେ ୨୨୭ ଉଠାଇଥିଲେ। ଓଡ଼ିଶା ସରକାରଙ୍କ ସହଯୋଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘ ଓ ଓଡ଼ିଶା ଭାରୋତ୍ତୋଳନ ସଂଘ ଆନୁକୂଲ୍ୟରେ ଏହି ପ୍ରତିଯୋଗିତ ଆୟୋଜିତ ହେଉଛି।